ଜଳସମ୍ପଦ ବିଭାଗର ଉଦ୍‌ବେଗ : ଆବଣ୍ଟିତ ଜଳ ବ୍ୟବହାର କରୁନାହାନ୍ତି ବଡ଼ ଶିଳ୍ପ

ଭୁବନେଶ୍ବର : ରାଜ୍ୟରେ ଥିବା ବଡ଼ ବଡ଼ ଶିଳ୍ପ ଉପରେ ଜଳ କର ବାକି ପଡ଼ିଛି। ଏ ନେଇ ସରକାରଙ୍କୁ ବିଧାନସଭା ଭିତରେ ଓ ବାହାରେ ଜବାବ ଦେବାକୁ ପଡ଼ୁଛି। ଏବେ କିନ୍ତୁ ବିଚିତ୍ର ସ୍ଥିତି ଦେଖିବାକୁ ମିଳିଲାଣି। ବଡ଼ ବଡ଼ ଶିଳ୍ପ ଓ ବ୍ୟବସାୟିକ ପ୍ରତିଷ୍ଠାନମାନେ ଆବଣ୍ଟିତ ଜଳ ବ୍ୟବହାର କରୁନାହାନ୍ତି କି କେତେ ଜଳ ବ୍ୟବହାର କଲେ ସେ ପ୍ରମାଣ ସଂଗ୍ରହ ପାଇଁ ଆବଶ୍ୟକ ଫ୍ଲୋ ମିଟର ଲଗାଇନାହାନ୍ତି। ଖୋଦ ଜଳ ସମ୍ପଦ ବିଭାଗ ସମୀକ୍ଷା ବୈଠକରେ ଏପରି ସାଂଘାତିକ ତଥ୍ୟ ସାମନାକୁ ଆସିଛି। ଫଳରେ ନୂଆ ଶିଳ୍ପ ପାଇଁ ଜଳ ଆବଣ୍ଟନ ନେଇ ଘୋର ସଂକଟ ସୃଷ୍ଟି ହୋଇଛି।

ଗତ ୩ ତାରିଖରେ ଜଳ ସମ୍ପଦ ବିଭାଗ ସ୍ବତନ୍ତ୍ର ଶାସନ ସଚିବ ଅର୍ଚ୍ଚନା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରୁ ଜଣାପଡ଼ିଛି, ୬ଟି ବଡ଼ ଶିଳ୍ପ ବନ୍ଦ ହୋଇଗଲାଣି କିନ୍ତୁ ସେମାନଙ୍କ ବ୍ୟବହାର ପାଇଁ ଆବଣ୍ଟିତ ହୋଇଥିବା ଜଳ ପରମିଟ ଏପର୍ଯ୍ୟନ୍ତ ରଦ୍ଦ ହୋଇନାହିଁ। କିଛି ଶିଳ୍ପ ଆବଣ୍ଟିତ ଜଳ ପରିମାଣଠାରୁ କମ ବ୍ୟବହାର କରୁଛନ୍ତି। ଅଧିକାଂଶ ଶିଳ୍ପ ଜଳ ବ୍ୟବହାର କରିବା ନେଇ ଫ୍ଲୋମିଟର ଲଗାଇନାହାନ୍ତି ଯାହା ଫଳରେ ନଦୀରୁ କେତେ ଜଳ ସେସବୁ ଶିଳ୍ପ ବ୍ୟବହାର କରୁଛନ୍ତି ତାର ସଠିକ୍ ତଥ୍ୟ ସରକାର ଜାଣିପାରୁନାହାନ୍ତି। ୯ଟି ନୂଆ ଶିଳ୍ପକୁ ଜଳ ବ୍ୟବହାର କରିବାକୁ ଜଳ ସମ୍ପଦ ବିଭାଗ ଅନୁମୋଦନ ଦେଇଥିଲେ ବି ମୁଖ୍ୟଯନ୍ତ୍ରୀଙ୍କ ପାଖରେ ଏହି ଅନୁମୋଦନର ନିର୍ଦ୍ଦେଶନାମା ପହଞ୍ଚିପାରିନି। ୧୬ଟି ଶିଳ୍ପ ଆବେଦନ କରିଥିଲେ ବି ଏ ଯାଏଁ ଜଳ ସମ୍ପଦ ବିଭାଗ ସେମାନଙ୍କୁ ଜଳ ଆବଣ୍ଟନ କରିପାରିନି। ଏପରିକି ଅନିୟମିତତା କରିଥିବା ୩୬ଟି ଶିଳ୍ପ ବିରୋଧରେ ଚଳିତମାସ ୩୧ ତାରିଖ ସୁଦ୍ଧା କାର୍ଯ୍ୟାନୁଷ୍ଠାନ ନେବାକୁ ବିଭାଗୀୟ ସ୍ବତନ୍ତ୍ର ସଚିବ ନିର୍ଦ୍ଦେଶ ଦେଇଛନ୍ତି।

ସମୀକ୍ଷା ବୈଠକରେ ବିଭାଗୀୟ ଉପ-ନିର୍ଦ୍ଦେଶକ ଜଳସମ୍ପଦ ବ୍ୟବହାର ନେଇ ୧୦୩ଟି ଶିଳ୍ପର ଆବେଦନ ଅନୁମୋଦନ ଅପେକ୍ଷାରେ ପଡ଼ିରହିଥିବା ଜଣାଇଛନ୍ତି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ୧୪ଟି ଶିଳ୍ପର ଫାଇଲ ବିଭାଗ କେଉଁଠି ରଖିଛି ତାର ଖୋଜ ଖବର ମିଳୁନି। ଚଳିତ ମାସ ୩ ତାରିଖରେ ହୋଇଥିବା ସମୀକ୍ଷା ବୈଠକର ବିବରଣୀକୁ ଦେଖିଲେ ଜଣାପଡ଼ୁଛି, ଶିଳ୍ପକୁ ଜଳ ଆବଣ୍ଟନ ନେଇ ଏପରି ଗଦାଗଦା ଅନିୟମିତତା ଦେଖି ଜଳ ସମ୍ପଦ ବିଭାଗ ସ୍ବତନ୍ତ୍ର ଶାସନ ସଚିବ ଉଦବେଗ ପ୍ରକାଶ କରିଛନ୍ତି। ପୁରୁଣା ବଡ଼ବଡ଼ ଶିଳ୍ପ ଆବଣ୍ଟିତ ଜଳ ବ୍ୟବହାର କରୁନଥିବାରୁ ନୂଆ ଶିଳ୍ପ ପାଇଁ କିପରି ଆବଣ୍ଟନ କରାଯିବ ସେଥିପାଇଁ ବିଭାଗ ଅକଳରେ ପଡ଼ିଛି। ଖୁବଶୀଘ୍ର ଏହାର ସମାଧାନ ବାହାର କରିବାକୁ ଏବେ ବିଭାଗୀୟ କସରତ ଆରମ୍ଭ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର