ଆଶଙ୍କା ବଢ଼ାଉଛି ଇନ୍ଦ୍ରାବତୀ ଜଳଭଣ୍ଡାର, ଜଳସେଚନ ପ୍ରଭାବିତ ହେବା ଆଶଙ୍କା

ଜୟପାଟଣା : ଇନ୍ଦ୍ରାବତୀରୁ ରବି ଜଳସେଚନକୁ ଇତିମଧ୍ୟରେ ଦୁଇମାସ ବିତିଯାଇଛି। ଏହା ଗତ ଜାନୁଆରି ୬ ତାରିଖରୁ ଆରମ୍ଭ ହୋଇ ଆସନ୍ତା ମେ ୬ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରଖାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ଚଳିତ ସେଚନ ସମୟରେ ଜଳଭଣ୍ଡାରର ସ୍ଥିତି ଆକଳନ କରି ପର୍ଯ୍ୟାୟକ୍ରମେ ଜଳସେଚନ କରାଯାଉଛି। ପ୍ରଥମ ଥର ପାଇଁ ଜଳସମ୍ପଦ ଓ ଶକ୍ତି ବିଭାଗ ମଧ୍ୟରେ ସମନ୍ୱୟ ପ୍ରତିଷ୍ଠା ହୋଇ ଜଳସେଚନର ଆବଶ୍ୟକତାକୁ ଦେଖି ବିଜୁଳି ଉତ୍ପାଦନ କରାଯାଉଛି। ଇତିମଧ୍ୟରେ ଜଳଭଣ୍ଡାରର ଜଳସ୍ତର କ୍ରମାଗତ ଭାବେ ଖସୁଥିବା ଓ ତାପ ବିକିରଣ ହେତୁ ଜଳସ୍ତର ଉପରେ ପ୍ରଭାବ ପଡୁଥିବାରୁ ଅନ୍ତିମ ପର୍ଯ୍ୟାୟର ଜଳସେଚନକୁ ନେଇ ଏବେଠାରୁ ଆଶଙ୍କା ବଢ଼ିବାରେ ଲାଗିଲାଣି।

ପ୍ରକାଶ ଯେ, ଚଳିତ ରବିରେ ଇନ୍ଦ୍ରାବତୀ ଜଳପତ୍ତନ ୬୩୭.୯୧ ମି. ଅର୍ଥାତ ୧,୦୨,୯୬୦ ହେକ୍ଟର ମିଟର ଥିବା ସମୟରେ ଆରମ୍ଭ ହୋଇଥିବା ବେଳେ ଦୁଇମାସର ଅବଧି ମଧ୍ୟରେ ଜଳପତ୍ତନ ୬୩୫.୫୦ମି. ଅର୍ଥାତ ୭୯,୪୭୫ ହେକ୍ଟର ମିଟର ସାଙ୍ଗକୁ ୫୪.୫୯ ପ୍ରତିଶତରେ ପହଞ୍ଚି ସାରିଛି। ଇନ୍ଦ୍ରାବତୀ ଜଳଭଣ୍ଡାରର ପୂର୍ଣ୍ଣ କ୍ଷମତା ୬୪୨ ମି. ଅର୍ଥାତ ୧୪୫,୫୭୭ ହେକ୍ଟର ମିଟର ରହିଛି। ବର୍ତମାନ ତାପମାତ୍ରା ବଢ଼ି ଚାଲିଥିବା ହେତୁ ଜଳଭଣ୍ଡାର ମଧ୍ୟରୁ ତାପ ବିକିରଣ ହେବା ସହିତ ଜଳଭଣ୍ଡାର ମଧ୍ୟକୁ ଆସୁଥିବା ଅନ୍ତଃ ସ୍ରୋତ ମଧ୍ୟ ଆନୁପାତିକ ହାରରେ କମିବାରେ ଲାଗିଛି। ପୁଣି ଜଳଭଣ୍ଡାର ଇନ୍‌ଟେକ୍‌ ୱେଲ୍‌ ସମ୍ମୁଖରେ ତିନି ମିଟର ପରିମାଣରେ ପଙ୍କ ଜମା ହୋଇ ସାରିଥିବାରୁ ୬୨୮ମି. ଜଳସ୍ତର ପହଞ୍ଚିବା ପରେ ଜଳସେଚନକୁ ନେଇ ଆଶଙ୍କା ସୃଷ୍ଟି ହୋଇପାରେ ବୋଲି ଆଲୋଚନା ହେଉଛି। ଜଳପତ୍ତନ ୬୨୮ମି.କୁ ପହଞ୍ଚିଲେ ଜଳ ସଂରକ୍ଷଣ ୧୩.୭୯ପ୍ରତିଶତକୁ ଖସିବା ସହିତ ୨୦,୦୭୦ ହେକ୍ଟର ମିଟର ପହଞ୍ଚି ଯିବ ବୋଲି ସୂଚନାରୁ ପ୍ରକାଶ।

ଚଳିତ ବର୍ଷ ୫୨ହଜାର ହେକ୍ଟରରେ ଜଳସେଚନ ଦିଆଯାଉଥିବା ବେଳେ ବାମ କେନାଲରେ ୩୫ କ୍ୟୁମାକ୍ସ ଓ ଦକ୍ଷିଣ କେନାଲରେ ସର୍ବାଧିକ ୧୪ କ୍ୟୁମାକ୍ସ ଜଳସେଚନ କରାଯାଉଛି। ପରବର୍ତ୍ତୀ ମାର୍ଚ୍ଚ ୧୫ରୁ ଅଧିକ ଜଳସେଚନ ଆବଶ୍ୟକତା ପଡ଼ିପାରେ ବୋଲି ଚାଷୀ ମହଲରେ ଆଲୋଚନା ହେଉଛି। ତାକୁ ମଧ୍ୟ ଦୃଷ୍ଟିରେ ରଖି ଉଭୟ କେନାଲରେ ଜଳସେଚନର ପରିମାଣକୁ ବୃଦ୍ଧି କରି ୫୫ କ୍ୟୁମାକ୍ସରେ ରଖାଯିବ ବୋଲି ସୂଚନାରୁ ପ୍ରକାଶ। ପୂର୍ବ ବର୍ଷାରେ ଏତିକି ପରିମାଣ ଜମିରେ ଜଳସେଚନ ପାଇଁ ୭୦ କ୍ୟୁମାକ୍ସ ପାଣିର ଆବଶ୍ୟକତା ପଡୁଥିଲା। ଚଳିତ ବର୍ଷ ପରୀକ୍ଷାମୂଳକ ଭାବରେ ପର୍ଯ୍ୟାୟକ୍ରମେ ଜଳସେଚନ ଦିଆ ଯାଉଥିବା ବେଳେ ତଳମୁଣ୍ଡରେ ଚାଷୀଙ୍କୁ ଅନେକ ଅସୁବିଧା ହେଉଥିବା ଆଲୋଚନା ହେଉଛି। କେନାଲ ମରାମତି କାର୍ଯ୍ୟ ତ୍ୱରାନ୍ୱିତ ନହେଲେ ଚାଷୀ ଓ ଚାଷ ପାଇଁ ସବୁବେଳେ ବାଧକ ସାଜୁଥିବ ବୋଲି ଚାଷୀ ମହଲରେ ଆଲୋଚନା ହେଉଛି।

ସମ୍ବନ୍ଧିତ ଖବର