ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାର ବେଲପଡ଼ା ଦାଦନପ୍ରବଣ ବ୍ଲକ୍ ସୂଚୀରେ ରହିଛି। ଚାଷ ଉଜୁଡ଼ିବା ଏବଂ ସ୍ଥାନୀୟ କର୍ମସଂସ୍ଥାନ ଅଭାବରୁ ଏହି ବ୍ଲକ୍ରୁ ପ୍ରତିବର୍ଷ ୨୦ହଜାରରୁ ଅଧିକ ଲୋକ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। ଏହି ବ୍ଲକ୍ର ଜୀବନରେଖା ହେଲା ଲାନ୍ଥନଦୀ। ନଦୀକୂଳର ଚାଷବାସ ଏହାଉପରେ ହିଁ ନିର୍ଭର କରୁଛି। ଏହାସହ ଶତାଧିକ ଗାଁ ନଦୀର ପାଣିପିଇବା ପାଇଁ ବ୍ୟବହାର କରୁଛନ୍ତି। କିନ୍ତୁ, ଏହି ନଦୀଉପରେ ଶିଳ୍ପାନୁଷ୍ଠାନଗୁଡ଼ିକର ମନମାନି ଚାଲିଥିବା ଦେଖିବାକୁ ମିଳୁଛି। ବେଲପଡ଼ା ବ୍ଲକ ମୁଖ୍ୟାଳୟରୁ ମାତ୍ର ୫ କିଲୋମିଟର୍ ଦୂରରେ ରହିଛି ଗ୍ରାଫାଇଟ୍ କାରଖାନା। ଯାହା ଲାନ୍ଥନଦୀ କୂଳରେ ଅଛି। ବର୍ତ୍ତମାନ ଲାନ୍ଥନଦୀରେ ପାଣି ଶୁଖିବା ଉପରେ। ଗୋଟିଏ ପତଳା ସୁଅ ଚାଲିଛି। କିନ୍ତୁ ନଦୀ ଭିତରେ ବାଲିର ବାଡ଼ଦେଇ ପାଣି ସୁଅର ଦିଗ ପରିବର୍ତ୍ତନ କରାଯାଇଛି। କୂଳରେ ଗୋଟିଏ ବିରାଟ ଖାତ ଖୋଳାଯାଇଛି। ଏଠାରୁ ପମ୍ପ୍ରେ ଗ୍ରାଫାଇଟ୍ କାରଖାନାକୁ ପାଣି ପହଞ୍ଚୁଛି। ଦୈନିକ ହଜାର ହଜାର ମିଲିଅନ୍ ଲିଟର୍ ପାଣି ଉତ୍ତୋଳନ କରାଯାଉଛି। ଯଦ୍ବାରା ତଳମୁଣ୍ଡକୁ ପାଣି ପହଞ୍ଚୁ ନାହିଁ। ଖରା ଆରମ୍ଭ ହେଉଣୁ, ପାଣି ପାଇଁ ବେଲପଡ଼ା ଏବଂ ଏହା ସଂଲଗ୍ନ ଗାଁଲୋକେ ଡହଳବିକଳ ହେଉଛନ୍ତି। କିନ୍ତୁ, ଏହି ଶିଳ୍ପସଂସ୍ଥା ନଦୀର ପାଣି ମନଇଚ୍ଛା ଟାଣୁଛି।
ଅନ୍ୟପକ୍ଷରେ, ଏହାଉପରେ ସ୍ଥାନୀୟ ପ୍ରଶାସନର ବି କିଛି ନଜର ରହୁନାହିଁ। ସେହିପରି ଗ୍ରାଫାଇଟ୍ ଗୁଣ୍ଡ ସଂଗ୍ରହ ପରେ ପ୍ରଦୂଷିତ ମାଟିକୁ ନଦୀ କୂଳ ହିଡ଼ରେ ଗଦା କରାଯାଉଛି। ବର୍ଷା ହେଲେ ପ୍ରଦୂଷିତ ପାଣି ସିଧା ନଦୀ ଗର୍ଭକୁ ଚାଲିଯାଉଛି। ତେଣୁ ଲାନ୍ଥନଦୀ ସବୁ ଦିଗରୁ ସମସ୍ୟା ଦେଇ ଗତି କରୁଥିବା ଦେଖିବାକୁ ମିଳୁଛି। ଏନେଇ ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ଗୋବର୍ଦ୍ଧନ ନାୟକଙ୍କୁ ଯୋଗାଯୋଗ କରାଯାଇଥିଲା। ପୁରୁଣା ଚୁକ୍ତିକୁ ତର୍ଜମା କଲା ପରେ ବିହିତ ପଦକ୍ଷେପ ହେବ ବୋଲି ସେ ପ୍ରତିକ୍ରିୟା ରଖିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/03/gdjjgddgjgjdgj.jpg)