ଖଣିଜ ସହରକୁ ମାନ୍ଦା ମାଡ଼ : ବନ୍ଦ ‌ହେଲାଣି ଶିଳ୍ପ, ବ୍ୟାବସାୟିକ ପ୍ରତିଷ୍ଠାନ ଓ ସପିଂ ମଲ

କେନ୍ଦୁଝର/ବଡ଼ବିଲ : ରାଜ୍ୟକୁ ସର୍ବାଧିକ ରାଜସ୍ବ ଦେଉଥିବା ଅଞ୍ଚଳ ତଥା ରାଜ୍ୟର ରାଜସ୍ବ ରାଜଧାନୀ ଭାବେ ପରିଚିତ ବଡ଼ବିଲ ଏବେ ଆର୍ଥିକ ପମାନ୍ଦାବସ୍ଥାର ଶିକାର ହୋଇଛି। ସହରର ଗୋଟିଏ ପରେ ଗୋଟିଏ ଶିଳ୍ପ, ଖଣି, ବ୍ୟାବସାୟିକ ପ୍ରତିଷ୍ଠାନ, ସିନେମା ହଲ୍‌ ଓ ସପିଂ ମଲ ବନ୍ଦ ହେବାରେ ଲାଗିଛି।

କେନ୍ଦୁଝର ଜିଲ୍ଲାର ବଡ଼ବିଲ କହିଲେ, ଏକାଧିକ ଖଣି ଓ ଖଣିଜଭିତ୍ତିକ ଶିଳ୍ପକୁ ବୁଝାଏ। ଏହି ଖଣି ଓ ଶିଳ୍ପକୁ ଭିତ୍ତିକରି ଏଠାରେ ହଜାର ହଜାର ଶ୍ରମିକ, କର୍ମଚାରୀ ନିଜର ଜୀବନଜୀବିକା ନିର୍ବାହ କରିଥାନ୍ତି। ଶ୍ରମିକ/କର୍ମଚାରୀଙ୍କ ଚାହିଦାକୁ ଦୃଷ୍ଟିରେ ରଖି ବଡ଼ବଡ଼ ବ୍ୟାବସାୟିକ ପ୍ରତିଷ୍ଠାନ ଓ ସପିଂ ମଲ୍‌ ବି ଖୋଲିଥିଲା। ଏବେ ଆଉ ସେ ସମୟ ନାହିଁ। ଦିନେ ଯେଉଁ ସହରରୁ ହଜାର ହଜାର କୋଟି ରାଜସ୍ବ ଆଦାୟ ହୋଇ ରାଜ୍ୟ ରାଜକୋଷକୁ ଯାଉଥିଲା, ଏବେ ସେଠି ଆର୍ଥିକ ନିଅଣ୍ଟିଆ ଅବସ୍ଥା। କାମ ଖୋଜିଲେ ବି ମିଳୁନାହିଁ। ଖଣିଜ ସମୃଦ୍ଧ ଅଞ୍ଚଳର ଅଧିକାଂଶ ବାସିନ୍ଦାଙ୍କୁ ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡେ ନାହିଁ। ଶହଶହ କ୍ରସର ୟୁନିଟ୍‌ କେବେଠାରୁ ବନ୍ଦ ‌ହୋଇ ସାରିଲାଣି। ଶିଳ୍ପାୟନର ଗୌରବ କଳିଙ୍ଗ ଆଇରନ ୱାର୍କ୍ସ ବନ୍ଦ ହୋଇ କବାଡ଼ିଆଙ୍କୁ ବିକ୍ରି ହେବା ଅବସ୍ଥାରେ ରହିଛି। ରୋଜଗାର ନଥିବାରୁ ଲୋକେ ଅନ୍ୟତ୍ର ଚାଲିଗଲେଣି। ଏହାର ସିଧାସଳଖ ପ୍ରଭାବ ପଡ଼ିଛି ବଡ଼ବିଲ ସହରାଞ୍ଚଳ ଉପରେ। ସପିଂ ମଲ, ସିନେମା ହଲ୍‌ ଭଳି ପ୍ରତିଷ୍ଠାନ ବନ୍ଦ ହୋଇଗଲାଣି। ଶ୍ରମିକ/କର୍ମଚାରୀ ତ ଚାଲିଯାଇଥିଲେ, ବ୍ୟବସ୍ୟାୟୀ ମଧ୍ୟ ମୁହଁ ଫେରାଇଲେଣି।

ବଡ଼ବିଲକୁ ୧୯୫୭ ରେ ଏନଏସି ଓ ୧୯୬୯ ରେ ପୌରପାଳିକା‌ ମାନ୍ୟତା ମିଳିଥିଲା। ୨୦୧୧ ଜନଗଣନା ଅନୁଯାୟୀ ବଡ଼ବିଲ ସହରର ଲୋକସଂଖ୍ୟା ୬୬ ହଜାର ୫୪୦ ରହିଛି। ପୌରପାଳିକା‌ରେ ୧୦ ଟି ରାଜସ୍ବ ଗ୍ରାମ ସହ ୪୭ ଟି ବସ୍ତି ଅଞ୍ଚଳ ଅନ୍ତର୍ଭୁକ୍ତ। ୪୭ଟି ବସ୍ତିରୁ ମାତ୍ର ୧୩ ଟି ପଟ୍ଟାଭୁକ୍ତ ଅଞ୍ଚଳରେ ରହିଛି। ଅବଶିଷ୍ଟ ୩୪ ଟି ବସ୍ତି ବେଆଇନ ଭାବେ ଗଢ଼ିଉଠିଛି।

ଏକଦା ଏଠାକାର କଳିଙ୍ଗ ଲୁହା କାରଖାନାର ବେଶ୍‌ ପ୍ରସିଦ୍ଧି ଥିଲା। ସେହିପରି ବଲାଣିସ୍ଥିତ ସେଲ୍‌ କମ୍ପାନିର ଲୌହ ଖଣି, ଠାକୁରାଣୀସ୍ଥିତ ଓଏମ୍‌ଡିସି କମ୍ପାନିର ଲୌହ ଓ ମାଙ୍ଗାନିଜ ଖଣିକୁ ନେଇ ବଡ଼ବିଲ ସହର ଚଳଚଞ୍ଚଳ ଥିଲା। ରାଜ୍ୟ ସରକାରଙ୍କ ଇଡ୍‌କଲ କଳିଙ୍ଗ ଲୁହା କାରଖାନା ଗତ ୪ ବର୍ଷ ହେବ ସମ୍ପୂର୍ଣ୍ଣ ବନ୍ଦ ରହିଛି। କେନ୍ଦ୍ର ସରକାରଙ୍କ ଅଧୀନ ଠାକୁରାଣୀଠାରେ ଥିବା ଓଡ଼ିଶା ମିନେରାଲ୍ସ ଆଣ୍ଡ୍‌ ଡେଭଲପମେଣ୍ଟ କମ୍ପାନି ମଧ୍ୟ ବନ୍ଦ ରହିଛି। କଳିଙ୍ଗ କାରଖାନାରେ ୧୫୦୦ ସ୍ଥାୟୀ କର୍ମଚାରୀଙ୍କ ସହ ମୋଟ ୩ ହଜାରରୁ ଅଧିକ କର୍ମଚାରୀ ଚାକିରି କରୁଥିଲେ। ପ୍ରତ୍ୟକ୍ଷ ଓ ପରୋକ୍ଷରେ ପାଖାପାଖି ୧୦ ହଜାର ପରିବାର ଏହା ଉପରେ ନିର୍ଭର କରୁଥି‌ଲେ। ଓଏମ୍‌ଡିସି କମ୍ପାନିରେ ମଧ୍ୟ ୨୮୦ ସ୍ଥାୟୀ କର୍ମଚାରୀଙ୍କ ସହ ସମୁଦାୟ ୫୮୦ ଜଣ କାର୍ଯ୍ୟ କରୁଥିଲେ। ୮ ହଜାରରୁ ଅଧିକ ପରିବାର ପ୍ରତ୍ୟକ୍ଷ ଓ ପରୋକ୍ଷରେ ନିଜ ପରିବାର ପ୍ରତିପୋଷଣ କରୁଥିଲେ। ଏବେ ଶ୍ରମିକମାନଙ୍କୁ ଅଧା ଦରମା ମିଳୁଥିଲା ବେଳେ ଠିକା ଶ୍ରମିକଙ୍କୁ ୩ ମାସ ହେଲା ତାହା ମଧ୍ୟ ମିଳୁନାହିଁ।

ବିଶେଷକରି ୨୦୦୦ ମସିହା ପରେ ଖଣିଜ ପଦାର୍ଥ (ଲୁହାପଥର)ର ଚାହିଦା ହଠାତ ବଢ଼ିଯିବାରୁ ଜିଲ୍ଲା, ଜିଲ୍ଲା ବାହାରୁ, ରାଜ୍ୟ ବାହାରୁ ଶିଳ୍ପପତି/ବ୍ୟବସାୟୀମାନେ ଏଠାରେ ଧାଡ଼ି ଲଗାଇଥିଲେ। ବଡ଼ବିଲ ଶିଳ୍ପାଞ୍ଚଳରେ ଛତୁ ଫୁଟିଲା ଭଳି ଶହ ଶହ କ୍ରସର/କାରଖାନା ଖୋଲିଗଲା। ପ୍ରତ୍ୟକ୍ଷ ଓ ପରୋକ୍ଷରେ ହଜାର ହଜାର ଲୋକେ ରୋଜଗାର ପାଇଲେ। ହେଲେ ଗତ କିଛି ବର୍ଷ ହେବ ଅନେକ ଖଣି ବନ୍ଦ ହେବା ସହ ଖଣିଜ ବଜାରରେ ମାନ୍ଦା ଅବସ୍ଥା ଛାଇଯାଇଛି। ତା’ଛଡ଼ା ଉପଯୁକ୍ତି ଶିଳ୍ପନୀତି ଓ ପ୍ରୋତ୍ସାହନ ଅଭାବରୁ କ୍ରସର ଓ ଅନ୍ୟାନ୍ୟ ଛୋଟ ଶିଳ୍ପରେ ତାଲା ଝୁଲୁଛି। ଧୀରେଧୀରେ ଶିଳ୍ପପତିମାନେ ବଡ଼ବିଲ ସହର ଛାଡ଼ିବାକୁ ଆରମ୍ଭ କଲେ। ବଡ଼ବିଲ ଶିଳ୍ପାଞ୍ଚଳରେ ଗଢ଼ି ଉଠିଥିବା ଶହ ଶହ ଆଇରନ୍ କ୍ରସର ଏବେ ଖତ ଖାଉଛି। ଶ୍ରମିକମାନେ ରୋଜଗାର ହରାଇବାପରେ ଏଣେତେଣେ ଦିନ ମଜୁରି କରି ଚଳୁଛନ୍ତି। ବଡ଼ବିଲ ବଜାର ପୂରା ଖାଁ ଖାଁ ଲାଗୁଛି। ଜଳଖିଆ ଦୋକାନଠାରୁ ଆରମ୍ଭ କରି ଗାଡ଼ିମଟର ଯନ୍ତ୍ରାଂଶ, ଟାୟାର ଦୋକାନ, ଟାୟାର ମରାମତି ଦୋକାନ ଓ ଅନ୍ୟାନ୍ୟ ବ୍ୟବସାୟିକ ଅନୁଷ୍ଠାନ ଉପରେ ବ୍ୟାପକ ପ୍ରଭାବ ପଡ଼ିଥିବା ସ୍ପଷ୍ଟ ବାରିହୋଇ ଯାଉଛି। ଏଠାରେ ଏକ ସପିଂ ମଲ୍‌ର ଉଦାହରଣ ଦିଆଯାଇପାରେ। ବଡ଼ବିଲରେ ୧୦ ବର୍ଷ ତଳେ ରବି ସନ୍ସ ସପିଂ ମଲ୍‌ ଖୋଲିଥିଲା। ଅତ୍ୟାଧୁନିକ ଶୈଳୀରେ ଖୋଲିଥିବା ଏହି ମଲ୍‌ କିଛି ବର୍ଷ ଠିକ୍‌ଠାକ୍‌ ଚାଲିଥିଲା। ପ୍ରାୟ ୪ ବର୍ଷରୁ ଊର୍ଦ୍ଧ୍ବ ହେବ ଏହା ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି। ସେହିଭଳି ଅନ୍ୟାନ୍ୟ ବଡ଼ବଡ଼ ବ୍ୟବସାୟିକ ପ୍ରତିଷ୍ଠାନ ମଧ୍ୟ ଅନ୍ୟ ଅଞ୍ଚଳକୁ ଯାଇ ସାରିଲେଣି।

ତେବେ ଗୋଟିଏ କଥା ବିସ୍ମିତ କରୁଛି, ସରକାର ମେକ୍‌ ଇନ୍‌ ଓଡ଼ିଶା ମାଧ୍ୟମରେ ଲକ୍ଷ ଲକ୍ଷ କୋଟି ଟଙ୍କାର ପୁଞ୍ଜି ବିନିଯୋଗ କରୁଛନ୍ତି। ଭିତ୍ତିଭୂମି ଥିବା ସତ୍ତ୍ବେ, ଜମି ଅଧିଗ୍ରହଣ ସମସ୍ୟା ନଥାଇ ମଧ୍ୟ କଳିଙ୍ଗ ଲୁହା କାରଖାନା ଭଳି ଅନ୍ୟ ଶିଳ୍ପଗୁଡ଼ିକର ପୁନରୁଦ୍ଧାର ପାଇଁ ଆଗ୍ରହ ଦେଖାଉ ନାହାନ୍ତି। ଦ୍ବତୀୟତଃ ଏଠାରେ ପ୍ରଚୁର ଉନ୍ନତମାନର ଲୁହାପଥର/ମାଙ୍ଗାନିଜ ଭଳି କଞ୍ଚାମାଲ ଥିବା ସତ୍ତ୍ବେ ଖଣିଭିତ୍ତିକ ବୃହତ୍‌ ଶିଳ୍ପ ପ୍ରତିଷ୍ଠା ଦିଗରେ ଉଦ୍ୟମ କରାଯାଉନାହିଁ।

ଏ ସଂପର୍କରେ ବଡ଼ବିଲ ଅଞ୍ଚଳର ବ୍ୟବସାୟୀ ପ୍ରଦୀପ ଦାସ କହିଛନ୍ତି, ବିକାଶ ପାଇଁ ସରକାରୀସ୍ତରରେ ଆଗ୍ରହ ନାହିଁ। ଖାଲି ଖଣିରୁ ଲୁହାପଥର ଖୋଳି ନେଇ କତିପୟ ବ୍ୟକ୍ତି ମାଲାମାଲ୍‌ ହେଉଥିଲାବେଳେ ରାଜ୍ୟ ସରକାର ରାଜସ୍ବ ପାଇ ରାଜ୍ୟ ଚଳାଉଛନ୍ତି। ମାତ୍ର ବଡ଼ବିଲର ବିକାଶ ହେଉ କିମ୍ବା ଶିଳ୍ପ ପ୍ରତିଷ୍ଠା ନେଇ କୌଣସି ଆଗ୍ରହ ଦେଖାଉ ନାହାନ୍ତି ବୋଲି ସେ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର