କଳିଙ୍ଗନଗରକୁ ମାନ୍ଦାବସ୍ଥା ମାଡ଼ : ଗୋଟିଏ ପରେ ଗୋଟିଏ ଶିଳ୍ପସଂସ୍ଥା ବନ୍ଦ, ୩ ବର୍ଷରେ ଛଟେଇ ହେଲେଣି ୫୦୦୦
ଯଖପୁରା : ବିଶ୍ବରେ ଆର୍ଥିକ ମାନ୍ଦାବସ୍ଥାର ପ୍ରଭାବ ସିଧାସଳଖ ଇସ୍ପାତ ରାଜଧାନୀ କଳିଙ୍ଗନଗର ଉପରେ ପଡ଼ିଛି। ଇସ୍ପାତର ମାତ୍ରାଧିକ ମୂଲ୍ୟ ହ୍ରାସ ସାଙ୍ଗକୁ କଞ୍ଚାମାଲର ଅଭାବ ଇସ୍ପାତ ଶିଳ୍ପ ପ୍ରତିଷ୍ଠାନ ପାଇଁ ଜଟିଳ ସମସ୍ୟା ସୃଷ୍ଟି କରିଛି। ୩ ବର୍ଷରେ ପାଖାପାଖି ୫ ହଜାର ଲୋକ ଛଟେଇ ହୋଇଥିବାବେଳେ ଗୋଟିଏ ପରେ ଗୋଟିଏ ଶିଳ୍ପ ବନ୍ଦ ହେବାକୁ ବସିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଞ୍ଚଳରେ ରହିଛି ଟାଟା ଷ୍ଟିଲ, ଜିନ୍ଦଲ, ଭିସା ଷ୍ଟିଲ, ମେସ୍କୋ ଷ୍ଟିଲ, ମୈଥାନ ଇସ୍ପାତ, କେ ଜେ ଇସ୍ପାତ, ୟାଜଦାନୀ ଷ୍ଟିଲ୍ ଆଣ୍ଡ ପାୱାର, ରୋହିତ୍ ଫେରୋଟେକ୍, ବି ସି ମହାନ୍ତି ଆଣ୍ଡ ସନ୍ସ, ମିଶ୍ରିଲାଲ ଫେରୋ ଆଲଏଜ, ବାଲେଶ୍ଵର ଆଲଏଜ୍, ବିଆରପିଏଲ୍ ଏବଂ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନୀଳାଚଳ ଇସ୍ପାତ ନିଗମ ପ୍ରଭୃତି କାରଖାନା । ତେବେ ଟାଟା, ଜିନ୍ଦଲ ଏବଂ ବିଆରପିଏଲକୁ ବାଦ୍ ଦେଲେ ଅନ୍ୟ କାରଖାନାଗୁଡିକର ଏକାଧିକ ୟୁନିଟ୍ ବନ୍ଦ ହୋଇଗଲାଣି।
ସୂଚନା ଅନୁସାରେ, ମୈଥାନ ଇସ୍ପାତ କାରଖାନା ଗତ ୯ ମାସ ହେଲା ସମ୍ପୂର୍ଣ୍ଣ ବନ୍ଦ ଥିବାବେଳେ ସେଠାରେ କାର୍ଯ୍ୟରତ ୧୨୦୦ ଶ୍ରମିକ ଏବଂ କର୍ମଚାରୀ ଜୀବିକା ହରାଇଛନ୍ତି। ୟାଜଦାନୀ ଷ୍ଟିଲ୍ ଆଣ୍ଡ ପାୱାର କେବଳ ଡିଆରଆଇ ୟୁନିଟ୍ ଚଳାଉ ଥିବା ବେଳେ ରୋଲିଂ ମିଲ୍, ଏସ୍ଏମ୍ଏସ୍, ପାୱାର ପ୍ଲାଣ୍ଟ ବନ୍ଦ ରଖିଛି। ଗତ କିଛି ଦିନ ତଳେ ୬୪ ଜଣ ଶ୍ରମିକଙ୍କୁ ଛଟେଇ କରାଯାଇଛି। କେଜେ ଇସ୍ପାତ ଅନେକ ଦିନ ବନ୍ଦ ରହିଲା ପରେ କିଛି ଦିନ ହେଲା ଉତ୍ପାଦନ ଆରମ୍ଭ କରିଛି। ସେହିପରି ରୋହିତ ଫେରୋଟେକ୍ ତାର ଉତ୍ପାଦନ କ୍ଷମତାର ମାତ୍ର ୪୦ ପ୍ରତିଶତ ଫେରୋକ୍ରୋମ ଉତ୍ପାଦନ କରୁଛି। ୪ଶହ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ କରି ମଧ୍ୟ ପାୱାର ପ୍ଲାଣ୍ଟକୁ କାର୍ଯ୍ୟକ୍ଷମ କରିପାରି ନାହିଁ। ୨୫୦୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା ବିନିଯୋଗରେ ପ୍ରତିଷ୍ଠା ହୋଇଥିବା ଭିସା ଷ୍ଟିଲ କାରଖାନା ନିଜର କୋକ୍ ଓଭେନ୍ ୟୁନିଟ୍ ଚାଲୁ ରଖିଥିବା ବେଳେ ବ୍ଲାଷ୍ଟ ଫର୍ଣ୍ଣେସ୍, ଏସଏମଏସ୍, ଡିଆରଆଇ, ଫେରୋକ୍ରୋମ, ରୋଲିଂ ମିଲ୍କୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରି ଦେଇଛି। ପାୱାର ପ୍ଲାଣ୍ଟକୁ କେବଳ କାରଖାନା ଆଲୋକୀକରଣ ପାଇଁ ଚାଲୁ ରଖିଛି। ଭିସା କର୍ତ୍ତୃପକ୍ଷ ଡିଆରଆଇ ଏବଂ ଫେରୋକ୍ରମ୍ ୟୁନିଟରେ କାର୍ଯ୍ୟରତ ୬୦୦ରୁ ଊର୍ଦ୍ଧ୍ବ ଶ୍ରମିକଙ୍କୁ ଅସ୍ଥାୟୀ ଭାବେ ଛଟେଇ କରିଛନ୍ତି। କାରଖାନା ଚାଲୁ ହେଲେ କାମ କରିବାକୁ ଡକାଯିବ ବୋଲି କହି ବିଦା କରିଛି।
ବିଶ୍ବ ବଜାରରେ ଫେରୋକ୍ରୋମର ମୂଲ୍ୟ ମାତ୍ରାଧିକ ହ୍ରାସ ସାଙ୍ଗକୁ ନିଜସ୍ୱ ଖଣି ନଥିବାରୁ କାରଖାନାଗୁଡିକ କ୍ଷତି ସହି ଚାଲିଛନ୍ତି। କ୍ରୋମାଇଟ ପାଇଁ କାରଖାନା ରାଜ୍ୟ ସରକାରଙ୍କ ଖଣି ନିଗମ (ଓଏମସି) ଉପରେ ନିର୍ଭରଶୀଳ ଥିଲାବେଳେ ଓଏମସି କ୍ରୋମାଇଟ ମୂଲ୍ୟ କମ୍ କରୁନାହିଁ। ଉଚ୍ଚା ଦରରେ କ୍ରୋମାଇଟ୍, ବିଜୁଳି ଏବଂ ଲାମକୋକ୍ କିଣି ଫେରୋକ୍ରୋମ ଉତ୍ପାଦନ କରୁଥିବା କାରଖାନାଗୁଡିକ ପ୍ରତି ଟନରେ ୧୨ରୁ ୧୫ହଜାର ଟଙ୍କା କ୍ଷତି ସହୁଛନ୍ତି। ଏପରିସ୍ଥଳେ ଫାଷ୍ଟ୍ କମ୍ ଫାଷ୍ଟ୍ ଲୋଡ୍ ବିବାଦ ଯୋଗୁଁ ଗତ ପାଞ୍ଚ ଦିନ ହେଲା କ୍ରୋମାଇଟ୍ ପରିବହନ ବନ୍ଦ ପାଇଁ କଞ୍ଚାମାଲର ଅଭାବ ଦେଖାଦେଇଛି। ଏହି କାରଣରୁ ଫେରୋକ୍ରୋମ ଉତ୍ପାଦନ କରୁଥିବା ରୋହିତ୍, ଭିସା, ଜିନ୍ଦଲ, ବାଲେଶ୍ବର ଆଲଏଜ, ମିଶ୍ରି ଲାଲ, ବି ସି ମହାନ୍ତି କାରଖାନାର ସ୍ଥିତି ସଙ୍ଗିନ ହୋଇପଡ଼ିଛି। ସେହିପରି ମେସ୍କୋ କାରଖାନା ତାର ବ୍ଲାଷ୍ଟ୍ ଫର୍ଣ୍ଣେସକୁ ବର୍ଷରେ ଅଧିକାଂଶ ସମୟ ବନ୍ଦ ରଖୁଛି। ଏକମାତ୍ର ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନୀଳାଚଳ ଇସ୍ପାତରୁ ଏମ୍ଏମ୍ଟିସି ତାର ଅଂଶଧନ ପ୍ରତ୍ୟାହାର କରିବା ଲକ୍ଷ୍ୟରେ ଅଛି। ଏବେ କଞ୍ଚାମାଲ ଯୋଗାଣ ବନ୍ଦ କରିଛି। ତେଣୁ କାର୍ଯ୍ୟରତ ଦୁଇ ଜହାରରୁ ଊର୍ଦ୍ଧ୍ବ ଶ୍ରମିକ ଏବଂ କର୍ମଚାରୀଙ୍କ ଜୀବିକା ବିପନ୍ନ ହେବାକୁ ଯାଉଛି।
ଶିଳ୍ପସଂସ୍ଥା ଗୁଡ଼ିକ ଲାଭ କରିବା ବଦଳରେ ଦିନକୁ ଦିନ ରୁଗ୍ଣ ହେବାକୁ ଯାଉଥିବାରୁ ଏହିଭଳି ପରିସ୍ଥିତି ସୃଷ୍ଟି ହୋଇଛି। ସରକାର ଶିଳ୍ପ ନୀତିରେ ପରିବର୍ତ୍ତନ ଆଣିବା ସହିତ ପ୍ରୋତ୍ସାହନ ପାଇଁ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିବାକୁ ବିଭିନ୍ନ ଶିଳ୍ପସଂସ୍ଥା ପକ୍ଷରୁ ଦାବି କରାଯାଇଛି।