ଅନୁଗୁଳ: ରାସ୍ତାରେ ବଡ଼ ବଡ଼ ଖାଲ। କେଉଁଠି ଆଣ୍ଠୁଏ ପାଣି ତ କିଛି ଜାଗାରେ କୃତ୍ରିମ ହ୍ରଦ ଭଳି ସ୍ଥିତି। ଇଏ କେଉଁ ଅପନ୍ତରା ଗାଁର ଅଜଣା ରାସ୍ତାର ଚିତ୍ର ନୁହେଁ। ବରଂ, ଶିଳ୍ପ କରିଡର୍ କୁହାଯାଉଥିବା ୧୪୯ ନମ୍ବର ଜାତୀୟ ରାଜପଥର ଅବସ୍ଥା। ବଅଁରପାଳରୁ ତାଳଚେରକୁ ସଂଯୋଗ କରୁଥିବା ଏହି ଗୁରୁତ୍ବପୂର୍ଣ୍ଣ ରାସ୍ତା ଅତି ଦୟନୀୟ ଅବସ୍ଥାରେ ରହିଛି। ବଡ଼ କଥା ହେଲା, ପୁଣି କିଛି ସ୍ଥାନରେ ରାସ୍ତା ବୋଲି କିଛି ନାହିଁ। ସେଥିପାଇଁ ଏହି ରାସ୍ତାରେ ଛୋଟମୋଟ କାର୍ ଯିବା ଦୂର କଥା, ଯାତ୍ରୀବାହୀ ବସ୍ ବି ଚାଲିପାରୁନି। ଅନୁଗୁଳ-ତାଳଚେର ଶିଳ୍ପ କରିଡର୍ର ବିକାଶ ପାଇଁ ସରକାର ବେଶ୍ ଗୁରୁତ୍ବ ଦେଉଥିବା କହୁଛନ୍ତି। ଭିତ୍ତିଭୂମି ବିକାଶକୁ ପ୍ରାଥମିକତା ଦେଉଥିବା ବାରମ୍ବାର ଦୋହରାଉଛନ୍ତି। କିନ୍ତୁ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଓଲଟା। ତାଳଚେରକୁ ଅନୁଗୁଳ ସହ ଯୋଡ଼ୁଥିବା ୧୪୯ ନମ୍ବର ଜାତୀୟ ରାଜପଥକୁ ଦେଖିଲେ ଯେ କେହି ସହଜରେ ଅନୁମାନ କରିପାରିବ ସରକାରଙ୍କ ଦରଦ। ବଅଁରପାଳରୁ ଆରମ୍ଭ ହୋଇଥିବା ଏହି ଜାତୀୟ ରାଜପଥ ତାଳଚେର ଦେଇ ପାଳଲହଡ଼ାକୁ ଛୁଇଁଛି। ଏହି ରାସ୍ତାରେ ନିତି ହଜାର ହଜାର ଟ୍ରକ୍ ଚାଲୁଛି। ବିଭିନ୍ନ ଶିଳ୍ପାନୁଷ୍ଠାନକୁ ମାଲ୍ ପରିବହନ ସହ କୋଇଲା ଯାଉଛି। ଏହା ବାଦ୍ ଅନୁଗୁଳ, ଢେଙ୍କାନାଳ ସମେତ ଦେବଗଡ଼, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାର ଲୋକ ଏହି ରାସ୍ତା ଉପରେ ନିର୍ଭର କରୁଛନ୍ତି। ହେଲେ ରାସ୍ତା ବୋଲି ଯାହା ଅଛି ତାହା କେବଳ ମରଣଯନ୍ତା।
ବଅଁରପାଳ ପଟରୁ ଏହି ରାସ୍ତାରେ ଗଲେ ଗୋଟିଏ କିଲୋମିଟର ନ ଯାଉଣୁ ଆରମ୍ଭ ହୋଇଯିବ ଯମଯନ୍ତ୍ରଣା। ମେଡିକାଲ ସମ୍ମୁଖ ଓଭରବ୍ରିଜର ଆପ୍ରୋଚ୍ ରାସ୍ତାରେ ମାଟି ମୁଠାଏ ନାହିଁ। ଏଣୁ ଓଭରବ୍ରିଜ୍ର ଦୁଇ ପଟ ଖାଲ ହୋଇ ରହିଛି। ଏଥିରେ ଗାଡ଼ି ପଡ଼ିଲେ ଭାଙ୍ଗିବା ଥୟ। ପରେ ଅପର୍ତ୍ତିପୁର ଛକରେ ବଡ଼ ବଡ଼ ଖାଲ। ଗୋତମରା ଛକ, ଶିବା ମାର୍ବଲ ଛକ, ରେଙ୍ଗାଳି କେନାଲ ପୋଲ, ଲିଙ୍ଗରାକଟା ଛକ, ଜିଓ ପେଟ୍ରୋଲ ପମ୍ପ ସମ୍ମୁଖ, କ୍ଲାସିକ୍ ଗ୍ୟାରେଜ ନିକଟ ଓ ଇଣ୍ଡିଆନ ଅଏଲ ଛକରେ ୩ରୁ ୫ଫୁଟ ପର୍ଯ୍ୟନ୍ତ ଖାଲ ହୋଇଛି। ଗୋଟିଏ ଗୋଟିଏ ସ୍ଥାନରେ ୪ରୁ ୫ଟି ଖାତ ସୃଷ୍ଟି ହୋଇଛି। ଫଳରେ ଗାଡ଼ି ନେବା ସମ୍ଭବ ହେଉନି।
ଏମିତି ଚାଇଁପାଳ ପର୍ଯ୍ୟନ୍ତ ରାସ୍ତାର ଦୟନୀୟ ଅବସ୍ଥା। ଏହା ପରେ ବି ସ୍ଥିତି ଭଲ ନାହିଁ। ଚାଇଁପାଳ ଓଭରବ୍ରିଜର ଉଭୟ ପାର୍ଶ୍ବରେ ୩ ଫୁଟିଆ ଗାତ ହୋଇ ଯାଇଛି। ଏଥିରେ କାର୍ କିମ୍ବା ଛୋଟ ଗାଡ଼ି ଫସିଗଲେ ଆଉ ବାହାରିବାର ବାଟ ନାହିଁ। ପରେ ନନ୍ଦିରା ପୋଲ, ଆନନ୍ଦବଜାର ଛକ, ନୂଆପଡ଼ା ଗାଁ ନିକଟରେ ବି ଜାତୀୟ ରାଜପଥର ଅବସ୍ଥା ଭଲ ନାହିଁ। ବହ୍ଲର ଛକ ପର୍ଯ୍ୟନ୍ତ ୩୦ଟି ଗାତ ଭିତରେ ଗାଡ଼ି ନେବାକୁ ପଡ଼ିବ। ଫଳରେ ଏହି ରାସ୍ତାରେ ଯାଉଥିବା ଗାଡ଼ିଗୁଡ଼ିକ ବ୍ରେକ୍ ଡାଉନ୍ ହେଉଛି। କିଛି ଗାଡ଼ି ଗାତରୁ ବାହାରି ପାରୁ ନାହାନ୍ତି ତ କାହାର ପତି ଛିଣ୍ଡି ଯାଉଛି। ଏହା ଟ୍ରାଫିକ ବ୍ୟବସ୍ଥାକୁ ବିଗାଡ଼ି ଦେଉଛି। ଏପଟେ ତାଳଚେରରୁ ଗୋଡ଼ିବନ୍ଧ ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ବି ଅତି ଖରାପ। ରେଲୱେ ଓଭରବ୍ରିଜ ନିକଟରେ ରାସ୍ତା ଖାଲ ହୋଇ ପାଣି ଭର୍ତ୍ତି ହୋଇ ରହିଛି। ଏଥିପାଇଁ ଲୋକମାନେ ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି। ବାରମ୍ବାର ଅଭିଯୋଗ ବି ହେଉଛି। ହେଲେ ସରକାର କି ପ୍ରଶାସନର ନଜର ପଡ଼ୁନି। ଏହାକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି।