ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ସ୍ୱଳ୍ପ ବର୍ଷା ଯୋଗୁ ମରୁଡ଼ି ଆଶଙ୍କା ବଢ଼ିବାରେ ଲାଗିଛି। ବର୍ତ୍ତମାନ ଇନ୍ଦ୍ରାବତୀ ଜଳଭଣ୍ଡାର ଜଳସ୍ତର ସର୍ବନିମ୍ନରେ ରହି ପୂର୍ବର ସମସ୍ତ ରେକର୍ଡ ଭାଙ୍ଗି ଥିବାରୁ ଜଳସେଚନକୁ ନେଇ ଚାଷୀମହଲରେ ଆଶଙ୍କା ପ୍ରକାଶ ପାଇଛି। ପୂର୍ବ ବର୍ଷ ଏହି ସମୟରେ ଜଳସ୍ତର ୬୨୯.୮୬ ମିଟର ରହିଥିବା ବେଳେ ଏଥର ୬୨୭.୬୫ ମିଟରକୁ ଖସିଛି। ନଦୀମାନଙ୍କର ଉପରମୁଣ୍ଡରେ ଜଙ୍ଗଲ ଅବକ୍ଷୟ ସାଙ୍ଗକୁ ଖଣି ଉତ୍ତୋଳନ ଯୋଗୁ ବର୍ଷା କମିବା ସହିତ ଇନ୍ଦ୍ରାବତୀ, କାଣବିନ୍ଧା, ପେଟଫୁଲା ସମେତ ବିଭିନ୍ନ ଚିରସ୍ରୋତା ନଦୀ ମାନଙ୍କରେ ଜଳ ପ୍ରବାହ ହ୍ରାସ ପାଇବାରେ ଲାଗିଛି। ଇନ୍ଦ୍ରାବତୀ ଜଳଭଣ୍ଡାର ପରିଧି ୨୬୩୨ବର୍ଗ କିମି ରହିଥିବା ବେଳେ ଏହି ପରିସୀମା ମଧ୍ୟରେ ୪ ପ୍ରମୁଖ ନଦୀ କପୁର, ମୁରାନ, ପୋଡ଼ାଗଡ ସାଙ୍ଗକୁ ଅନେକ ଝରଣା ଏବଂ ଛୋଟ, ବଡ଼ ନଦୀ ରହିଛି। ଚଳିତ ଖରିଫ ଚାଷ ପାଇଁ ଇନ୍ଦ୍ରାବତୀ ପ୍ରକଳ୍ପରୁ ୧,୧୮, ୦୪୧ହେକ୍ଟର ଜମିରେ ଜଳସେଚନର ଲକ୍ଷ୍ୟ ରଖାଯାଇଛି।
ଇନ୍ଦ୍ରାବତୀର ଡେଡ୍ ଷ୍ଟୋରେଜ ଲେଭେଲ ୬୨୫ମିଟର ରହିଥିବା ବେଳେ ମୁହାଣରେ ଅଦ୍ୟାବଧି ପଙ୍କ ଜମା ରହିଥିବାରୁ ୬୨୭ ମିଟର ଜଳସ୍ତର ପହଞ୍ଚିବା ଯୋଗୁ ବିଦ୍ୟୁତ୍ ଉତ୍ପାଦନରେ ବାଧା ସୃଷ୍ଟି ହେବା ଆଶଙ୍କା କରାଯାଉଛି। ଇନ୍ଦ୍ରାବତୀ ଜଳଭଣ୍ଡାରରେ ଗତ ୨୦୧୫ମସିହା ଜୁଲାଇ ୩୧ତାରିଖ ସୁଦ୍ଧା ଜଳସ୍ତର ୬୩୦.୪୩ ମିଟର, ୨୦୧୬ ମସିହାରେ ୬୩୨.୮୪ ମିଟର, ୨୦୧୭ ମସିହାରେ ୬୩୨.୦୮ ମିଟର, ୨୦୧୮ ମସିହାରେ ୬୩୪.୬୪ ମିଟର, ୨୦୧୯ ମସିହାରେ ୬୩୩.୫ ମିଟର, ୨୦୨୦ ମସିହାରେ ୬୩୦.୮୦ ମିଟର, ୨୦୨୧ ମସିହାରେ ୬୩୦.୧୦ ମିଟର, ୨୦୨୨ରେ ୬୩୩.୦୯ ମିଟର ଓ ୨୦୨୩ରେ ୬୨୯.୮୬ ମିଟର ରହିଥିଲା। ଆଗାମୀ ଦିନରେ ପର୍ଯ୍ୟାପ୍ତ ପରିମାଣରେ ବର୍ଷା ନ ହେଲେ ଜଳସେଚନ ସହିତ ବିଜୁଳି ଉତ୍ପାଦନରେ ମଧ୍ୟ ବାଧା ସୃଷ୍ଟି ହେବ। ସ୍ବଳ୍ପବୃଷ୍ଟି କାରଣରୁ ଜିଲ୍ଲାର ଲାଇଫ ଲାଇନ କହାଯାଉଛି ଇନ୍ଦ୍ରାବତୀ ପ୍ରକଳ୍ପ ଏବେ ପ୍ରଭାବିତ ହେବାର ଯଥେଷ୍ଟ ଆଶଙ୍କା ରହିଥିବାରୁ ସାଧାରଣରେ ଆଲୋଡ଼ନ ସୃଷ୍ଟି ହୋଇଛି।