ସମ୍ବଲପୁର: ‘ଜିଁଛୁ ବେଲ୍‌କେ ଆସ ଭାଇବନ୍ଧୁ ହେମା ନୂଆଁଖାଇ ଭେଟ୍‌, ସଂସାର୍‌ ଡୋର ଥି ବନ୍ଧା ହେଇ ଥିମା ଗାଁ ଯାକର..’। ‘ନୂଆଁଖାଇ ଆଜି ସରକାରୀ ଓ ବିରୋଧୀ, ସମସ୍ତ ନେତୃତ୍ବକୁ ଏକତ୍ରିତ କରିଛି। ଗୋଟିଏ ଦିନରେ ଏହାକୁ ସୀମିତ ନ ରଖି ଅଧିକ ଦିନ ପର୍ଯ୍ୟନ୍ତ ନୂଆଁଖାଇ ପାଳନ ପାଇଁ ନୂଆଁଖାଇ ଭେଟ କାର୍ଯ୍ୟକ୍ରମ ଆୟୋଜନ ନିଆରା ଅନୁଭବ ସୃଷ୍ଟି କରୁଛି। ଆମ ସମାଜର ପାରିବାରିକ ପ୍ରେମ ଓ ସମୃଦ୍ଧିର ପର୍ବ ହେଉଛି ନୂଆଁଖାଇ। ଧାନ କେବଳ ଖାଦ୍ୟଶସ୍ୟ ନୁହେଁ, ଚାଷୀଙ୍କ ପରିଶ୍ରମର ଫଳ। ସମସ୍ତ ପ୍ରକାର ପ୍ରାକୃତିକ ବିପର୍ଯ୍ୟୟ ସତ୍ତ୍ବେ ଚାଷୀ ଏହାର ଉତ୍ପାଦନ କରନ୍ତି। ପଶ୍ଚିମ ଓଡ଼ିଶାର ରାଉରକେଲା, ଝାରସୁଗୁଡ଼ା ଓ ବରଗଡ଼ର କିଛି ଅଞ୍ଚଳ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ଶିଳ୍ପ ନାହିଁ। ତେଣୁ ରାଜ୍ୟର ପ୍ରତିଟି ଜିଲ୍ଲାରେ ଶିଳ୍ପାୟନ କରାଯିବ। ରାଜ୍ୟ ସରକାର ପୂର୍ବ ଓଡ଼ିଶାରୁ ପଶ୍ଚିମ ଓଡ଼ିଶା ପର୍ଯ୍ୟନ୍ତ ପାରାଦୀପ-ଚୌଦ୍ବାର-ଢେଙ୍କାନାଳ-ଅନୁଗୁଳ-ସମ୍ବଲପୁର-ଝାରସୁଗୁଡ଼ା-ସୁନ୍ଦରଗଡ଼-ରାଉରକେଲାକୁ ସଂଯୋଗ କରୁଥିବା ଏକ ଶିଳ୍ପ କରିଡର୍‌ ବିକଶିତ କରିବେ’। ସମ୍ବଲପୁରରେ ଆୟୋଜିତ ରାଜ୍ୟସ୍ତରୀୟ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ହଳଧର ନାଗଙ୍କ କବିତାରୁ ଆରମ୍ଭ କରି ରଖିଥିବା ନିଜ ବକ୍ତବ୍ୟରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ ଆହୁରି କହିଛନ୍ତି, ବିପ୍ଳବୀ ସୁରେନ୍ଦ୍ର ସାଏଙ୍କ ଜନ୍ମଭୂମି ଖିଣ୍ଡା ସହିତ ସମସ୍ତ ସ୍ବାଧୀନତା ସଂଗ୍ରାମୀଙ୍କ ପୀଠର ଉନ୍ନତୀକରଣ କରାଯିବ।

ସରକାର ଓ ବିରୋଧୀଙ୍କୁ ଏକାଠି କରିଛି ନୂଆଁଖାଇ: ମୁଖ୍ୟମନ୍ତ୍ରୀ

Advertisment

ପଶ୍ଚିମ ଓଡ଼ିଶାର ଆଭ୍ୟନ୍ତରୀଣ ଅଞ୍ଚଳରେ ଏକ ସ୍ବତନ୍ତ୍ର ପର୍ଯ୍ୟଟନ କ୍ଷେତ୍ର ବିକଶିତ କରିବାକୁ ଯୋଜନା କରାଯାଉଛି। ଏଥିରେ ହୀରାକୁଦ ଜଳଭଣ୍ଡାର, ଡେବ୍ରିଗଡ଼ ଜଙ୍ଗଲର ଆକର୍ଷଣୀୟ ସୌନ୍ଦର୍ଯ୍ୟ ଓ ବନ୍ୟପ୍ରାଣୀ ଏବଂ ନିକଟବର୍ତ୍ତୀ ସମ୍ବଲପୁର ସହର ଓ ମା’ ସମଲେଇଙ୍କ ମନ୍ଦିରର ବିକାଶ କାର୍ଯ୍ୟ ହାତକୁ ନିଆଯିବ। ହରିଶଙ୍କର-ନୃସିଂହନାଥ ପୀଠକୁ ସ୍ୱତନ୍ତ୍ର ଭାବେ ବିକଶିତ କରାଯିବ। ରାଜ୍ୟର କୃଷକ ପରିବାରଙ୍କ ଆୟ କେବଳ ଦୁଇ ଗୁଣ ନୁହେଁ, ବହୁଗୁଣିତ କରିବା ପାଇଁ ସରକାର ପ୍ରତିବଦ୍ଧ। ବିଗତ ଦିନରେ ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ହୋଇଛି। ଆଗାମୀ ଦିନରେ କ୍ୟାବିନେଟ୍‌ ବୈଠକ ମଧ୍ୟ ହେବ। ଜିଏସ୍‌ଟି ଛାଡ଼ ପ୍ରଧାନମନ୍ତ୍ରୀଙ୍କ ବଡ଼ ଉପହାର ଅଟେ। ଏହା ଫଳରେ ରାଜ୍ୟର ୧୫ ପ୍ରତିଶତ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଶସ୍ତା ହେବ। ସାର ଏବଂ କୃଷି ଉପକରଣରେ ଜିଏସ୍‌ଟି କମିଥିବାରୁ ଚାଷୀମାନେ ବିଶେଷ ଭାବରେ ଉପକୃତ ହୋଇ ପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। 

ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଲେ, କେବଳ ଓଡ଼ିଶା ନୁହେଁ; ଭାରତକୁ ପଶ୍ଚିମ ଓଡ଼ିଶାରୁ ଚାଉଳ ରପ୍ତାନି ହେଉଛି। ଯେଉଁମାନଙ୍କର ମୁଖ୍ୟ ପର୍ବ ନୂଆଁଖାଇ। ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଲେ, ସମସ୍ତଙ୍କ ମଙ୍ଗଳର ବାର୍ତ୍ତା ଦେଉଥିବା ପର୍ବ ହେଲା ନୂଆଁଖାଇ। କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ, ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ, ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ, ଆଠମଲ୍ଲିକ ବିଧାୟକ ନଳିନୀକାନ୍ତ ପ୍ରଧାନ, ବରଗଡ଼ ବିଧାୟକ ଅଶ୍ବିନୀ ଷଡ଼ଙ୍ଗୀ, ଟିଟିଲାଗଡ଼ ବିଧାୟକ ନବୀନ ଜୈନ, ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲ, ଦେବଗଡ଼ ବିଧାୟକ ରୋମାଞ୍ଚ ରଂଜନ ବିଶ୍ବାଳ, କଣ୍ଟାମାଳ ବିଧାୟକ କହ୍ନେଇ ଚରଣ ଡାଙ୍ଗ, ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ, ବିଜେପୁର ବିଧାୟକ ସନତ ଗଡ଼ତିଆ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶୋଭାଗିନୀ ନାଏକ ଉପସ୍ଥିତ ଥିଲେ। ଏହି ଅବସରରେ ୨୦୦ ଛାତ୍ରଛାତ୍ରୀଙ୍କୁ ନେଇ ସମ୍ବଲପୁରୀ ନାଚ ପରିବେଷିତ ହୋଇଥିଲା।