ଭଞ୍ଜନଗର ପ୍ରତି ଶିଳ୍ପୋଦ୍ଦ୍ୟୋଗୀଙ୍କ ଆଗ୍ରହ ନାହିଁ
ସର୍ବ ପୁରାତନ ଆଙ୍କୁଳି ଶିଳ୍ପାଞ୍ଚଳ ସତ୍ତା ଖୋଜୁଛି
ଜମିର ହେଉଛି ଦୂରୁପଯୋଗ, ୧୭୬ ଉଦ୍ଦ୍ୟୋଗୀଙ୍କୁ କାରଣ ଦର୍ଶାଅ ନୋଟିସ
ଜିଲ୍ଲାରେ ୩ଟି ନୂତନ ଶିଳ୍ପାଞ୍ଚଳ ପାଇଁ ଯୋଜନା
ବ୍ରହ୍ମପୁର, (ପ୍ରଦୀପ କିଶୋର ସାହୁ ): ଜମି ଓ ଆବଶ୍ୟକ ଭିତ୍ତିଭୂମି ଯୋଗାଇ ଶିଳ୍ପ ପ୍ରତିଷ୍ଠା ଲାଗି ଶିଳ୍ପୋଦ୍ୟୋଗୀଙ୍କୁ ଆକୃଷ୍ଟ କରିବା ଲାଗି ଶିଳ୍ପାଞ୍ଚଳ ପ୍ରତିଷ୍ଠା କରାଯାଉଛି। ହେଲେ ସାଂପ୍ରତିକ ସ୍ଥିତିରେ ଗଞ୍ଜାମ ଜିଲ୍ଲାରେ ଥିବା ୫ଟି ଶିଳ୍ପାଞ୍ଚଳ ଦୁର୍ଦ୍ଦିନ ଭିତରେ ଗତି କରୁଛି। କର୍ପୂର ଉଡ଼ି କନା ପଡ଼ିବା ଭଳି ସ୍ଥିତିରେ ରହିଛି ଜିଲ୍ଲାର ସର୍ବପୁରାତନ ବ୍ରହ୍ମପୁର ଶିଳ୍ପାଞ୍ଚଳ। ସେହିପରି ବ୍ରହ୍ମପୁର ଉପକଣ୍ଠସ୍ଥିତ ହଳଦିଆପଦର ଅଟୋ ନଗରରେ ଉଦ୍ୟୋଗୀମାନେ ଜମି ନେଇ ଦୂରୁପଯୋଗ କରୁଥିବା ନଜରକୁ ଆସିଛି। ଭଞ୍ଜନଗର ଶିଳ୍ପାଞ୍ଚଳରେ ଶିଳ୍ପ ପ୍ରତିଷ୍ଠା କରିବା ଲାଗି ଉଦ୍ୟୋଗୀମାନେ ଆଗ୍ରହ ଦେଖାଉ ନଥିବା ବେଳେ ଛତ୍ରପୁର ଶିଳ୍ପାଞ୍ଚଳ ଢ଼ୋକେ ପି’ ଦଣ୍ଡେ ଜିଇଁବା ନ୍ୟାୟରେ ଚାଲିଛି। ସେପଟେ ଆମ୍ବପୁଆ ଆଇଟି ପାର୍କ ଜମି ଦୀର୍ଘ ବର୍ଷ ହେଲା ଅବ୍ୟବହୃତ ପଡ଼ି ରହିଛି। ଜମି ନେଇ ଶିଳ୍ପ ପ୍ରତିଷ୍ଠା କରି ନ ଥିବା ଏବଂ ଜମିର ଦୁରୁପଯୋଗ କରିଥିବା ଅଭିଯୋଗରେ ସମୁଦାୟ ୧୭୬ ଜଣଙ୍କୁ ଇଡ୍କୋ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିବା ଜଣାପଡ଼ିଛି।
/sambad/media/post_attachments/wp-content/uploads/2019/12/bhm3-f-300x198.jpg)
୧୯୮୧ ମସିହାରେ ବ୍ରହ୍ମପୁର ଆଙ୍କୁଲି ଠାରେ ୧୩ ଏକର ୧୩୮ ଡେସିମିଲ୍ ଜମିରେ ପ୍ରତିଷ୍ଠା ହୋଇଥିଲା ପ୍ରଥମ ଶିଳ୍ପାଞ୍ଚଳ। ଏହାର ବିକ୍ରିଯୋଗ୍ୟ ଜମି ୯.୧୯୭ ଏକରରୁ ୬୫ଟି ଶିଳ୍ପସ˚ସ୍ଥାକୁ ୮ ଏକର ୩୮୨ ଡେସିମିଲ ଜମି ଯୋଗାଇ ଦିଆ ଯାଇଥିଲା। ଘଣ୍ଟା ତିଆର କାରଖାନା, ଫାର୍ମାସ୍ୟୁଟିକାଲ୍ କମ୍ପାନି, ଗ୍ଲାସ ଆଣ୍ତ୍ ଆର୍ଟିକଲ, ସୂତାକଳ, ଇଞ୍ଜିନିୟରିଂ କର୍ପୋରେସନ ଭଳି ଅନେକ ଉଦ୍ୟୋଗ ରହିଥିଲା। ୬୫ଟି ଉଦ୍ୟୋଗରୁ ବର୍ତ୍ତମାନ ୪୧ଟି ୟୁନିଟ ଚାଲୁଥିବା ଇଡ୍କୋ କହୁଛି। କିନ୍ତୁ ବାସ୍ତବ ସ୍ଥିତି ଭିନ୍ନ। ଅଧିକା˚ଶ ଶିଳ୍ପ ସଂସ୍ଥାରେ ତାଲା ଝୁଲୁଛି। ଘଣ୍ଟା ତିଆରି କାରଖାନା ଭଳି ବହୁ ପୁରୁଣା ଶିଳ୍ପ ବନ୍ଦ ହୋଇଗଲାଣି। ସରକାରୀ ତଥ୍ୟ କହୁଛି ୧୦ଟି ଉଦ୍ୟୋଗ ବନ୍ଦ ହୋଇ ଯାଇଥିବା ୨ଜଣ ଶିଳ୍ପ ପ୍ରତିଷ୍ଠା ନ କରି ଜମିର ଦୁରୁପଯୋଗ କରିଛନ୍ତି।
ପରବର୍ତ୍ତୀ ସମୟରେ ୩୪.୫୩୮ ଏକର ଜମିରେ ପ୍ରତିଷ୍ଠା ହୋଇଥିଲା ଛତ୍ରପୁର ଶିଳ୍ପାଞ୍ଚଳ। ୨୫.୫୩୮ଏକର ବିକ୍ରି ଯୋଗ୍ୟ ଜମିରୁ ୨୧ଏକର ୨୦୮ ଡେସିମିଲ୍ ଜମି ଉଦ୍ୟୋଗୀଙ୍କୁ ଦିଆଯାଇଥିଲା। ସେଥରେ ୧୯ଟି ଶିଳ୍ପସ˚ସ୍ଥା ଗଢ଼ି ଉଠିଥିଲା। ଏବେ ମାତ୍ର ୧୦ଟି ଚାଲୁଥିବା ବେଳେ ୩ଟି ଅଚଳ ହୋଇ ପଡ଼ିଛି। ୨ଟି ସ˚ସ୍ଥାର ଜମି ପଡ଼ିଆ ପଡ଼ିଛି। ୪ଟି ଶିଳ୍ପକୁ ଦିଆଯାଇଥିବା ଜମି ଦୁରୁପଯୋଗ ହୋଇଥିବା ସୂଚନା ମିଳିଛି।
ସେହିପରି ୧୭.୯୦୩ ଏକର ଜମିରେ ଭଞ୍ଜନଗର ଠାରେ ପ୍ରତିଷ୍ଠା ହୋଇଛି ଏକ ଶିଳ୍ପାଞ୍ଚଳ। ୧୬.୮୩୦ ଏକର ବିକ୍ରି ଯୋଗ୍ୟ ଜମି ରହିଛି। ଏହି ଶିଳ୍ପାଞ୍ଚଳରେ ଶିଳ୍ପ ପ୍ରତିଷ୍ଠା ଲାଗି ଉଦ୍ୟୋଗୀଙ୍କ ମଧ୍ୟରେ ଆଗ୍ରହ ପ୍ରକାଶ ପାଉ ନାହିଁ। ପ୍ରାୟ ଦୁଇ ଦଶନ୍ଧି ବିତିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଗୋଟିଏ ମାତ୍ର ଶିଳ୍ପ ପ୍ରତିଷ୍ଠା ସମ୍ଭବ ହୋଇପାରିଛି। ଗତ ଅକ୍ଟୋବର ମାସରେ ଆଉ ଏକ ଶିଳ୍ପ ପ୍ରତିଷ୍ଠା ଲାଗି ଜମି ଦିଆ ଯାଇଥିବା ଜଣାପଡ଼ିଛି।
ଜିଲ୍ଳାର ସର୍ବବୃହତ୍ ଶିଳ୍ପାଞ୍ଚଳ ହେଉଛି ହଳଦିଆପଦର ଅଟୋନଗର। ଏଠାରେ ବ୍ରହ୍ମପୁର ସହର ଓ ଉପକଣ୍ଠ ଅଞ୍ଚଳରେ ଥିବା ସମସ୍ତ ମୋଟର ଗ୍ୟାରେଜ୍, ଅଟୋମୋବାଇଲ ଦୋକାନ ଓ ଅଟୋମୋବାଇଲ କ୍ଷେତ୍ରରେ ରହିଥିବା କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସ˚ସ୍ଥା ସ୍ଥାପନ ଲକ୍ଷ୍ୟ ରହିଥିଲା। ୭୪.୧୭୭ ଏକର ଜମିରେ ପ୍ରତିଷ୍ଠିତ ଏହି ଶିଳ୍ପାଞ୍ଚଳରେ ବିକ୍ରିଯୋଗ୍ୟ ଜମି ୫୦ ଏକର ୪୭୩ ଡେସିମିଲ୍ ମଧ୍ୟରୁ ୪୮.୩୬୧ଏକର ଜମି ସମୁଦାୟ ୪୫ଠ ଉଦ୍ୟୋଗୀଙ୍କୁ ଆବଣ୍ଟନ ହୋଇଛି। ବର୍ତ୍ତମାନ ୧୧୭ଟି ୟୁନିଟ୍ କାର୍ଯ୍ୟ କରୁଛି। ୧୮ଟି ଅଚଳ ସ୍ଥିତିରେ। ୪ ଜଣ ଉଦ୍ୟୋଗୀ ଜମିକୁ ନେଇ ଅଲଗା କାର୍ଯ୍ୟରେ ଲଗାଇଛନ୍ତି। ୧୦୩ଟି ଉଦ୍ୟୋଗର ସ୍ଥାପନ ପ୍ରକ୍ରିୟା ଜାରି ରହିଛି। ୨୧୮ଜଣ ଜମି ନେଇ କୌଣସି ଶିଳ୍ପ ପ୍ରତିଷ୍ଠା କରିନାହାନ୍ତି।
/sambad/media/post_attachments/wp-content/uploads/2019/12/bhm1-f-300x191.jpg)
ସେହିପରି ବ୍ରହ୍ମପୁର ସହର ଉପକଣ୍ଠ ଆମ୍ବପୁଆରେ ଆଇଟି ପାର୍କ ପରିକଳ୍ପନା କରାଯାଇଛି। ଏଥିଲାଗି ୪ ଏକର ୯୭୦ ଡେସିମିଲ୍ ଜମି ନିଆଯାଇଛି। ପାର୍କ ପାଇଁ ନିଆ ଯାଇଥିବା ଜମିରୁ ଅର୍ଦ୍ଧାଧିକ ଜମି ଦେଇ ୩୨କେଭି ବିଦ୍ୟୁତ ଲାଇନ ଯାଇଛି। ବିଦ୍ୟୁତ ଲାଇନ୍ ଯାଇଥିବା ଇଲାକାରେ କୌଣସି ଶିଳ୍ପ ପ୍ରତିଷ୍ଠା ସମ୍ଭବ ନୁହଁ। କେବଳ ଆଇଟ କମ୍ପାନି ଲାଗି ଏହି ଶିଳ୍ପାଞ୍ଚଳ ଉଦ୍ଦିଷ୍ଟ। ବାକି ଜମିରେ ଆଇଟିଭିତ୍ତିକି ଶିଳ୍ପ ପ୍ରତିଷ୍ଠା ଲାଗି କୌଣସି ଉଦ୍ୟୋଗୀ ଆସୁନାହାନ୍ତି। ଫଳରେ ଏହା ପଡ଼ିଆ ପଡ଼ିଛି।
ଜମି ନେଇ ୩ ବର୍ଷ ଭିତରେ ଶିଳ୍ପ ସ୍ଥାପନ ନ କଲେ ଜମି ଛଡ଼ାଇ ଆଣିବା ବ୍ୟବସ୍ଥା ରହିଛି। ଶିଳ୍ପ ପାଇଁ ଦିଆଯାଇଥିବା ଜମି ଅନ୍ୟ କାର୍ଯ୍ୟରେ ବ୍ୟବହାର କଲେ ଉକ୍ତ ଜମିକୁ ସମ୍ପୃକ୍ତ ସ˚ସ୍ଥା ଠାରୁ ମଧ୍ୟ ଅପସାରଣ କରିବା ବ୍ୟବସ୍ଥା ରହିଛି। ୩ଟି ଶିଳ୍ପାଞ୍ଚଳର ଜମି ନେଇଥିବା ୧୭୬ଜଣଙ୍କୁ ଇଡ୍କୋ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି। ଆଙ୍କୁଲି ଶିଳ୍ପାଞ୍ଚଳର ୯, ଛତ୍ରପୁର ଶିଳ୍ପାଞ୍ଚଳ ୩ଜଣ ଓ ଅଟୋନଗରର ୧୬୪ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି।
ଅନ୍ୟପକ୍ଷରେ ଏଭଳି ସ୍ଥିତିରେ ଗଞ୍ଜାମରେ ଆଉ ୩ଟି ଶିଳ୍ପାଞ୍ଚଳ ପ୍ରତିଷ୍ଠା ପାଇପଲାଇନ୍ରେ। ହିଞ୍ଜିଳିର ବରପଲ୍ଲୀରେ ଶିଳ୍ପାଞ୍ଚଳ ପ୍ରତିଷ୍ଠା ଲାଗି ରାଜ୍ୟ ସରକାର ୨୦କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏଥିଲାଗି ୨୬ ଏକର ଜମି ଚିହ୍ନଟ ହୋଇଛି। କିନ୍ତୁ ଜମି ଏଯାବତ୍ ଇଡ୍କୋ ଅଧୀନକୁ ଆସିନାହିଁ। ଛତ୍ରପୁର ବ୍ଲକର ବାସନାପୁଟି ନିକଟରେ ୧ଏକର ପରିମିତ ଜମିରେ ୫କୋଟି ଟଙ୍କା ବ୍ୟୟରେ ସି’ଫୁଡ୍ ପାର୍କ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଏହି ପାର୍କରେ ସି’ଫୁଡ୍ ପ୍ରାଥମିକ ପ୍ରକିୟାକରଣ କରାଯାଇ ଡ଼େରାସ ସ୍ଥିତ ମେଗା ସି’ ଫୁଡ୍ ପାର୍କକୁ ପଠାଯିବା ଯୋଜନା ରହିଛି। ଉକ୍ତ ସି’ଫୁଡ଼୍ ପାର୍କ ନିର୍ମାଣ କାର୍ଯ୍ୟ ଆସନ୍ତା ୬ ମାସ ମଧ୍ୟରେ ସରିବ ବୋଲି ଜଣାପଡିଛି। ସେହିପରି ରଙ୍ଗେଇଲୁଣ୍ତା ବ୍ଲକ କନିଷି ନିକଟ ଖାସି ନୂଆପଡ଼ା ମୌଜାରେ ୫୦ ଏକର ଜମିରେ ଫୁଡ୍ ପାର୍କ ପ୍ରତିଷ୍ଠା କରାଯିବା ଯୋଜନା ରହିଥିବା ସୂଚନା ମିଳିଛି। ତେବେ ଗୋଟିଏ ପଟେ ଜିଲ୍ଲାର ଶିଳ୍ପାଞ୍ଚଳ ଗୁଡ଼ିକ ସତ୍ତା ଖୋଜୁଥିବା ଅନ୍ୟପଟେ ୩ଟି ନୂଆ ଶିଳ୍ପାଞ୍ଚଳ ପ୍ରତିଷ୍ଠାର ପରିକଳ୍ପନା କେତେଦୂର କାର୍ଯ୍ୟକ୍ଷମ ହେଉଛି, ତାହା ସମୟ କହିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/bhm2-f.jpg)