ଝାରସୁଗୁଡା: ଶନିବାର ଝାରସୁଗୁଡାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ 'ଜୟ ଜଗନ୍ନାଥ', 'ଜୟ ମା’ ସମଲେଇ, ଜୟ ମା’ ରାମଚଣ୍ଡୀ ' କହି ନିଜର ଉଦ୍ବୋଧନ ଆରମ୍ଭ କରିଥିଲେ। ଓଡ଼ିଶାରେ କଳା ପ୍ରତି ରହିଥିବା ଭଲ ପାଇବା ସାରା ବିଶ୍ୱରେ ବିଖ୍ୟାତ। ଦେଢ଼ ବର୍ଷ ତଳେ ରାଜ୍ୟବାସୀ ଏକ ନୂଆ ସଂକଳ୍ପ ନେଇ ଆଗକୁ ଆସିଥିଲେ। ତାହା ହେଲା ବିଧାନସଭା ନିର୍ବାଚନରେ ପରିବର୍ତ୍ତନ। ଏବେ ଡବଲ ଇଞ୍ଜିନ ସରକାର ଡବଲ ଗତିରେ ଆଗକୁ ବଢୁଛି। ଆଜି ଆରମ୍ଭ ହୋଇଥିବା ବିଏସଏନଏଲ ୪ଜି ସେବା ସମ୍ପୂର୍ଣ ସ୍ବଦେଶୀ ଜ୍ଞାନ କୌଶଳରେ ପରିଚାଳିତ, ଯାହା ଅତି ସହଜରେ ୫ଜି କୁ ରୂପାନ୍ତରିତ ହୋଇପାରିବ।
ଆଜି ବିଏସଏନଏଲ ଏହାର ୨୫ ତମ ପ୍ରତିଷ୍ଠା ଦିବସ ପାଳନ କରୁଥିବା ବେଳେ ଏହି ଆରମ୍ଭ ଦେଶ ପାଇଁ ବେଶ ଗୁରୁତ୍ୱପୂର୍ଣ। ଏହି ସ୍ବଦେଶୀ ଜ୍ଞାନ କୌଶଳ ପାଇଁ ବୈଷୟିକ ଶିକ୍ଷା ଉପରେ ଗୁରୁତ୍ୱାରୋପ କରାଯାଉଛି, ଭୁବନେଶ୍ୱର ସେମି କଣ୍ଡକ୍ଟର ନିର୍ମାଣର ହବ ହେବାକୁ ଯାଉଛି. ଉନ୍ନତ ଦେଶଙ୍କ ପାଖରେ ଜାହାଜ ନିର୍ମାଣ କ୍ଷମତା ଥାଏ। ତେଣୁ କେନ୍ଦ୍ର ସରକାର ଏଥିପାଇଁ ୭୦ ହଜାର କୋଟି ଟଙ୍କା ମଞ୍ଜୁର କରିଥିବା ବେଳେ ପାରାଦ୍ୱୀପରୁ ଝାରସୁଗୁଡାକୁ ଓଉଦ୍ୟୋଗୀକ ହବ୍ ଭାବେ ଗଢ଼ାଯାଉଛି। ଏହାଦ୍ୱାରା ସ୍ଥାନୀୟ ଯୁବଗୋଷ୍ଠୀ ଘର ପାଖରେ ବୈଷୟିକ ଶିକ୍ଷା ପାଇବା ସହ ଚାକିରି ବି ପାଇପାରିବେ।
ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ କଂଗ୍ରେସକୁ କଡା ସମାଲୋଚନା କରିଥିଲେ। ଏବେ କେନ୍ଦ୍ର ସରକାର ଜିଏସଟି ରିଫର୍ମ କରିଥିବା ବେଳେ ହିମାଚଳରେ ଥିବା କଂଗ୍ରେସ ସରକାର କିନ୍ତୁ ନୂଆ ଏକ ଟ୍ୟାକ୍ସ ଲଗାଇ ସେଠାକାର ଲୋକଙ୍କୁ ଲୁଟିବାକୁ ଉଦ୍ୟମ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ତେଣୁ ଦେଶବାସୀ କଂଗ୍ରେସଠାରୁ ଦୁରେଇ ରୁହନ୍ତୁ ବୋଲି କହିଛନ୍ତି।
ଏହି ଅବସରରେ ପ୍ରଧାନମନ୍ତ୍ରୀ ୬୦ ହଜାର କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇଛନ୍ତି। ବଟନ୍ ଚିପି ଦେଶର ୮ଟି ଆଇଆଇଟିର କ୍ଷମତା ବୃଦ୍ଧି ପ୍ରକଳ୍ପ, ସମ୍ବଲପୁର ସିଟି ଓ ସର୍ଲା ମଧ୍ୟରେ ରେଳ ଫ୍ଲାଇଓଭର ପ୍ରକଳ୍ପ, ଭୁବନେଶ୍ବରରେ ସେମି କଣ୍ଡକ୍ଟର ଓ ଇଏସ୍ଡିଏମ୍ ପାର୍କ ପ୍ରତିଷ୍ଠା ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ସମଗ୍ର ଦେଶରେ ବିଏସ୍ଏନ୍ଏଲ ୪ଜି ସେବା ଆରମ୍ଭ ପ୍ରକଳ୍ପ, ବୈଷୟିକ ଶିକ୍ଷା କ୍ଷେତ୍ରରେ ବହୁବିଧ ଶିକ୍ଷା ଓ ଗବେଷଣା ବିକାଶ ଯୋଜନା (ଏମ୍ଏଇଆର୍ଆଇଟିଇ), ରାଜ୍ୟ ସରକାରଙ୍କ ବିଶ୍ବସ୍ତରୀୟ ଦକ୍ଷତା ବିକାଶ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ରାଜ୍ୟର ୧୩୦ଟି ୱାଇଫାଇ ଯୁକ୍ତ ଉଚ୍ଚ ଶିକ୍ଷାନୁଷ୍ଠାନର ଉଦ୍ଘାଟନ ମଧ୍ୟ କରିଛନ୍ତି।
ଏହି ଅବସରରେ ପ୍ରଧାନମନ୍ତ୍ରୀ କୋରାପୁଟରୁ ବୈଗୁଡ଼ା ମଧ୍ୟରେ ରେଳ ଲାଇନ୍ ଓ ମାନାବାର- କୋରାପୁଟ- ଗୋରାପୁର ରେଳ ଲାଇନ୍ର ଡବଲିଂ ପ୍ରକଳ୍ପ ଦେଶବାସୀଙ୍କ ପାଇଁ ଉତ୍ସର୍ଗୀକୃତ କରିଛନ୍ତି। ଏହାସହିତ ଭିମ୍ସାର ଓ ଏମ୍କେସିଜି ମେଡିକାଲ କଲେଜର ଉନ୍ନତିକରଣ ପାଇଁ ତିଆରି ହୋଇଥିବା ମାଷ୍ଟର ପ୍ଲାନ୍କୁ ପ୍ରଧାନମନ୍ତ୍ରୀ ଲୋକାର୍ପଣ କରିଥିଲେ। ବ୍ରହ୍ମପୁରରୁ ସୁରଟ ଯାଏ ଅମୃତ ଭାରତ ଟ୍ରେନ୍ ସେବକୁ ପତାକା ଦେଖାଇ ଆରମ୍ଭ କରିବା ସହ ଅନ୍ତୋର୍ଦ୍ଦୟ ଗୃହ ଯୋଜନାରେ ୫୦ ହଜାର ପରିବାରକୁ ଗୃହ ନିର୍ମାଣ ପାଇଁ ମଞ୍ଜୁରି ପତ୍ର ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱାଗତ ଭାଷଣ ଦେଇ ' ଆଜିର ଏହି ପର୍ବ ଯୁବକଙ୍କ ପାଇଁ ସମର୍ପିତ। ଯୁବକଙ୍କ ପାଇଁ ପ୍ରଧାନମନ୍ତ୍ରୀ ପ୍ରେରଣାର ଉତ୍ସ। ଅପରେସନ ସିନ୍ଦୁରକୁ ନେଇ ପ୍ରଧାନମନ୍ତ୍ରୀ ଦେଖାଇଥିବା ସାହସ ପାଇଁ ସମଗ୍ର ଦେଶ ଆଦର୍ଶ ପାଲଟିଯାଇଛି। ରାଜ୍ୟରେ ବିଜେପି ସରକାର ଆସିବା ପରେ ପ୍ରଧାନମନ୍ତ୍ରୀ ୭ ଥର ଓଡିଶା ଗସ୍ତ କଲେଣି' ବୋଲି କହିଥିଲେ। ମଞ୍ଚରେ ରାଜ୍ୟପାଳ କମ୍ଭମପତି ହରିବାବୁ, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ଉପ ମୁଖ୍ୟମନ୍ତ୍ରୀ କେ ଭି ସିଂଦେଓ, ପ୍ରଭାତୀ ପରିଡା, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ପଞ୍ଚାୟତି ରାଜ ମନ୍ତ୍ରୀ ରବି ନାୟକ, ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟାବଂଶୀ ସୁରଜ, ସାଂସଦ ପ୍ରଦୀପ ପୁରୋହିତ, ବୈଜୟନ୍ତ ପଣ୍ଡା, ବିଧାୟକ ଜୟ ନାରାୟଣ ମିଶ୍ର, ଟଙ୍କଧର ତ୍ରିପାଠୀ ଉପସ୍ଥିତ ଥିଲେ।
ଆଭାସୀ ଯୋଗେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେ ରାମ ମୋହନ ନାଇଡ଼ୁ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା, କେନ୍ଦ୍ରମନ୍ତ୍ରୀ ବି. ଚୌଧୁରୀ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିସ୍ଵାଶର୍ମା, ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ପଟେଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଡ. ଜିତେନ୍ଦ୍ର ସିଂ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଉପସ୍ଥିତ ଥିଲେ।