ଭୁବନେଶ୍ବର/ପୁରୀ: ଦେଶର ବିଶିଷ୍ଟ ଶିଳ୍ପପତି ତଥା ଆଦାନୀ ଗ୍ରୁପ୍‌ ଅଧ୍ୟକ୍ଷ ଗୌତମ ଆଦାନୀ ଆଜି ପତ୍ନୀ ଡା. ପ୍ରୀତି ଆଦାନୀ ଓ ପୁଅ କରନ ଆଦାନୀଙ୍କ ସହ ମିଶି ପୁରୀ ବଡ଼ଦାଣ୍ଡରେ ରଥାରୂଢ଼ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ବଡ଼ଦାଣ୍ଡରେ ଖାଲି ପାଦରେ ଭକ୍ତଙ୍କ ଗହଣରେ ମହାପ୍ରଭୁ ଜଗନ୍ନାଥ, ବଡ଼ଭାଇ ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଚକ୍ରରାଜ ସୁଦର୍ଶନଙ୍କୁ ଦର୍ଶନ କରି ଆଦାନୀ ଅତ୍ୟନ୍ତ ଖୁସି ଅନୁଭବ କରିଛନ୍ତି। ଉଭୟ ବ୍ୟକ୍ତିଗତ ଏବଂ ପେସାଦାର ଜୀବନରେ ‘ସେବା ହିଁ ସାଧନା’ରେ ବିଶ୍ବାସ କରୁଥିବା ଆଦାନୀ ଆଡ଼ମ୍ବର ପରିବର୍ତ୍ତେ ବିନା ଜୋତାରେ ପାରମ୍ପରିକ ପୋଷାକ ପିନ୍ଧି ଜଣେ ସାଧାରଣ ଭକ୍ତ ଭଳି ମହାପ୍ରଭୁଙ୍କୁ ଦର୍ଶନ ଓ ଆରାଧନା କରିଛନ୍ତି।

Advertisment

ପ୍ରବଳ ବର୍ଷା ସତ୍ତ୍ବେ ଅପରାହ୍ଣ ୧ଟା ବେଳେ ଶ୍ରୀଗୁଣ୍ଡିଚା ମନ୍ଦିର ସାମନାରେ ପହଞ୍ଚି ସେ ମହାପ୍ରଭୁଙ୍କୁ ସନ୍ଦର୍ଶନ କରିଥିଲେ। ସେଠାରୁ ପରିବାର ସଦସ୍ୟଙ୍କ ସହ ଆଦାନୀ ସୁଷମା ଗାର୍ଡେନ୍‌ ପରିସରରେ ଇସ୍କନ୍‌ର ରୋଷଶାଳା ପରିଦର୍ଶନ କରିଥିଲେ। ପରିଦର୍ଶନ ସମୟରେ ସେ ସେଠାରେ ପୁରି ଛାଣିବା ସହ ତରକାରୀ ତିଆରି କରିଥିଲେ। ପତ୍ନୀ ମଧ୍ୟ ଇସ୍କନ ସଦସ୍ୟଙ୍କ ସହ ମିଶି ପରିବା କାଟିଥିଲେ। ରୋଷେଇ ସରିବା ପରେ ଭକ୍ତମାନଙ୍କୁ ସେ ଛିଡ଼ା ହୋଇ ଖାଦ୍ୟ ପରଷି ଥିଲେ। ପରେ ବୁଲି ବୁଲି ଖାଦ୍ୟର ସ୍ବାଦ ବାବଦରେ ଭକ୍ତମାନଙ୍କ ଠାରୁ ପଚାରି ବୁଝିଥିଲେ। ସେଠାରେ ଠାକୁରଙ୍କୁ ପୂଜାର୍ଚ୍ଚନା କରିଥିଲେ। ଗଣମାଧ୍ୟମକୁ ସମ୍ବୋଧନ କରିବା ଅବସରରେ ମହାପ୍ରଭୁଙ୍କ ରଥଯାତ୍ରାରେ ଭକ୍ତଗଣଙ୍କ ସେବା କରିବାକୁ ସୁଯୋଗ ମିଳିଥିବାରୁ ସେ ନିଜକୁ ଧନ୍ୟ ମନେ କରୁଥିବା କହିଥିଲେ।

ଚଳିତବର୍ଷ ପ୍ରୟାଗରାଜରେ ଅନୁଷ୍ଠିତ ମହାକୁମ୍ଭରେ ଯୋଗଦେବା ପରେ ପୁରୀରେ ମହାପ୍ରଭୁଙ୍କ ଦର୍ଶନ ତାଙ୍କୁ ଅପାର ଆନନ୍ଦ ପ୍ରଦାନ କରିଛି। ଗୌତମ ଆଦାନୀଙ୍କ ସେବା ସଂପ୍ରତି ପରୋପକାରଠାରୁ ଉପରକୁ ଯାଇ ଆଧ୍ୟାତ୍ମିକ ପ୍ରତିବଦ୍ଧତାରେ ପରିଣତ ହୋଇଛି। ଆଦାନୀ ଫାଉଣ୍ଡେସନ ଚଳିତବର୍ଷ ରଥଯାତ୍ରାରେ ପ୍ରାୟ ୪୦ ଲକ୍ଷ ଲୋକଙ୍କୁ ପ୍ରସାଦ ଏବଂ ପାଣି ମାଗଣାରେ ବଣ୍ଟନ କରୁଛି। ଏଥିସହିତ ବେଳାଭୂମି ସଫେଇ ଏବଂ ମହୋଦଧିରେ ସ୍ନାନ କରୁଥିବା ପର୍ଯ୍ୟଟକମାନଙ୍କ ସୁରକ୍ଷା ପାଇଁ  ଲାଇଫଗାର୍ଡଙ୍କ ସହଯୋଗରେ ନିଷ୍ଠାର ସହ କାର୍ଯ୍ୟ କରୁଛି। 

ପତ୍ନୀ ପରିବା କାଟିଲେ, ପୁଅ ଖାଦ୍ୟ ପରଷିଲେ

ସମୁଦ୍ରକୂଳରେ ଲାଇଫ୍‌ଗାର୍ଡଙ୍କ ସହ ବାର୍ତ୍ତାଳାପ

ରଥରେ ମହାପ୍ରଭୁଙ୍କୁ ଦର୍ଶନ ଓ ପ୍ରସାଦ ସେବାରେ ଯୋଗଦେବା ପରେ ଗୌତମ ଆଦାନୀ ସମୁଦ୍ରକୂଳ ଯାଇ ସେଠାରେ ଲାଇଫ୍‌ଗାର୍ଡଙ୍କ ସହ କଥା ହୋଇଥିଲେ। ସମୁଦ୍ରରେ ନିଜ ଜୀବନ ବିପନ୍ନ କରି ଅନ୍ୟମାନଙ୍କ ଜୀବନ ରକ୍ଷା କରୁଥିବା ଏହି ଲାଇଫ୍‌ଗାର୍ଡମାନେ ଭଗବାନଙ୍କର ଗୋଟିଏ ଗୋଟିଏ ରୂପ ବୋଲି ପ୍ରକାଶ କରିଥିଲେ। ଲାଇଫ୍‌ଗାର୍ଡମାନେ ‌ନିଜ ନିଜର ଅଭିଜ୍ଞତା ବଖାଣିଥିଲେ। ଉଦ୍ଧାର କରିବା ଓ ଲୋକଟି ସମ୍ପୂର୍ଣ୍ଣ ସୁସ୍ଥ ହେବା ଯାଏ ସେମାନଙ୍କର କାମ ଶୁଣିବା ପରେ ଆଦାନୀ ଭାବପ୍ରବଣ ହୋଇ ପଡ଼ିଥିଲେ। ୮୦ରୁ ୧୦୦ ଲାଇଫ୍‌ଗାର୍ଡଙ୍କୁ ନିଜର କଠିନ ପରିଶ୍ରମ ପାଇଁ ଧନ୍ୟବାଦ ଦେବା ସହ ମୂଲ୍ୟବାନ ଜୀବନ ବଞ୍ଚାଇବାକୁ ଦାୟିତ୍ବବୋଧତାର ସହ କାମ କରିବାକୁ ପରାମର୍ଶ ଦେଇଥିଲେ। ସନ୍ଧ୍ୟାରେ ସେ ଭୁବନେଶ୍ବର ପ୍ରତ୍ୟାବର୍ତ୍ତନ କରିଥିଲେ।

ଜଗନ୍ନାଥଙ୍କ ଆଶୀର୍ବାଦରୁ ମୋତେ ସବୁକିଛି ମିଳିଛି
ମୋ ନିକଟରେ କିଛି ନଥିଲା। ଲୋକଙ୍କ କୃପା ଓ ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରୁ ମୋତେ ସବୁକିଛି ମିଳିଛି। ଭାରତବର୍ଷର ଉଜ୍ଜ୍ବଳ ଭବିଷ୍ୟତ ଏବଂ ଉଡ଼ିଶାର ଉନ୍ନତି ପାଇଁ ଆଜି ପ୍ରାର୍ଥନା କରିଥିଲି। ଦେଶ କିଭଳି ନିରନ୍ତର ପ୍ରଗତି ହାସଲ କରିବ ଏବଂ ଏହାର ସୁଫଳ ସମସ୍ତ ଲୋକଙ୍କୁ ମିଳିବ ସେ ନେଇ ଭଗବାନଙ୍କୁ ପ୍ରାର୍ଥନା କରିଥିଲି ବୋଲି ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ସାମ୍ବାଦିକମାନଙ୍କୁ ଗୌତମ ଆଦାନୀ ଏହା କହିଛନ୍ତି।