ବିପଦରେ ଶ୍ରୀକ୍ଷେତ୍ରରେ ଐତିହ୍ୟ ପଞ୍ଚତୀର୍ଥ ପୁଷ୍କରିଣୀ, ଭୁଶୁଡ଼ିଲା ଇନ୍ଦ୍ରଦ୍ୟୁମ୍ନ ସୁରକ୍ଷା ପ୍ରାଚୀର

ପୁରୀ : ଐତିହ୍ୟ ସହର ପାଇଁ ଉଦ୍ୟମ ହେଉଥିବା ବେଳେ ଶ୍ରୀକ୍ଷେତ୍ରରେ ଐତିହ୍ୟ ପଞ୍ଚତୀର୍ଥ ପୁଷ୍କରିଣୀ ଏବେ ବିପଦରେ। ଦିନକୁ ଦିନ ଅବକ୍ଷୟମୁଖୀ ଏହି ପଞ୍ଚତୀର୍ଥ ପୁଷ୍କରିଣୀର ଆଜି ପର୍ଯ୍ୟନ୍ତ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇପାରିନି। ପୂର୍ବରୁ ପଞ୍ଚତୀର୍ଥ ପୁଷ୍କରିଣୀ ଭିତରୁ ଅନ୍ୟତମ ମାର୍କଣ୍ଡ ପୁଷ୍କରିଣୀର ପ୍ରାଚୀର ଭୁଶୁଡ଼ି ପଡ଼ି ଏବେ ବି ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି। ଏଭଳି ସ୍ଥଳେ ଆଜି ତୀର୍ଥ ପୁଷ୍କରିଣୀ ଇନ୍ଦ୍ରଦ୍ୟୁମ୍ନର ସୁରକ୍ଷା ପ୍ରାଚୀର ଭୁଶୁଡ଼ି ପଡ଼ିଛି। ଆଜି ରାତିରେ ଏହି ଘଟଣା ପରେ ଏହି ରାସ୍ତା ଦେଇ ଯାଆ କରୁଥିବା ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି।

ମିଳିଥିବା ସୂଚନା ମୁତାବକ, ଆଜି ରାତି ପ୍ରାୟ ୮ଟାରେ ହଠାତ୍ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀର ପ୍ରବେଶ ପଥର ଅପରପାର୍ଶ୍ବ ସୁରକ୍ଷା ପ୍ରାଚୀର ଭୁଶୁଡ଼ି ପଡ଼ିଥିଲା। ଏହି ସମୟରେ ଲୋକଙ୍କ ଯାତାୟାତ ବି ଲାଗି ରହିଥିଲା। ହଠାତ୍ ସୁରକ୍ଷା ପ୍ରାଚୀର ଭୁଶୁଡ଼ି ପଡ଼ିବା ସହ ଏହା ସଂଲଗ୍ନ ରାସ୍ତାରେ ଫାଟ ସୃଷ୍ଟି ହେବା ସହ ଯାତାୟାତ ବନ୍ଦ ହୋଇଯାଇଥିଲା। ପ୍ରାୟ ୨୦ ଫୁଟ ଲମ୍ବ ଓ ୪ ଫୁଟ ଓସାରରେ ସୁରକ୍ଷା ପ୍ରାଚୀର ଇନ୍ଦ୍ରଦ୍ୟୁମ୍ନ ପୋଖରୀ ଭିତରକୁ ଭୁଶୁଡ଼ି ପଡ଼ିବା ଯୋଗୁଁ ରାସ୍ତାରେ ବିରାଟ ଗର୍ତ୍ତ ସୃଷ୍ଟି ହୋଇଛି। ପୂର୍ବରୁ ବି ଇନ୍ଦ୍ରଦ୍ୟୁମ୍ନ ସୁରକ୍ଷା ପ୍ରାଚୀର ଭୁଶୁଡ଼ି ପଡ଼ିଥିଲା। ଆଜି ପର୍ଯ୍ୟନ୍ତ ଏହାର ମରାମତି କରାଯାଇ ନାହିଁ। ଆଜି ପୁନର୍ବାର ସୁରକ୍ଷା ପ୍ରାଚୀର ଭୁଶୁଡ଼ି ପଡ଼ିବା ଉଭୟ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନର ପାରିଆପଣିଆ ପ୍ରତି ଅଙ୍ଗୁଳି ନିର୍ଦେଶ କରିଛି। ସବୁଠୁ ବଡ଼ କଥା ହେଲା, ଭୁଶୁଡ଼ିଥିବା ପ୍ରାଚୀର କିଛି ଦିନ ତଳେ ନିର୍ମାଣ ହୋଇଥିଲା। ତଥାପି ଏହା ଭୁଶୁଡ଼ି ପଡ଼ିବା ନିମ୍ନମାନର କାମକୁ ସ୍ପଷ୍ଟ କରୁଛି। ଏହି ରାସ୍ତା ଦେଇ ଲୋକେ ମାଟିଆପଡ଼ା ମୁଖ୍ୟ ରାସ୍ତାରୁ ରାଧାକୃଷ୍ଣ ଲେନ୍, ଟିକରପଡ଼ା, ମଧୁବନ ଆଦି ସ୍ଥାନକୁ ଯା’ଆସ କରୁଥିଲେ। ରାସ୍ତାରେ ଫାଟ ସୃଷ୍ଟି ହେବା ପରେ ଏହି ରାସ୍ତା ଦେଇ ଯା’ଆସ ବନ୍ଦ ହୋଇଯାଇଛି। ସ୍ଥାନୀୟ ଲୋକେ ସୁରକ୍ଷା ଦୃଷ୍ଟିରୁ ଦୁଇପାର୍ଶ୍ବରେ ବାଉଁଶ ପକାଇ ରାସ୍ତା ଯାତାୟାତକୁ ବନ୍ଦ କରିଛନ୍ତି। ସମାନ ଧରଣର ଅବସ୍ଥା ମାର୍କଣ୍ଡ ପୁଷ୍କରିଣୀରେ ବି ଦେଖିବାକୁ ମିଳିଥିଲା। ଏଠାରେ ଏକାଧିକ ଥର ସୁରକ୍ଷା ପ୍ରାଚୀର ଭୁଶୁଡ଼ିଥିଲେ ବି ଆଜି ପର୍ଯ୍ୟନ୍ତ ପୁନରୁଦ୍ଧାର କାର୍ଯ୍ୟ କରାଯାଇଛି। କେବଳ ଇନ୍ଦ୍ରଦ୍ୟୁମ୍ନ ଓ ମାର୍କଣ୍ଡ ନୁହେଁ, ଅନ୍ୟ ପଞ୍ଚତୀର୍ଥ ପୁଷ୍କରିଣୀ ବି ବିପଦ ଭିତରେ ରହିଛି।

ସୂଚନାଯ‌ୋଗ୍ୟ, ଶ୍ରୀକ୍ଷେତ୍ରର ଇନ୍ଦ୍ରଦ୍ୟୁମ୍ନ, ମାର୍କଣ୍ଡ, ଶ୍ବେତଗଙ୍ଗା, ରୋହିଣୀକୁଣ୍ଡ ଓ ସମୁଦ୍ର ପଞ୍ଚତୀର୍ଥ ପୁଷ୍କରିଣୀ ଭାବେ ଜଣାଶୁଣା। ତୀର୍ଥ ଯାତ୍ରାରେ ବାହାରିଥିବା ଯାତ୍ରୀମାନେ ଏଠାରେ ସ୍ନାନ ନକଲେ ଯାତ୍ରା ଅଧୁରା ରହିଯାଏ ବୋଲି ବିଶ୍ବାସ ରହିଛି। ଏହି ଧାର୍ମିକ ବିଶ୍ବାସ ନେଇ ପ୍ରତ୍ୟହ ଶହ ଶହ ସଂଖ୍ୟାରେ ଭକ୍ତମାନେ ଏଠାକୁ ଦୌଡ଼ି ଆସନ୍ତି। କିନ୍ତୁ ପ୍ରାଶାସନିକ ଅବହେଳା ଏହି ପବିତ୍ର ପୁଷ୍କରିଣୀର ପ୍ରତିଷ୍ଠାକୁ ନଷ୍ଟ କରି ଦେବାକୁ ବସିଛି।

ସମ୍ବନ୍ଧିତ ଖବର