ଶିଳ୍ପପତି ବଂଶୀଧର ପଣ୍ଡାଙ୍କ ପରଲୋକ

ଭୁବନେଶ୍ୱର: ବିଶିଷ୍ଠ ଶିଳ୍ପପତି, ସମାଜସେବୀ ତଥା  ଇମ୍ଫା ଗ୍ରୁପ୍‌ର ପ୍ରତିଷ୍ଠାତା ଡ.ବଂଶୀଧର ପଣ୍ଡାଙ୍କର ଆଜି ୮୭ ବର୍ଷ ବୟସରେ ପରଲୋକ ଘଟିଛି। ଭୁବନେଶ୍ୱରସ୍ଥିତ ନିଜ ବାସଭବନରେ ଶ୍ରୀ ପଣ୍ଡାଙ୍କର ଦିନ ପ୍ରାୟ ୧୨ଟା ବେଳେ ପରଲୋକ ଘଟିଥିବା ଜଣାପଡ଼ିଛିି। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ।

ସୂଚନାଯୋଗ୍ୟ ଯେ ଶ୍ରୀ ପଣ୍ଡା ବିଦେଶରୁ ଇଞ୍ଜିନିୟରିଂ ପାଠ ପଢ଼ିସାରିବା ପରେ ପ୍ରଥମେ ଥିରୁବାଲିିଠାରେ ଇମ୍ଫା  ଶିଳ୍ପ ପ୍ରତିଷ୍ଠା କରିଥିଲେ। ଦୀର୍ଘ ଦିନ ଧରି ସେ ନିଜଦ୍ୱାରା ସ୍ଥାପିତ ଶିଳ୍ପସଂସ୍ଥାର ଅଧ୍ୟକ୍ଷ ଭାବେ ଦାୟିତ୍ୱ ସମ୍ଭାଳିଥିଲେ। ପରେ ସେ ଏହି ଦାୟିତ୍ୱ ନିଜ ପିଲାମାନଙ୍କ ଉପରେ ନ୍ୟସ୍ତ କରିଥିଲେ।  କେନ୍ଦ୍ରାପଡ଼ା ସଂସଦ ତଥା  ରାଜନେତା ବୈଜୟନ୍ତ ପଣ୍ଡା ହେଉଛନ୍ତି ସ୍ୱର୍ଗତ ବଂଶୀଧର ପଣ୍ଡାଙ୍କ ବଡ଼ ପୁଅ। ପୂର୍ବରୁ ତାଙ୍କ ପତ୍ନୀ ଇଲା ପଣ୍ଡା ମଧ୍ୟ ସାଂସଦ ଭାବେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ।

ସ୍ୱର୍ଗତଃ ପଣ୍ଡାଙ୍କର ୧୯୩୧ ମସିହାରେ ଜନ୍ମ ହୋଇଥିଲା। ସେ ଓଡ଼ିଶାରେ ଶିଳ୍ପ ଓ ଉଦ୍ୟୋଗ ବିକାଶ କ୍ଷେତ୍ରରେ ଜଣେ କର୍ଣ୍ଣଧାର ରୁପେ ବିବେଚିତ ହୋଇଥାଆନ୍ତି। ଆମେରିକାରୁ ଉଚ୍ଚତର ଶିକ୍ଷା ହାସଲ କରିବା ପରେ ୧୯୬୧ ମସିହାରେ ଡ.ପଣ୍ଡା ରାୟଗଡ଼ା ଜିଲ୍ଲାର ଥିରୁଭାଲିଠାରେ ଇମ୍ଫା ପ୍ରତିଷ୍ଠା କରିଥିଲେ।

କେବଳ ବ୍ୟାବସାୟିକ କ୍ଷେତ୍ର ନୁହେଁ,  ଓଡ଼ିଶାର କଳା ଓ ସାହିତ୍ୟକୁ ପୃଷ୍ଠପୋଷକତା କରିବାରେ ସେ ଥିଲେ ଅଗ୍ରଗଣ୍ୟ।  ଇମ୍ଫା ମାଧ୍ୟମରେ ସେ ଓଡ଼ିଆ ସାହିତ୍ୟ ପ୍ରତିଭାଙ୍କୁ ସୀକୃତି ପ୍ରଦାନ ଲାଗି ଶାରଳା ପୁରସ୍କାର ପ୍ରତିଷ୍ଠା କରିଥିଲେ। ଏଥିସହ କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ କୃତିତ୍ୱ ଲାଗି ଏକଲବ୍ୟ ପୁରସ୍କାର ପ୍ରଦାନ ମଧ୍ୟ ଥିଲା ତାଙ୍କ ମାନସ ସନ୍ତାନ।

ଡ.ପଣ୍ଡାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପିସିସି ଅଧ୍ୟକ୍ଷ ନିରଞ୍ଜନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର