ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାର ଜୀବନରେଖା ଇନ୍ଦ୍ରାବତୀ ଜଳଭଣ୍ଡାର ଅନେକ ପରିବାରକୁ ଦୁଃଖଯନ୍ତ୍ରଣା ଦେଇଛି। ଅନେକ ପରିବାର ଭିଟାମାଟି ଓ ଜୀବିକା ହରାଇଛନ୍ତି। ଅନେକ ପ୍ରତିବନ୍ଧକର କାରଣ ସାଜିଥିବା ଏହି ଜଳଭଣ୍ଡାର କିନ୍ତୁ ବହୁବର୍ଷ ପରେ ଅନେକ ସମ୍ଭାବନା ସୃଷ୍ଟି କରିଛି। ନୂଆ ପର୍ଯ୍ୟଟନଶିଳ୍ପ ପାଇଁ ପ୍ରଶସ୍ତ ରାସ୍ତା ଦେଖାଇଛି। ଜଳଭଣ୍ଡାର ଅନେକ ଢିପ ଅଞ୍ଚଳ, ଜଙ୍ଗଲ ଓ ପାହାଡ଼କୁ ସଂପୂର୍ଣ୍ଣ ବୁଡ଼ାଇ ପାରିନି। ଯାହା ଏବେ ଗୋଟିଏ ଗୋଟିଏ ଦ୍ବୀପରେ ପରିଣତ ହୋଇଛି। ସବୁଜିମା ଭରା ଏହି ‌ଟାପୁଗୁଡ଼ିକ ପର୍ଯ୍ୟଟନ ପାଇଁ ପ୍ରକୃଷ୍ଟ ସ୍ଥାନ ଭାବେ ଉଭା ହୋଇଛି। ପ୍ରାୟ ୧୧୦ ବର୍ଗକିଲୋମିଟର ଅଞ୍ଚଳରେ ଶହେରୁ ଅଧିକ ଟାପୁ ରହିଛି। ଗୋଟିଏ ଗୋଟିଏ ଟାପୁର କ୍ଷେତ୍ରଫଳ ଗୋଟିଏ ଏକରରୁ ଆରମ୍ଭ ହୋଇ ୧୦ଏକର ପର୍ଯ୍ୟନ୍ତ ରହିଥିବା ଜଣାପଡ଼ିଛି। ଚାରିପଟେ ପାଣି ଘେରି ରହିଥିବାରୁ ଅନେକ ସରୀସୃପ ଏବଂ ପକ୍ଷୀ ଏହି ଟାପୁଗୁଡ଼ିକରେ ବସା ବାନ୍ଧିଛନ୍ତି। ଯଦି ଗବେଷଣା କରାଯିବ ତେବେ ଅନେକ ବିରଳ ପ୍ରଜାତିର ସରୀସୃପ ଠାବ ହେବେ ବୋଲି ଅନୁମାନ କରାଯାଉଛି।

Advertisment

ସାଧାରଣତଃ ଜୁନ୍‌ରୁ ଅକ୍ଟୋବର ପର୍ଯ୍ୟନ୍ତ ଜଳଭଣ୍ଡାରରେ ପାଣି ଭର୍ତ୍ତି ହୋଇ ରହିଥାଏ। ତେଣୁ ବିସ୍ତୀର୍ଣ୍ଣ ଜଳରାଶି ମଧ୍ୟରେ କିଛି ଟାପୁ ସାମାନ୍ୟ ବୁଡ଼ି ରହିଥାଏ। ନଭେମ୍ବରରୁ ମେ ପର୍ଯ୍ୟନ୍ତ ଜଳଭଣ୍ଡାର ଜଳସ୍ତର ହ୍ରାସ ପାଇଲେ ଟାପୁର କ୍ଷେତ୍ରଫଳ ବୃଦ୍ଧି ପାଇବା ସହ ଅଧିକ ସ୍ପଷ୍ଟ ରୂପେ ଦେଖିବାକୁ ମିଳୁଛି। ସେହିପରି ଜଳସ୍ତର କମିଲେ ଭୂଖଣ୍ଡ ଠାରୁ ଅଳ୍ପ ଦୂରରେ ରହିଥିବା ଟାପୁଗୁଡ଼ିକୁ ମାଙ୍କଡ଼, ହରିଣ, ବାର୍‌ହା ଭଳି ବନ୍ୟଜନ୍ତୁଙ୍କ ଆଗମନ ହେଉଥିବା କୁହାଯାଉଛି। ପାଣି ବଢ଼ିଲେ ବନ୍ୟଜନ୍ତୁ ପୁଣି ଟାପୁ ଛାଡ଼ୁଥିବା ଜଣାପଡ଼ିଛି। ଏଗୁଡ଼ିକୁ ଯଦି ସାମାନ୍ୟ ବିକଶିତ କରି ଇକୋ ଟୁରିଜିମ୍‌ର ମାନ୍ୟତା ଦିଆଯାଆନ୍ତା, ତେବେ ଜିଲ୍ଲାର ଅର୍ଥନୀତିକୁ ଅଧିକ ମଜଭୁତ କରନ୍ତା ବୋଲି ମତପ୍ରକାଶ ପାଇଛି। ଏଠାକାର ଶାନ୍ତ ପରିବେଶ ନିଶ୍ଚିତ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବ, ଯାହାଫଳରେ ନିକଟବର୍ତ୍ତୀ ଅଞ୍ଚଳର ଲୋ‌କେ ମଧ୍ୟ ଜୀବିକା ପାଇବେ। ୫ବର୍ଷ ପୂର୍ବେ ତତ୍କାଳୀନ ପର୍ଯ୍ୟଟନ ମନ୍ତ୍ରୀ ରଘୁନନ୍ଦନ ଦାସ ଇନ୍ଦ୍ରାବତୀ ପ୍ରକଳ୍ପ ଓ ପାପଡ଼ାହାଣ୍ଡି ମୃଗବିହାର ପରିଦର୍ଶନ କରି ଉଭୟ ସ୍ଥାନକୁ ଇକୋ ଟୁରିଜିମ୍‌ର ମାନ୍ୟତା ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଯାହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରି ନାହିଁ। ଏପରି ସ୍ଥଳେ ଇନ୍ଦ୍ରାବତୀ ଜଳଭଣ୍ଡାରର ନିର୍ଜନ ଦ୍ବୀପଗୁଡ଼ିକ କେବେ ପର୍ଯ୍ୟଟକଙ୍କ କୋଳାହଳରେ ପରିପୂର୍ଣ୍ଣ ହେବ ଦେଖିବାକୁ ବାକି ରହିଲା।