ବିଶିଷ୍ଟ ଶିଳ୍ପପତି ଅମିତ କୁମାର ବେହେରାଙ୍କ ପରଲୋକ

ବାଲେଶ୍ୱର: ବାଲେଶ୍ବରର ବିଶିଷ୍ଟ ଶିଳ୍ପପତି ଅମିତ କୁମାର ବେହେରାଙ୍କର ଭୁବନେଶ୍ୱରର ଏକ ଘରୋଇ ହସ୍‌ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତିରେ ପରଲୋକ ଘଟିଛି। ତାଙ୍କୁ ୫୯ ବର୍ଷ ହୋଇଥିଲା। ମୃତ୍ୟୁଶଯ୍ୟା ନିକଟରେ ପତ୍ନୀ ଉଷା, ଝିଅ ଆକାଂକ୍ଷା, ପୁଅ ଆଦିତ୍ୟ, ଭାଇ ଅରବିନ୍ଦ ଓ ଅମୀୟ, ଭଣଜା ଜିନ୍ଦଲ୍‌ ଷ୍ଟିଲ୍‌ ଆଣ୍ଡ ପାୱାର କଂପାନିର ଜିଏମ୍‌ ପୁଲିନ୍ ସାହୁ ଉପସ୍ଥିତ ଥିଲେ। ସ୍ବର୍ଗତ ବେହେରା ମୟୂରଭଞ୍ଜ ଜିଲ୍ଲା ମାଣତ୍ରୀ କୋଶଳଦା ଅଞ୍ଚଳର ଶିକ୍ଷକ ଅନ୍ତର୍ଯ୍ୟାମୀ ବେହେରାଙ୍କ ପୁଅ ଓ ପୂର୍ବତନ ଆଇଏଏସ୍‌ ଡ.ଅରବିନ୍ଦ ବେହେରାଙ୍କ ସାନଭାଇ।

ବାଲେଶ୍ବର ସହର ଚାନ୍ଦମାରୀ ପଡ଼ିଆଠାରେ ଘର କରି ସେ ପରିବାର ସହ ରହୁଥିଲେ। ବାଲେଶ୍ୱର ଓରିପୋଲ୍ ଇଣ୍ଡଷ୍ଟ୍ରିଜ୍ ପ୍ରାଇଭେଟ୍‌ ଲିମିଟେଡ୍‌ର ସେ ପ୍ରତିଷ୍ଠାତା। ବାଲେଶ୍ବର ନର୍ଥ ଓଡ଼ିଶା ଚାମ୍ବର ଅଫ୍‌ କମର୍ସ ଏଣ୍ଡ ଇଷ୍ଟଷ୍ଟ୍ରିଜ୍‌ (‘ନୋସି’)ର ପ୍ରତିଷ୍ଠା କ୍ଷେତ୍ରରେ ମଧ୍ୟ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଥିଲା। ନୋସି ବିଜ୍‌ନେସ ପାର୍କ ପରିସରରେ ନୃତ୍ୟଗୀତ, ଚିତ୍ରକଳାର ପ୍ରସାର ସହ ସ୍ଥାନୀୟ ହସ୍ତକଳାର ବିକାଶ ପାଇଁ ସେ ‘ଉତ୍କଳା’ ଶିଳ୍ପଗ୍ରାମ ଓ ମୁକ୍ତମଞ୍ଚ ସ୍ଥାପନ କରିଥିଲେ।

ବିଶେଷ କରି ନୂତନ କଳାକାରଙ୍କୁ ପ୍ରୋତ୍ସାହନ ଓ ପ୍ରବୀଣ କଳାକାରଙ୍କୁ ସମ୍ମାନ ଜଣାଇବା ପାଇଁ ତାଙ୍କ ଉଦ୍ୟମରେ ‘ଉତ୍କଳା’ ମୁକ୍ତମଞ୍ଚରେ ସପ୍ତାହରେ ୨ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯାଇଥିଲା। ସ୍ବର୍ଗତ ବେହେରାଙ୍କ ଦେହାନ୍ତ ଖବର ପାଇ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା, ବାଲେଶ୍ବର ବିଧାୟକ ସ୍ବରୂପ କୁମାର ଦାସ, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା, ଇମାମୀ ପେପର ମିଲ୍‌ସର ଆଶିଷ ଗୁପ୍ତା, ଅର୍ଚ୍ଚନା ନନ୍ଦୀ, ଗୌରାଙ୍ଗ ପାଣିଗ୍ରାହୀ, ଅଖିଳ କୁମାର ଦାସ, ଭଗବାନ ମୋହନୀ, ମନୋଜ ନାୟକ, ଦେବାଶିଷ ଦାସ, ନରେନ୍ଦ୍ର ସ୍ବାଇଁ, ରଂଜନ ଭୋଇ, ଅକ୍ଷୟ କୁମାର ତ୍ରିପାଠୀ, ନିରଞ୍ଜନ ପରିଡ଼ାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ‘ନୋସି’ର କର୍ମକର୍ତ୍ତା, ବିଭିନ୍ନ ସାମାଜିକ ଅନୁଷ୍ଠାନର ପ୍ରତିନିଧି ତାଙ୍କର ‌ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ତାଙ୍କ ବିୟୋଗରେ ବାଲେଶ୍ଵର ଜିଲ୍ଲା ଶିଳ୍ପଦ୍ୟୋଗୀ ମହଲରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧିତ ଖବର