ରାଜ୍ୟର କାରଖାନାକୁ ପର୍ଯ୍ୟାପ୍ତ କୋଇଲା ଯୋଗାଅ, ଏମ୍‌ସିଏଲ୍‌ରେ ଶିଳ୍ପ ବିସ୍ଥାପିତ ସଚେତନ ମଂଚର ବିକ୍ଷୋଭ

ବୁର୍ଲା : ଓଡ଼ିଶାରେ ଥିବା କାରଖାନାମାନଙ୍କୁ ଅଗ୍ରାଧିକାର ଭିତ୍ତିରେ କୋଇଲା ଯୋଗାଇବା ଦାବିରେ ଏମ୍‌ସିଏଲ୍‌ ମୁଖ୍ୟାଳୟ ସମ୍ମୁଖରେ ଗୁରୁବାର ଦିନ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କେନ୍ଦ୍ର ସରକାରଙ୍କ ଚାପରେ ଆସି ଏବେ ରାଜ୍ୟ ବାହାରକୁ କୋଇଲା ଚାଲାଣ କରାଯାଉଛି। ଏହାର ଦୃଢ଼ ପ୍ରତିବାଦ କରିବା ସହିତ ଦାବିପୂରଣ ନହେଲେ ତୀବ୍ର ଆନ୍ଦୋଳନ କରାଯିବ ବୋଲି ଆଞ୍ଚଳିକ ଶିଳ୍ପ ବିସ୍ଥାପିତ ସଚେତନ ମଞ୍ଚ ଭାରତ କୋଇଲା କମିସନରଙ୍କ ଉଦ୍ଦେଶ୍ୟରେ ପ୍ରଦତ୍ତ ଦାବିପତ୍ରରେ ସ‌ତର୍କ କରାଇଦିଆଯାଇଛି।

ଏମ୍‌ସିଏଲ୍ ବାର୍ଷିକ ୧୪୪ ମିଲିୟନ ଟନ୍ କୋଇଲା ଉତ୍ପାଦନ କରୁଛି। ଓଡ଼ିଶାରେ ବିଦ୍ୟୁତ ଉତ୍ପାଦନ କରୁଥିବା ପ୍ରାୟ ୪୦ଟି ଛୋଟବଡ଼ କାରଖାନା ରହିଛି। ଏସବୁ କାରଖାନା ପାଇଁ ପ୍ରାୟ ୮୫ ମିଲିୟନ ଟନ୍ କୋଇଲାର ଆବଶ୍ୟକତା ରହିଛି। ଏଥିପାଇଁ ଦୈନିକ ୩୪ଟି କୋଇଲା ରୢାକ ଯୋଗାଇବା ଦରକାର। କୋଇଲା ଖଣିଗୁଡ଼ିକଠାରୁ ଏସବୁ କାରଖାନା ପ୍ରାୟ ଶହେ କିଲୋମିଟର ଦୂରତା ମଧ୍ୟରେ ଥିବାରୁ କୋଇଲାର ଯୋଗାଇବା ଅସୁବିଧା ହେବା କଥା ନୁହେଁ। ମାତ୍ର କେନ୍ଦ୍ର ସରକାରଙ୍କ ଚାପ ଯୋଗୁ ଏମ୍‌ସିଏଲ୍ ରାଜ୍ୟ ବାହାରକୁ ଅଧିକ ‌କୋଇଲା ଯୋଗାଣ କରୁଛି। ଏଭଳି ହେଲେ ସ୍ଥାନୀୟ କାରଖାନାଗୁଡ଼ିକର ଉତ୍ପାଦନ ପ୍ରଭାବିତ ହେବ। କେବଳ ସେତିକି ନୁହେଁ, କାରଖାନା ବନ୍ଦ ହେବା ସହିତ ପ୍ରାୟ ୩୦ ପ୍ରତିଶତ ଶ୍ରମିକ କର୍ମଚାରୀ ମଧ୍ୟ ବେରୋଜଗାର ହୋଇଯିବ। ରାଜ୍ୟ ରାଜକୋଷକୁ ବି କ୍ଷତି ସହିବାକୁ ପଡ଼ିବ। ଏଣୁ, ରାଜ୍ୟର କାରଖାନାଗୁଡ଼ିକୁ ଆବଶ୍ୟକତା ମୁତାବକ କୋଇଲା ଯୋଗାଇବାକୁ ଝାରସୁଗୁଡ଼ାର ଆଞ୍ଚଳିକ ଶିଳ୍ପ ବିସ୍ଥାପିତ ସଚେତନ ମଞ୍ଚ ପକ୍ଷରୁ ଏମ୍‌ସିଏଲ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକଙ୍କୁ ଗତ ୧୬ ତାରିଖ ଦିନ ଏକ ଦାବିପତ୍ର ଦିଆଯାଇଥିଲା। ଦାବିପୂରଣ ନହେଲେ ଆନ୍ଦୋଳନ କରିବାକୁ ଚେତାବନୀ ଦିଆଯାଇଥିଲା।

ଦାବିପୂରଣ ନହେବାରୁ ଗୁରୁବାର ଦିନ ଏମ୍‌ସିଏଲ୍ ମୁଖ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ପରେ ମଞ୍ଚର ଏକ ପ୍ରତିନିଧି ଦଳ ବୁର୍ଲାର ଜାଗୃତି ବିହାରଠାରେ ଏମ୍‌ସିଏଲ୍‌ର ମହାପ୍ରବନ୍ଧକ(କାର୍ମିକ) ଆର୍‌ଏଲ୍ ଥାଟିକଙ୍କୁ ଏ ବାବଦରେ ୭ ଦଫା ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରିଥିଲେ। ବିଶେଷ କରି ରାଜ୍ୟର ଅର୍ଥନୀତିର ଅଭିବୃଦ୍ଧି ପାଇଁ ଆବଶ୍ୟକ ହେଉଥିବା ସମସ୍ତ କାରଖାନାକୁ କୋଇଲା ଯୋଗାଣ, କୋଇଲା ଆବଶ୍ୟକତା ଦୂର କରିବା, ସାମାଜିକ-ଅର୍ଥନୀତି ଅଭିବୃଦ୍ଧି ପାଇଁ ପଦକ୍ଷେପ ନିଆଯିବା, ଖଣି ଓ କଳକାରଖାନାରେ ନିଯୁକ୍ତି ସୃଷ୍ଟି କରିବା ଆଦି ଏଥିରେ ଉଲ୍ଲେଖ ରହିଛି। ମଞ୍ଚର ସଭାପତି ତାପସ ରାୟ ଚୌଧୁରୀ, ଉପସଭାପତି ରବି ସିଂ, ସାଧାରଣ ସମ୍ପାଦକ ପି.ରାମ୍ ମୋହାନ ରାଓ, ସିଦ୍ଧାର୍ଥ ସରକାର ପ୍ରମୁଖ ଆନ୍ଦୋଳନର ନେତୃତ୍ବ ନେଇଥିଲେ। ଆନ୍ଦୋଳନରେ ଶତାଧିକ ବିସ୍ଥାପିତ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର