ଶିଳ୍ପ ସଂସ୍କାର ପାଇଁ ଓଡ଼ିଶା ସରକାରଙ୍କ ମାରାଥନ୍ ସଚେତନତା ଅଭିଯାନ

ଭୁବନେଶ୍ଵର : ରାଜ୍ୟ ସରକାରଙ୍କ ଶିଳ୍ପ ବିଭାଗ ଏବଂ ଇପିକଲଙ୍କ ମିଳିତ ପ୍ରଚେଷ୍ଟାରେ ଆରମ୍ଭ ହୋଇଛି ଶିଳ୍ପ ସଂସ୍କାର ସଚେତନତା ଅଭିଯାନ। ଆଜି ଅନୁଗୁଳଠାରୁ ଏହାର ଶୁଭାରମ୍ଭ ହୋଇଛି। ଆସନ୍ତା ୮ ତାରିଖ ଯାଏ ଏହି କାର୍ଯ୍ୟକ୍ରମ ଚାଲିବ, ଯେଉଁଥିରେ ଶିଳ୍ପ ବିଭାଗର ବରିଷ୍ଠ ଅଧିକାରୀମାନେ ଜିଲ୍ଲାସ୍ତରରେ ବିଭିନ୍ନ ଶିଳ୍ପାନୁଷ୍ଠାନ ପ୍ରତିନିଧିମାନଙ୍କୁ ଗୋଟିଏ ମଞ୍ଚରେ ଏକାଠି କରି ଶିଳ୍ପ ସଂସ୍କାର ବିଷୟରେ ଅବଗତ କରାଇବେ। ଏହି ଅଭିଯାନରେ ରାଜ୍ୟର ୭୨୦ରୁ ଅଧିକ ଶିଳ୍ପାନୁଷ୍ଠାନଙ୍କ ପାଖରେ ପହଞ୍ଚିବାର ଲକ୍ଷ୍ୟ ରଖିଛି ଶିଳ୍ପ ବିଭାଗ।

ନାଲକୋ ଅଡିଟୋରିୟମ୍ଠାରେ ହୋଇଥିବା ଆଜିର ପ୍ରଥମ କର୍ମଶାଳାରେ ଅନୁଗୁଳ, ବୌଦ୍ଧଳ ଢେଙ୍କାନାଳ, କନ୍ଧମାଳ, କେନ୍ଦୁଝର ପ୍ରଭୃତି ଜିଲ୍ଲାରେ ଶିଳ୍ପ ସ୍ଥାପନ କରିଥିବା ଅନୁଷ୍ଠାନମାନେ ଯୋଗ ଦେଇଥିଲେ। ୨୩ ତାରିଖରେ ଭୁବନେଶ୍ଵରରେ ଏକ କର୍ମଶାଳା ଆୟୋଜନ କରାଯାଇଛି। ଏହି କର୍ମଶାଳାରେ ଖୋର୍ଦ୍ଧା, କଟକ, ପୁରୀ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା ପ୍ରଭୃତି ଜିଲ୍ଲାର ପାଖାପାଖି ୧୪୪ ଶିଳ୍ପାନୁଷ୍ଠାନ ଏବଂ ସେମାନଙ୍କ ପ୍ରତିନିଧି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ସେହିପରି ୩୧ ତାରିଖରେ ଶିଳ୍ପ ବିଭାଗର ବରିଷ୍ଠ ଅଧିକାରୀମାନେ ବ୍ରହ୍ମପୁରଠାରେ ଦକ୍ଷିଣ ଓଡ଼ିଶାରେ ସ୍ଥାପିତ ଶିଳ୍ପାନୁଷ୍ଠାନ, ନଭେମ୍ବର ୫ ତାରିଖରେ ସମ୍ବଲପୁରଠାରେ ପଶ୍ଚିମାଞ୍ଚଳରେ ସ୍ଥାପିତ ଶିଳ୍ପାନୁଷ୍ଠାନ, ୬ ନଭେମ୍ବରରେ ସୁନ୍ଦରଗଡ଼ର ଶିଳ୍ପାନୁଷ୍ଠାନଗୁଡ଼ିକୁ ବିଭାଗ ପକ୍ଷରୁ ଶିଳ୍ପ ସଂସ୍କାର ବିଷୟରେ ସଚେତନ କରିବା ଲକ୍ଷ୍ୟ ରଖାଯାଇଛି। ବାଲେଶ୍ଵରଠାରେ ନଭେମ୍ବର ୮ ତାରିଖରେ ଏହିଭଳି ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହେବ। ଏଥିରେ ବାଲେଶ୍ଵର, ଭଦ୍ରକ, ମୟୁରଭଞ୍ଜରେ କାର୍ଯ୍ୟକରୁଥିବା ୧୪୧ ଶିଳ୍ପାନୁଷ୍ଠାନ ଯୋଗ ଦେବେ।

ସମ୍ବନ୍ଧିତ ଖବର