ଉପକୂଳରେ ଶିଳ୍ପ ଲଢ଼େଇ

ପାରାଦୀପରେ କେନ୍ଦ୍ର, କଳିଙ୍ଗନଗରରେ ରାଜ୍ୟ

ଯାଜପୁର/ଜଗତ୍‌ସିଂହପୁର : ଶିଳ୍ପାୟନ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଯେଉଁ ପ୍ରସ୍ତାବିତ ଚିତ୍ର ରହିଛି, ସେଥରେ ‘ଫୋକସ୍‌’ରେ ରହିଛି ଯାଜପୁର ଓ ପାରାଦୀପ। ଉଭୟ ସରକାର ଉପକୂଳର ଏହି ପ୍ରମୁଖ ସ୍ଥାନରେ ନିଜର ପ୍ରଭାବ ବିସ୍ତାର କରିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି। ଶିଳ୍ପାୟନ ନାଁରେ ବଳ କଷାକଷି ଆରମ୍ଭ କରିଛନ୍ତି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଗତକାଲିର ଶିଳ୍ପ ଭିତ୍ତିକ କାର୍ଯ୍ୟକ୍ରମରୁ ଏହା ହିଁ ଅନୁମାନ କରାଯାଉଛି।

ଗତକାଲି ଭୁବନେଶ୍ୱରଠାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପେଟ୍ରୋ ରସାୟନ ସମ୍ମିଳନୀର ଆୟୋଜନ କରାଯାଇଥିଲା। ଏଥିରେ ଯେଉଁ ୩୦ ହଜାର କୋଟି ଟଙ୍କାରୁ ଊର୍ଦ୍ଧ୍ୱ ପୁଞ୍ଜିନିବେଶ ସମ୍ଭାବନା କଥା କୁହାଯାଇଛି, ସେଥିରେ ପାରାଦୀପକୁ ସ୍ୱତନ୍ତ୍ର ଭାବେ ସ୍ଥାନ ପାଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ପେଟ୍ରୋଲିୟମ, ରସାୟନ ଓ ପେଟ୍ରୋରସାୟନରେ ପୁଞ୍ଜିନିବେଶ ପାଇଁ ପାରାଦୀପ ହେଉଛି ଏକ ଉପଯୁକ୍ତ ସ୍ଥାନ। ପୂର୍ବରୁ ୧୫ ନିୟୁତ ଟନ୍‌ କ୍ଷମତାବିଶିଷ୍ଟ ତୈଳ ବିଶୋଧନାଗାର ରହିଛି। ଆସନ୍ତାବର୍ଷ ୭ ଲକ୍ଷ ଟନ୍‌ ବିଶିଷ୍ଟ ପଲିପ୍ରପିଲିନ୍‌ ୟୁନିଟ୍‌ କାର୍ଯ୍ୟକ୍ଷମ ହେବ ଏବେ ପାରାଦୀପଠାରେ ଯେଉଁ ପ୍ଲାଷ୍ଟିକ୍‌ ପାର୍କ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ରହିଛି। ଏହି ପ୍ରସ୍ତାବିତ ପ୍ଲାଷ୍ଟିକ୍‌ ପାର୍କରେ ତୈଳ ନିଗମ ଅଂଶୀଦାର ହେବ। ଏଥିପାଇଁ ରସାୟନ ମନ୍ତ୍ରାଳୟ ୪୦ କୋଟି ଟଙ୍କା ପ୍ରଦାନ କରିସାରିଛି।

କେବଳ ଗତକାଲିର ଘୋଷଣା ନୁହେଁ, ଏହାପୂର୍ବରୁ ମଧ୍ୟ କେନ୍ଦ୍ର ସରକାର ପାରଦୀପ ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେଇଆସିଛି। ଗତବର୍ଷ ଫେବ୍ରୁଆରି ମାସରେ ପ୍ରଧାନମନ୍ତ୍ରୀ ପାରାଦୀପ ଆସି ୩୫,୦୦୦ କୋଟି ଟଙ୍କା ବିନିମୟରେ ୧୫ ନିୟୁତ ମେଟ୍ରିକ୍‌ ଟନ୍‌ କ୍ଷମତାବିଶିଷ୍ଟ ତୈଳ ବିଶୋଧନାଗାରକୁ ଉଦ୍‌ଘାଟନ କରିଥିଲେ। ଏଥିସହିତ, ପାରାଦୀପରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ସରକାର ଲକ୍ଷ୍ୟଧାର୍ଯ୍ୟ କରିଛନ୍ତି। ସେଥିମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ପାରାଦୀପକୁ ଏକ ‘ସ୍ମାର୍ଟ ବନ୍ଦର ଓ ସ୍ମାର୍ଟ ସହର’ରେ ପରିଣତ କରାଯିବ। ଗତ ଜୁଲାଇ ମାସରେ କେନ୍ଦ୍ର ଭୂପୃଷ୍ଠ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ ଏ ନେଇ ଘୋଷଣା କରିସାରିଛନ୍ତି। ଏଥିପାଇଁ ୪୦ ହଜାର କୋଟି ଟଙ୍କା ବିନିଯୋଗ ହେବ। କେନ୍ଦ୍ର ସରକାର ପାରାଦୀପ ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେବା ପଛରେ ଶିଳ୍ପ ସହିତ ରାଜନୀତି ଯୋଡ଼ି ହୋଇଥିବା ବହୁ ରାଜନେତା ମତ ଦେଇଛନ୍ତି। ନିଯୁକ୍ତି, ପାଣ୍ଠି ଭଳି ଯେଉଁ ରାଜନୈତିକ ଏଜେଣ୍ଡା ରହିଛି, ତାହାକୁ ଏହାରି ମାଧ୍ୟମରେ ପୂରଣ କରିବା ପାଇଁ କେନ୍ଦ୍ରରେ କ୍ଷମତାସୀନ ଦଳ ବିଜେପି ଲକ୍ଷ୍ୟ ରଖିଛି।

ରାଜ୍ୟ ସରକାରଙ୍କର ଯାଜପୁର ଉପରେ ଯେ ସ୍ୱତନ୍ତ୍ର ଦୃଷ୍ଟି ରହିଛିି, ଗତକାଲିର ଘୋଷଣାରୁ ସ୍ପଷ୍ଟ ହୋଇଛି। ଗତକାଲି ରାଜ୍ୟ ସରକାର ଯେଉଁ ୧୫ଟି ନୂଆ ଶିଳ୍ପ ଘୋଷଣା କରିଛନ୍ତି, ସେଥିମଧ୍ୟରୁ ଯାଜପୁର ଭାଗରେ ରହିଛି ୩ଟି। ପୂର୍ବରୁ ଯାଜପୁରର କଳିଙ୍ଗନଗରଠାରେ ଥିବା ବୃହତ୍‌ ଶିଳ୍ପାୟନ ରହିଛି। ଏଥିସହିତ ଆଉ ୩ଟି ସିମେଣ୍ଟ କାରଖାନା ଯୋଡ଼ି ହୋଇଯାଇଛି। ରାଜ୍ୟ ସରକାରଙ୍କ ମେକ୍‌ ଇନ୍‌ ଓଡ଼ିଶା ଅଭିଯାନରେ ଏହି ଜିଲ୍ଲାରେ ୧୦୦୦ କୋଟି ଟଙ୍କାରୁ ଅଧିକ ପୁଞ୍ଜନିବେଶ ରହିଛି। ସେଥିମଧ୍ୟରୁ ହରିଦାସପୁରଠାରେ ରାମ୍‌କୋ ୪୪୦ କୋଟି ଟଙ୍କା ବିନିମୟରେ ବାର୍ଷିକ ୦.୯ ନିୟୁତ ଟନ୍‌ କ୍ଷମତା ବିଶିଷ୍ଟ ସିମେଣ୍ଟ କାରଖାନା ପ୍ରତିଷ୍ଠା କରିବ। ସେହିଭଳି, ଜେଏସ୍‌ଡବ୍ଲୁ ଓ ଇମାମି କଳିଙ୍ଗନଗରଠାରେ ଯଥାକ୍ରମେ ୩୧୭ କୋଟି ଓ ୪୦୧ କୋଟି ଟଙ୍କା ବିନିମୟରେ ୧.୨ ଓ ୨.୦ ନିୟୁତ ଟନ୍‌ କ୍ଷମତାବିଶଷ୍ଟ ସିମେଣ୍ଟ କାରଖାନା ପାଇଁ ଘୋଷଣା କରାଯାଇଛି। କଳିଙ୍ଗନଗରଠାରେ ବର୍ତ୍ତମାନ ୧୩ଟି ଶିଳ୍ପସଂସ୍ଥା ମଧ୍ୟରୁ ନୀଳାଚଳ ଇସ୍ପାତକୁ ଛାଡ଼ିଦେଲେ ଅନ୍ୟସବୁ ରାଜ୍ୟ ସରକାରଙ୍କ କର୍ତ୍ତୃତ୍ୱରେ ରହିଛି। ଫଳରେ, କେନ୍ଦ୍ର ସରକାରଙ୍କ ପାରାଦୀପ ଭଳି ରାଜ୍ୟ ସରକାର କଳିଙ୍ଗନଗରଠାରେ ଶିଳ୍ପ ସମ୍ପ୍ରସାରଣର ଲକ୍ଷ୍ୟ ରଖିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର