ଭୁବନେଶ୍ବର: କଳାହାଣ୍ଡି ଜିଲ୍ଲାର ବାନେରଠାରେ ଇନ୍ଦ୍ରାବତୀ ବିଦ୍ୟୁତ ପ୍ରକଳ୍ପ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଲୋକାର୍ପିତ ହୋଇଛି । ଗାନ୍ଧି ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ଜିଲ୍ଲାର ୩ ବଡ଼ ଶକ୍ତି ପ୍ରକଳ୍ପର ଲୋକାର୍ପଣ କରିଛନ୍ତି। ଏହାଦ୍ବାରା ଜୟପାଟଣା, କଲମପୁର ଓ କୋକସରା ବ୍ଲକବାସୀ ଉପକୃତ ହେବେ। ଇନ୍ଦ୍ରାବତୀ ପ୍ରକଳ୍ପରୁ କଳାହାଣ୍ଡିବାସୀ ବିଦ୍ୟୁତ୍ ପାଇବା ପରେ ଜିଲ୍ଲାବାସୀଙ୍କ ୪୨ ବର୍ଷର ସ୍ୱପ୍ନ ପୂରଣ ହୋଇଥିବା କୁହାଯାଉଛି।

Advertisment

ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହି ୩ଟି ଶକ୍ତି ପ୍ରକଳ୍ପ ଦ୍ବାରା କଳାହାଣ୍ଡି ଜିଲ୍ଲାର ଜୟପାଟଣା, କୋକସରା ଓ କଲମପୁର ଅଞ୍ଚଳର ୩୦ ହଜାର ଲୋକ ଉପକୃତ ହେବେ। ଲୋକଙ୍କୁ ଉନ୍ନତ ମାନର ବିଶ୍ବସନୀୟ ଓ ନିରବଚ୍ଛିନ ବିଦ୍ୟୁତ ସେବା ମିଳିବ। ପାୱାର କଟ୍ ସମସ୍ୟା ଦୂର ହେବ ଏବଂ ଚାଷୀ, ମହିଳା ଓ ଛାତ୍ରଛାତ୍ରୀ ସମସ୍ତେ ଉପକୃତ ହେବେ । ଆଗାମୀ ଦିନରେ ଜିଲ୍ଲାର ଅନ୍ୟ ଅଞ୍ଚଳକୁ ବିଦ୍ୟୁତ ସେବାର ସଂପ୍ରସାରଣ କରାଯିବ ବୋଲି ସେ କହିଥିଲେ। ଆଗାମୀ ଦିନରେ କଳାହାଣ୍ଡି ଜିଲ୍ଲା ବିକାଶର ନୂଆ ପରିଚୟ ସୃଷ୍ଟି କରିବ । ବର୍ତ୍ତମାନ ଏହା ଏକ ତ୍ବରିତ ବିକାଶଶୀଳ ଜିଲ୍ଲା ଭାବରେ ପରିଚୟ ସୃଷ୍ଟି କରିପାରିଛି । କୃଷି କ୍ଷେତ୍ରରେ ଜିଲ୍ଲାର ଦ୍ରୁତ ଉନ୍ନତି ହୋଇଛି। ଜଳସେଚନର ସୁବିଧା ପାଇଁ ରେତ ଜଳସେଚନ ପ୍ରକଳ୍ପ ସହିତ ଆହୁରି ଅନେକ ମେଗା ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଛି। ସରକାରୀ ମେଡିକାଲ କଲେଜର ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି । ଭବାନୀପାଟଣା ସ୍ବୟଂଶାସିତ ମହାବିଦ୍ୟାଳୟକୁ କଳାହାଣ୍ଡି ବିଶ୍ବ ବିଦ୍ୟାଳୟରେ ପରିଣତ କରାଯାଇଛି। ବିଜୁ ଏକ୍‌ସପ୍ରେସ ୱେ ପଶ୍ଚିମ ଓଡ଼ିଶାର ଅର୍ଥନୈତିକ ଜୀବନଧାରା ହେବାକୁ ଯାଉଛି ବୋଲି ପ୍ରକାଶ କରି କଳାହାଣ୍ଡି ଜିଲ୍ଲାର ଅର୍ଥନୈତିକ ବିକାଶକୁ ମଧ୍ୟ ଏହା ତ୍ବରାନ୍ବିତ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ସୂଚନାଯୋଗ୍ୟ, ଇନ୍ଦ୍ରାବତୀ ପ୍ରକଳ୍ପର ପରିକଳ୍ପନା ୧୯୪୨ ମସିହାରେ କଳାହାଣ୍ଡିର ତତକାଳୀନ ମହାରାଜ ପ୍ରତାପ କେଶରୀ ଦେଓ କରିଥିଲେ । ଏଥିପାଇଁ ୧୯୭୮ରେ ଶିଳାନ୍ୟାସ ହୋଇଥିଲା । ପ୍ରକଳ୍ପରୁ ବିଦ୍ୟୁତ ଉତ୍ପାଦନ ୧୯୯୯ ମସିହାରୁ ଆରମ୍ଭ ହୋଇଥିଲେ ବି କଳାହାଣ୍ଡିବାସୀ ଆଜିଠାରୁ ବିଜୁଳି ପାଇବେ ।

publive-image

ଜୟପାଟଣା ବ୍ଲକ ବାନେରଠାରେ ନିର୍ମିତ ୨୨୦ କେଭିର ଗ୍ରିଡର ଶୁଭ ଉଦଘାଟନ ହୋଇଛି । ଏହାଦ୍ୱାରା ପ୍ରାଥମିକ ପର୍ଯ୍ୟାୟରେ ଜୟପାଟଣା, କୋକସରା ଓ କଲମପୁର ବ୍ଲକର ୪୫ ହଜାର ଉପଭୋକ୍ତା ଉପକୃତ ହେବେ। ବାନେରରେ ୨୨୦ କେଭି ଗ୍ରିଡର କାମ ୨୯ ଏକର ପରିବ୍ୟାପ୍ତ ଅଞ୍ଚଳରେ ୮୯ କୋଟି ବ୍ୟୟ ଅଟକଳରେ ୨୦୧୬ ମସିହାରୁ ଆରମ୍ଭ ହୋଇଥିଲା। ଏହି ଗ୍ରିଡ୍ ହେବାପରେ ଗତ ଜାନୁଆରୀ ମାସରୁ ଇନ୍ଦ୍ରାବତୀ ମେଗା ଲିଫ୍ଟକୁ ସଂଯୋଗ ଦିଆଯାଇ ପରୀକ୍ଷାମୂଳକ ଭାବେ ୬ ହଜାର ହେକ୍ଟର ଜମିରେ ଜଳସେଚନ ଆରମ୍ଭ ହୋଇଛି । ଏଠାରୁ ୬ ଶହ ମେଗାୱାଟ୍ ବିଦ୍ୟୁତ ଉତ୍ପାଦନର ଲକ୍ଷ୍ୟ ରଖାଯାଇଛି ।