ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ ଆଜି ଶ୍ରୀହୀନ; ଭାଙ୍ଗିଗଲାଣି, ଧସିଗଲାଣି ପାଚେରି

ପାର୍ଶ୍ବରେ କୁଢ଼କୁଢ଼ ଅଳିଆ, ନର୍ଦ୍ଦମା ପାଣି, ଖର୍ଚ୍ଚ ନ ହୋଇ ଫେରିଯାଉଛି ଟଙ୍କା

ପୁରୀ : ଯେଉଁ ତୀର୍ଥ ପୁଷ୍କରିଣୀର ଜଳ ସିଞ୍ଚି ହେଲେ ପାପ ନାଶ ଯାଏ ବୋଲି ବିଶ୍ବାସ ରହିଛି, ସେ ତୀର୍ଥ ଏବେ ନିଜର ଅସ୍ତିତ୍ବ ପାଇଁ ସଂଘର୍ଷ କରୁଛି। ଯାହାର କାଚକେନ୍ଦୁ ଭଳି ଜଳରାଶି ମନକୁ ତଲ୍ଲୀନ କରୁଥିଲା, ତା’ ଉପରେ ଏବେ ଦଳ ଚରିଗଲାଣି। ଯାହାର ସୌନ୍ଦର୍ଯ୍ୟୀକରଣର ସ୍ବପ୍ନ ଦେଖାଇ ସରକାରୀ ବାବୁମାନେ ଖୁସିରେ ଗଦଗଦ ହୋଇପଡ଼ୁଥିଲେ ତାହା ଏବେ ଶ୍ରୀହୀନ ହେବାକୁ ବସିଲାଣି। ବାବୁମାନେ ପୁରୀର ସଂସ୍କୃତିକୁ ଏତେ ଭଲ ପାଉଛନ୍ତି ଯେ ୩ ବର୍ଷ ହେଲା ଭାଙ୍ଗି ପଡ଼ିଥିବା ପୁଷ୍କରିଣୀର ସ୍ଥାୟୀ ପାଚେରିଟିଏ ବି ନିର୍ମାଣ କରିପାରୁନାହାନ୍ତି। ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀର ଏହି ଦୟନୀୟ ଚିତ୍ର କେବଳ ସଂସ୍କୃତି ପ୍ରେମୀଙ୍କୁ ଆଘାତ ଦେଇନାହିଁ, ବରଂ ଯେମିତି ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ଯଜ୍ଞରୁ ସୃଷ୍ଟି ହୋଇଥିବା ଏହି ପୁଷ୍କରିଣୀ ଏବେ ସ୍ବୟଂ ଗୁମୁରି କାନ୍ଦୁଛି। ମୁକ୍ତି ଦେବାକୁ ବିନତୀ କରୁଛି। ହେଲେ ବାବୁମାନଙ୍କ ଦରଦହୀନ ହୃଦୟ ତରଳୁ ନାହିଁ।

ମାସେ କି ବର୍ଷେ ନୁହେଁ, ୩ ବର୍ଷ ତଳୁ ବାତ୍ୟା ବେଳେ ଏହି ତୀର୍ଥ ପୁଷ୍କରିଣୀର ପାଚେରି ଧସି ଯାଇଥିଲା। ଏହାକୁ ସଂଲଗ୍ନ ଥିବା ରାସ୍ତା ତଳେ ସାଢ଼େ ୩ ଫୁଟର ଖାଲ ସୃଷ୍ଟି ହୋଇଥିଲା। ଏହି କଂକ୍ରିଟ୍‌ ରୋଡ୍‌ କେବଳ ଗୋଟିଏ ପାର୍ଶ୍ବରେ ନିଜକୁ ସମ୍ଭାଳି ରଖିଛି। ପ୍ରତିବର୍ଷ ବର୍ଷା ପ୍ରଭାବରେ ଏହି ରାସ୍ତା ତଳେ ମାଟି ଧସିବାରେ ଲାଗିଛି। ତଥାପି ଏହାକୁ ଦେଖି ଅଣଦେଖା କରାଯାଉଛି। ଏହି ରାସ୍ତାରେ ବାଡ଼ ପକେଇ ଦେଇ ପ୍ରଶାସନ ନିଶ୍ଚିନ୍ତ ହୋଇ ବସିଛି। ପ୍ରାକ୍ତନ ଜିଲ୍ଲାପାଳ ବଲୱନ୍ତ ସିଂହଙ୍କଠାରୁ ଏବର ଜିଲ୍ଲାପାଳ ସମର୍ଥ ବର୍ମା ବାରମ୍ବାର ଏହି ସ୍ଥାନକୁ ଆସି ସ୍ଥିତି ପରଖିଛନ୍ତି। କିନ୍ତୁ ‌ଅସ୍ଥାୟୀ ଭାବେ ବାଲିବସ୍ତା ଓ କାଠ ବଲ୍‌ହାରେ ଢେରା ପକାଯାଇଛି ସିନା, ହେଲେ ସ୍ଥାୟୀ ପାଚେରିଟିଏ କରାଯାଇପାରି ନାହିଁ। କିଛିଦିନ ଧରି ଲଗାଣ ବର୍ଷା ଯୋଗୁ ୩ ଦିନ ତଳେ ପୁଣି ସେଇ ଅସ୍ଥାୟୀ ବାଲିବସ୍ତା ଧସିଯାଇ ପୁଷ୍କରିଣୀ ଭିତରକୁ ଝୁଲି ରହିଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ବାତ୍ୟା ତିତ୍‌ଲି କ୍ଷତିଗ୍ରସ୍ତ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀର ପୁନରୁଦ୍ଧାର ପାଇଁ ରାଜ୍ୟ ବିପର୍ଯ୍ୟୟ ରିଲିଫ୍ ପାଣ୍ଠିରୁ ୩୮ ଲକ୍ଷ ୧୯ ହଜାର ୨୯୭ ଟଙ୍କା ଆସିଥିଲା। କିନ୍ତୁ ଏ ଟଙ୍କା ଜିଲ୍ଲା ପ୍ରଶାସନ ପକ୍ଷରୁ ଖର୍ଚ୍ଚ ହୋଇ ନପାରି ବାରମ୍ବାର ଫେରି ଯାଇଛି। ଏଇଥିରୁ ହିଁ ବାବୁମାନଙ୍କର ତୀର୍ଥ ପୁଷ୍କରିଣୀ ପ୍ରତି କେତେ ପ୍ରୀତି ତାହା ବାରି ହୋଇପଡ଼ୁଛି।

ପାଚେରିର ଅନ୍ୟ ଏକ ପାର୍ଶ୍ବ ବି ଏବେ ଭୁଶୁଡ଼ିବା ଆଶଙ୍କା ଦେଖାଦେଲାଣି। ଭଙ୍ଗା ପାଚେରି ସଂଲଗ୍ନ ଅନ୍ୟ ପାଚେରିର ମଧ୍ୟ-ଭାଗ ଫାଟି ଆଁ କଲାଣି। ବରଗଛ ଓ ଓସ୍ତଗଛ କାନ୍ଥ ମଧ୍ୟରେ ଗଭୀର ଗର୍ତ୍ତ ସୃଷ୍ଟି କରିଥିବାରୁ ତାହା ବି ପୁଷ୍କରିଣୀ ଆଡ଼କୁ ଢଳି ଆସିଲାଣି। ଗୋଟିଏ ତୁଠକୁ ନାଳ ପାଣି ଆବୋରି ରହିଥିବା ବେଳେ ପଚା ଦୁର୍ଗନ୍ଧ ହେଉଛି। ଏ ପାଣି ଯାଇ ଇନ୍ଦ୍ରଦ୍ୟୁମ୍ନରେ ମିଶୁଛି। ବିଭିନ୍ନ ତୁଠ ନିକଟରେ ଥିବା ଡଷ୍ଟବିନ୍‌ରେ ଅଳିଆ ଉବୁକି ବାହାରେ ପଡ଼ିଥିଲେ ମଧ୍ୟ ଏହାକୁ ସଫେଇ କରାଯାଉ ନାହିଁ। ପୁଷ୍କରିଣୀର ଚାରିକଡ଼ରେ ଦଳ ମାଡ଼ି ଯିବା ସହ ମାଛ ମରି ଭାସୁଛନ୍ତି। ଭଙ୍ଗା ପାଚେରି ସ୍ଥାନରେ ଗଛଲଟା ମାଡ଼ି ବଂଶବିସ୍ତାର କରିବାରେ ଲାଗିଛି। ଜିଲ୍ଲାପାଳଙ୍କଠୁ ପ୍ରଶାସନର ବଡ଼ ଅଧିକାରୀମାନେ ବାରମ୍ବାର ଆସି ସ୍ଥିତି ଅନୁଧ୍ୟାନ କରିବାରେ ହେଳା କରୁନାହାନ୍ତି। କିନ୍ତୁ କାମ ବେଳକୁ ଢିଲା ମାରୁଛନ୍ତି। କେବଳ ମୁଣ୍ଡରୁ ଦୋଷ ଛଡ଼ାଇବାକୁ ଅସ୍ଥାୟୀ ଭାବେ ର-ଠ କାମ କରି ଦାୟିତ୍ବ ସାରି ଦିଆଯାଉଛି। ଅବଢ଼ା ଯୋଜନା ଏବଂ ଏସ୍‌ଆର୍‌ସିରୁ ଅର୍ଥ ମଞ୍ଜୁର ହୋଇଥିଲେ ବି କାମ କରିବାକୁ ବାବୁମାନଙ୍କ ମନ ବଳୁନାହିଁ। ପଞ୍ଚତୀର୍ଥ ମଧ୍ୟରୁ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ ଶ୍ରୀକ୍ଷେତ୍ର ସୌନ୍ଦର୍ଯ୍ୟର ଅନ୍ୟତମ ପ୍ରତୀକ। ପୁରୀର ଇତିହାସର ଅନ୍ୟତମ ମୂକସାକ୍ଷୀ। ମାତ୍ର ବାବୁମାନେ ସବୁ ଜାଣି ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀକୁ ଅବହେଳା କରିଚାଲିଛନ୍ତି।

ସମ୍ବନ୍ଧିତ ଖବର