ଜୟପାଟଣା/କୋକସରା : କଳାହାଣ୍ଡି ଜିଲ୍ଲାର ଜୀବନରେଖା କୁହାଯାଉଥିବା ବହୁମୁଖୀ ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପର ଶିଳାନ୍ୟାସ ୧୯୭୮ ମସିହାରେ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ମୋରାରଜୀ ଦେଶାଇଙ୍କ ହାତରେ ହୋଇଥିଲା। ୧୯୯୯ରୁ ଏଥିରୁ ବିଦ୍ୟୁତ ଉତ୍ପାଦନ ଆରମ୍ଭ ହୋଇଥିବା ବେଳେ ଦୀର୍ଘ ୨୦ ବର୍ଷ ପରେ ବି ଜିଲ୍ଲାବାସୀଙ୍କୁ ବିଦ୍ୟୁତ୍‌ ଯୋଗାଣ ହୋଇପାରି ନ ଥିଲା।‌ ଶେଷରେ ଆଜି ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସିଂ ଜରିଆରେ କଳାହାଣ୍ତି ଜିଲ୍ଲା ଜୟପାଟଣା ବ୍ଲକ୍‌ ବାନେରଠାରେ ୨୨୦ /୧୩୨/୩୩ କେଭି ଗ୍ରିଡ୍ ସବ୍‌ଷ୍ଟେସନ୍‌କୁ ଜିଲ୍ଲାବାସୀଙ୍କୁ ଲୋକାର୍ପଣ କରିବା ପରେ ଜିଲ୍ଲାବାସୀଙ୍କ ଦୀର୍ଘ ଦିନର ସ୍ବପ୍ନ ସାକାର ହୋଇଛି। ବାନେର ୨୨୦ ଗ୍ରିଡ୍‌ରୁ କୋକସରା ବ୍ଲକ୍‌ ଲଡ଼ୁଗାଁ, ବଡ଼କୁଟୁରୁକୁ ପ୍ରଥମ ପର୍ଯ୍ୟାୟରେ ସଂଯୋଗ କରାଯିବା ପରେ ଜିଲ୍ଲାର ଅନ୍ୟ ଅଞ୍ଚଳକୁ ବିଦ୍ୟୁତ ସଂଯୋଗ କରାଯିବା ନେଇ ସୂଚନା ମିଳିଛି। ଫଳରେ ଜିଲ୍ଲାବାସୀଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି।

Advertisment

ଏହି ଅବସରରେ ରାଜ୍ୟ ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ, ଧର୍ମଗଡ଼ ବିଧାୟକ ମୌଷଧି ବାଗ, କଳାହାଣ୍ତି ଜିଲ୍ଲାପାଳ ଡ. ଗାଭାଲି ପରାଗ ହର୍ଷଦ, ଏସ୍‌ପି କଳାହାଣ୍ତି ବାତୁଲା ଗଙ୍ଗାଧର, ଭବାନୀପାଟଣା କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ପୂର୍ବତନ ସଭାପତି ଜିତେନ୍ଦ୍ର ନାରାୟଣ ସିଂଦେଓ, ଭବାନୀପାଟଣା ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକ, ଓପଟିସିଏଲ୍‌ ଏଚ୍‌ଆର୍‌ଡି ରଘୁନାଥ ପତିହାରୀ, ଜୟପାଟଣା ବିଡିସ ଏ.ସାମନ୍ତରାୟ, ବାନେର ସରପ‌ଞ୍ଚ ଲକ୍ଷ୍ମୀକାନ୍ତ ମାଝୀ, ଜୟପାଟଣା ସରପଂଚ ଦିଲ୍ଲୀପ ରାଉତ, ଜୟପାଟଣା ପଞ୍ଚାୟତ ସମିତି ଅଧ୍ୟକ୍ଷା ଏନ୍‌. ରାଉତ, ବ୍ଲକ୍‌ ଉପାଧ୍ୟକ୍ଷ କୃଷ୍ଣଚନ୍ଦ୍ର ରାଉତଙ୍କ ସମେତ ଓଏଚ୍‌ପିସିର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।