ବ୍ରହ୍ମପୁର: କୃଷିପ୍ରଧାନ ଗଞ୍ଜାମ ଜିଲ୍ଲାର ଅର୍ଥନୈତିକ ବିକାଶ ହୋଇପାରୁ ନାହିଁ। ଜିଲ୍ଲାରେ ଭିତ୍ତିଭୂମିର କୌଣସି ଅଭାବ ନାହିଁ। ରେଳ ସଂଯୋଗ ଠାରୁ ଆରମ୍ଭ କରି ଗୋପାଳପୁର ବନ୍ଦର ରହିଥିବା ବେଳେ ବିମାନସେବା ମଧ୍ୟ ଆରମ୍ଭ ହୋଇ ସାରିଲାଣି। ଜିଲ୍ଲାରେ ଭରପୂର ମାନବସମ୍ବଳ ରହିଛି। ତଥାପି ଜିଲ୍ଲାର ଆର୍ଥିକ ଅବସ୍ଥାରେ ଉନ୍ନତି ଆସୁ ନାହିଁ। ଏହାର ଏକମାତ୍ର କାରଣ ହେଉଛି ଶିଳ୍ପର ଅଭାବ। ସବୁକିଛି ଥାଇ ସୁଦ୍ଧା ଗଞ୍ଜାମକୁ ଶିଳ୍ପ ସମୃଦ୍ଧ କରାଯାଇ ପାରୁ ନାହିଁ। ଏଥିପାଇଁ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ସହିତ ସରକାରଙ୍କ ଉଦାସୀନତା ଦାୟୀ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି। ଗୋପାଳପୁର ଠାରେ ବୃହତ ଟାଟା ଷ୍ଟିଲ୍ କାରଖାନା ପ୍ରତିଷ୍ଠା ସ୍ବପ୍ନରେ ରହିଗଲା। ଶୀତଳାପଲ୍ଲୀରେ ପ୍ରସ୍ତାବିତ ରେଳୱାଗନ୍ କାରଖାନା ପ୍ରସ୍ତାବ ମଧ୍ୟ ହଜିଗଲା। ଏଭଳିକି ବହୁ ପ୍ରସ୍ତାବିତ ବୃହତ ଶିଳ୍ପ ଅଟକି ଯାଇଛି। ସମବାୟ ଉଦ୍ୟୋଗଗୁଡ଼ିକ ମଧ୍ୟ ରୁଗ୍ଣ ଅବସ୍ଥାରେ ରହିଥିବା ବେଳେ ଆଉ କେତେକ ବନ୍ଦ ହୋଇଗଲାଣି। ବ୍ରହ୍ମପୁର ଶିଳ୍ପଞ୍ଚଳରେ ଦିନେ ଏଚ୍ଏମ୍ଟି ଘଡ଼ି ପ୍ରସ୍ତୁତି, ସୂତା ଓ ରଙ୍ଗ କରୁଥିବା ଡାଇଂ କାରଖାନାରେ ଶହ ଶହ ଶ୍ରମିକ ୨୪ ଘଣ୍ଟା କାମ ପାଉଥିଲେ। ସେ ସବୁ ଗଲା ଦୁଇ ଦଶନ୍ଧି ଭିତରେ ବନ୍ଦ ହୋଇଯାଇଛି। ପରିଣାମ ସ୍ବରୂପ ଗଞ୍ଜାମ ଜିଲ୍ଲା ଏବେ ଦାଦନ ଶ୍ରମିକଙ୍କ ଜିଲ୍ଲା ପାଲଟି ଯାଇଛି। ଜିଲ୍ଲାରୁ ପ୍ରାୟ ୬ ଲକ୍ଷରୁ ଅଧିକ ଶ୍ରମିକ ଏବେ ବାହାର ରାଜ୍ୟରେ ଖଟୁଛନ୍ତି।
ଗଞ୍ଜାମ ଜିଲ୍ଲାର ଆସିକା ସମବାୟ ସହର ଭାବେ ପରିଚୟ ସୃଷ୍ଟି କରିଥିଲା। ବର୍ତ୍ତମାନ ଆଉ ସେହି ପରିଚୟ ନାହିଁ। ସେଠାରେ ସମବାୟ ସୂତାକଳ, ଚିନିକଳ ସହିତ ଏକାଧିକ ଆୟୁର୍ବେଦିକ ୟୁନିଟ୍ ରହିଥିଲା। ଦୀର୍ଘ ୧୫ବର୍ଷ ହେଲା ସୂତାକଳ ବନ୍ଦ ହୋଇ ସାରିଥିବା ବେଳେ ଚିନିକଳ ରୁଗ୍ଣ ଅବସ୍ଥାରେ। ଆୟୁର୍ବେଦିକ ୟୁନିଟ୍ଗୁଡ଼ିକ ନିଜର ସତ୍ତାକୁ ନେଇ ସଂଘର୍ଷ କରୁଛି। ସରକାରୀ ପୃଷ୍ଠପୋଷକତାରେ ରହିଥିବା ସମବାୟ ଉଦ୍ୟୋଗଗୁଡ଼ିକ କ୍ଷତି ସହିବାରୁ ତାହା ବନ୍ଦ ହେବାରେ ଲାଗିଛି।
ସ୍ବପ୍ନରେ ରହିଗଲା ଟାଟା ଇସ୍ପାତ ପ୍ରକଳ୍ପ
ହଜିଗଲା ରେଳୱାଗନ୍ କାରଖାନା ପ୍ରସ୍ତାବ
୧୯୯୫ରେ ଗୋପାଳପୁର ବନ୍ଦର ନିକଟରେ ବୃହତ ଟାଟା ଷ୍ଟିଲ୍ କାରଖାନା ପାଇଁ ଶୀଳାନ୍ୟାସ କରାଯାଇଥିଲା। ଏଥିପାଇଁ ୩ହଜାରରୁ ଅଧିକ ଏକର ଜମି ଅଧିଗ୍ରହଣ ହୋଇଥିଲା। ହେଲେ ପରବର୍ତ୍ତୀ ସମୟରେ ଟାଟା ଏହି ପ୍ରକଳ୍ପରୁ ଓହରି ଯାଇଥିଲା। ଏଣୁ ଟାଟା ଷ୍ଟିଲ୍ କାରଖାନା ବର୍ତ୍ତମାନ ସ୍ବପ୍ନ ହୋଇ ରହି ଯାଇଛି। ୨୦୧୧ରେ ଶୀତଳାପଲ୍ଲୀରେ ରେଳ ବିଭାଗର ତରଫରୁ ପ୍ରାୟ ୧୦୧ ଏକର ଜମିରେ ରେଳୱାଗନ୍ ଫ୍ୟାକ୍ଟ୍ରି ପ୍ରତିଷ୍ଠା କରିବାକୁ ପ୍ରସ୍ତାବ ଦିଆଯାଇଥିଲା। ୨୦୧୧-୧୨ ରେଳ ବଜେଟ୍ରେ ମଧ୍ୟ ଏହି ପ୍ରକଳ୍ପକୁ ସାମିଲ କରାଯାଇଥିଲା। ପ୍ରାୟ ୧୦ବର୍ଷ ପରେ ୨୦୨୧ ମେ’ ମାସରେ ରେଳ ବିଭାଗ ଏହି ପ୍ରକଳ୍ପକୁ ବାତିଲ କରି ଦେଇଥିଲା। ଅନ୍ୟପଟେ ୮୦ ଦଶକର ଦ୍ୱିତୀୟ ଭାଗରେ ରାଜ୍ୟ ସରକାରଙ୍କ ଅଧୀନରେ ଗୋପାଳପୁର ଋତୁକାଳୀନ ବନ୍ଦର ପରିଚାଳିତ ହେଉଥିଲା। ୯୦ ଦଶକ ଯାଏ ନୌ-ବାଣିଜ୍ୟ କାରବାର ହେଉଥିଲା। ୧୯୯୯ ମହାବାତ୍ୟାରେ ବନ୍ଦର ଧ୍ୱଂସସ୍ତୁପ ପାଲଟି ଯାଇଥିଲା। ୨୦୦୬ରେ ବନ୍ଦରକୁ ଘରୋଇକରଣ କରି ଦିଆଗଲା। କିନ୍ତୁ ବର୍ତ୍ତମାନ ସୁଦ୍ଧା ତାହା ସବୁଦିନିଆ ବନ୍ଦର ହୋଇପାରି ନାହିଁ। ଏହି ସବୁ କାରଣ ଯୋଗୁଁ ଗଞ୍ଜାମ ଜିଲ୍ଲାରେ ଶିଳ୍ପର ବିକାଶ ଘଟୁ ନାହିଁ। ଜିଲ୍ଲାରେ କିଆଫୁଲ ଚାଷ, କାଜୁ ଶିଳ୍ପ, ପିତ୍ତଳ ମାଛ କାରିଗରୀ, ରେଶମ ପାଟବସ୍ତ୍ର ଓ ହୁମ୍ମାରେ ହେଉଥିବା ଲବଣ ଚାଷ ପ୍ରଭୃତି ସୁଖ୍ୟାତି ଅର୍ଜନ କରିଛି। କିନ୍ତୁ ସରକାରୀ ପ୍ରୋତ୍ସାହନ ଅଭାବରୁ ଏହି କାରବାର ଆଗକୁ ବଢ଼ିପାରୁ ନାହିଁ। ହୁମ୍ମାରେ ଲବଣ ଉତ୍ପାଦନ ପ୍ରାୟ ଠପ୍ ହୋଇ ସାରିଥିବା ବେଳେ କିଆଫୁଲ ଚାଷ ଉତ୍ତରପ୍ରଦେଶ ବ୍ୟବସାୟୀଙ୍କ ନିୟନ୍ତ୍ରଣରେ ରହିଛି। ଲାଭ ମିଳୁ ନଥିବାରୁ କାରିଗର କୌଳିକ ବୃତ୍ତି ଛାଡ଼ି ଦାଦନ ଯିବାକୁ ବାଧ୍ୟ ହେଉଛନ୍ତି।