୬ ଶିଳ୍ପ ସଂସ୍ଥାର ୫୬ କୋଟି ଜଳକର ବାକି : ପାଣି ଶୋଷୁଛନ୍ତି, ଖଜଣା ଦେଉନାହାନ୍ତି

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଅନେକଗୁଡ଼ିଏ ଖଣି ଓ କଳକାରଖାନା ଭର୍ତ୍ତି ହୋଇ ରହିଛି। ଏହି ଶିଳ୍ପସଂସ୍ଥାଗୁଡ଼ିକୁ ନିୟମିତଭାବେ ବହୁ ପରିମାଣର ଜଳଯୋଗାଣ ହେଉଛି। ସେଥିପାଇଁ ବିଭିନ୍ନ ନଦୀରୁ ସିଧାସଳଖ ପାଣି ଉଠା ଯାଉଥିବାବେଳେ ସ୍ବତନ୍ତ୍ରଭାବେ କଳାକାରଖାନାକୁ ମଧ୍ୟ ଜଳଯୋଗାଣ ହେଉଛି। ଏହି ଶିଳ୍ପସଂସ୍ଥାଗୁଡ଼ିକ ଜଳ ଶୋଷି ଚାଲିଛନ୍ତି; ମାତ୍ର ସେମାନଙ୍କ ଭିତରୁ ଅଧିକାଂଶ ଜଳକର ଦେଉନାହାନ୍ତି। ଫଳରେ ସରକାରଙ୍କର ବହୁ ରାଜସ୍ବ ହାନି ହେଉଛି। ସୁନ୍ଦରଗଡ଼ ଜଳସେଚନ ଡିଭିଜନ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ସଂପ୍ରତି ୧୧୦ଟି ଛୋଟବଡ଼ ଶିଳ୍ପସଂସ୍ଥା କାର୍ଯ୍ୟକ୍ଷମ। ଏଥି ମଧ୍ୟରୁ ୬ଟି ବଡ଼ବଡ଼ ଶିଳ୍ପସଂସ୍ଥା ଉପରେ ଗତ ମାର୍ଚ୍ଚ ମାସ ସୁଦ୍ଧା ଜଳକର ବାବଦକୁ ୫୬ କୋଟି ଟଙ୍କା ବକେୟା ରହିଛି। ଦୀର୍ଘ ବର୍ଷ ହେଲା ଏହି ସଂସ୍ଥାଗୁଡ଼ିକ ଜଳକର ଫାଙ୍କି ଚାଲୁଥିବାରୁ ବକେୟା ପରିମାଣ ବୃଦ୍ଧି ପାଇବାରେ ଲାଗିଛି। ବିଭାଗ ପକ୍ଷରୁ ବାରମ୍ବାର ନୋଟିସ୍‌ ଜାରି ହେଲେ ମୋଟ୍‌ ବକେୟା ପରିମାଣର ୨୫/୩୦ ପ୍ରତିଶତ ଅର୍ଥ ପୈଠ କରି ସେମାନେ ନିଜନିଜ ଶିଳ୍ପ ସଂସ୍ଥାର ଉତ୍ପାଦନ ଜାରି ରଖିଛନ୍ତି।

ସୁନ୍ଦରଗଡ଼ ଜଳସେଚନ ବିଭାଗ ଯେଉଁ ବୃହତ୍‌ ଶିଳ୍ପ ସଂସ୍ଥାଗୁଡ଼ିକର ବକେୟା ୧ କୋଟିରୁ ଅଧିକ ରହିଛି, ସେଗୁଡ଼ିକ ହେଉଛି ଟେନ୍‌ସା ସ୍ଥିତ ବରସୁଆଁ ଆଇରନ୍‌ଓର୍‌ ମାଇନ୍‌, ବଣାଇଁ ସ୍ଥିତ ବି.ଆର୍‌. ସ୍ପଞ୍ଜ୍‌, କୁଆରମୁଣ୍ଡା ସ୍ଥିତ ଆଧୁନିକ ମେଟାଲିକ୍‌ସ, ଲମଲୋଇ ସ୍ଥିତ ଓ.ସି.ଏଲ. ଆଇରନ୍‌ ଆଣ୍ଡ୍‌ ଷ୍ଟିଲ୍‌ ଲିମି‌ଟେଡ୍‌, ବଲଣ୍ଡା ସ୍ଥିତ ଜୟ ଆଇରନ ଆଣ୍ଡ୍‌ ଷ୍ଟିଲ ଲିମିଟେଡ୍‌ ଓ କଲୁଙ୍ଗା ସ୍ଥିତ କଳିଙ୍ଗ ସ୍ପଞ୍ଜ୍‌ ଲିମିଟେଡ୍‌। ଆଧୁନିକ ମେଟାଲିକ୍‌ସର ସର୍ବାଧିକ ୪୨.୨୪ କୋଟି ବାକି ଥିବାବେଳେ ଓସିଏଲ୍‌ ଆଇରନ ଆଣ୍ଡ୍‌ ଷ୍ଟିଲ ଲିମିଟେଡ୍‌ର ୪.୨୯ କୋଟି, ବରସୁଆ ଆଇରନ ଓର୍‌ ମାଇନ୍‌ର ୨.୧୯ କୋଟି, ବି.ଆର୍‌. ସ୍ପଞ୍ଜ୍‌ର ୧.୮୩ କୋଟି, ଜୟ ଆଇରନ ଆଣ୍ଡ୍‌ ଷ୍ଟିଲ ଲିମିଟେଡ୍‌ର ୨.୪୯ କୋଟି ଏବଂ କଳିଙ୍ଗ ସ୍ପଞ୍ଜ୍‌ ଲିମିଟେଡ୍‌ର ୨.୯୬ କୋଟି ଟଙ୍କା ବକେୟା ରହିଛି। ଏହି ସଂସ୍ଥାଗୁଡ଼ିକର ମୋଟ୍‌ ବକେୟା ଥିବା ୫୬.୦୩ କୋଟିରୁ ଚଳିତ ଆର୍ଥିକ ବର୍ଷରେ ୧୦.୪ କୋଟି ଟଙ୍କା ଆଦାୟ କରିବାକୁ ଜଳସେଚନ ବିଭାଗ ଲକ୍ଷ୍ୟ ଧାର୍ଯ୍ୟ କରିଛି। ଏହାବାଦ୍‌ ଚଳିତ ବର୍ଷର ମଧ୍ୟ ଜଳକର ଆଦାୟ କରାଯିବ। ବକେୟା ଦେୟ ବାବଦକୁ ବରସୁଆ ଆଇରନ୍‌ ଓର୍‌ ଆଣ୍ଡ୍‌ ମାଇନ୍‌ରୁ ଚଳିତ ଆର୍ଥିକ ବର୍ଷରେ ୫୦ ଲକ୍ଷ ଟଙ୍କା ଆଦାୟ କରିବାକୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିବାବେଳେ ବି.ଆର୍‌ ସ୍ପଞ୍ଜ୍‌ରୁ ୨୦ ଲକ୍ଷ, ଓସିଏଲ ଆଇରନ ଆଣ୍ଡ୍‌ ଷ୍ଟିଲ୍‌ ଲିମିଟେଡ୍‌ରୁ ୧ କୋଟି, ଆଧୁନିକ ମେଟାଲିକ୍‌ସରୁ ୭.୬୪ କୋଟି, ଜୟ ଆଇରନ ଆଣ୍ଡ୍‌ ଷ୍ଟିଲ ଲିମିଟେଡ୍‌ରୁ ୩୦ ଲକ୍ଷ ଏବଂ କଳିଙ୍ଗ ସ୍ପଞ୍ଜ୍‌ରୁ ୪୦ ଲକ୍ଷ ଟଙ୍କା ବକେୟା ଜଳକର ବାବଦକୁ ଆଦାୟ କରାଯିବ ବୋଲି କୁହା ଯାଉଛି। ଏଠାରେ ଉଲ୍ଲେଖନୀୟ ଯେ ସବୁଠାରୁ ଅଧିକ ବକେୟା (୪୨.୨୪ କୋଟି) ଥିବା ଆଧୁନିକ ମେଟାଲିକ୍‌ସ ଇତିମଧ୍ୟରେ ବନ୍ଦ ହୋଇ ଯାଇଛି। ଉକ୍ତ କାରଖାନାର ମାଲିକାନା ବିକ୍ରି ହୋଇ ଯାଇଛି, କିନ୍ତୁ ସେ ମାମଲା ମଧ୍ୟ ଏବେ ଅଦାଲତରେ। ତେଣୁ ସେଠାରୁ ବକେୟା ଆଦାୟ ପ୍ରସଙ୍ଗ ଘୋର ଅନିର୍ଦ୍ଦିଷ୍ଟତା ମଧ୍ୟରେ ରହିଛି। କହିବା ଅନାବଶ୍ୟକ ଯେ ଠିକ୍ ସମୟରେ ଠିକ୍ ପରିମାଣରେ ଜଳକର ଆଦାୟ କରା ଯାଉ ନଥିବାରୁ ଏଭଳି ପରିସ୍ଥିତି ଉପୁଜିଛି। ହଜାର ହଜାର ହେକ୍ଟର ଚାଷଜମିକୁ ଜଳସେଚନର ସୁବିଧା ନଦେଇ ଶିଳ୍ପକୁ ଜଳ ଦିଆ ଯାଉଛି। ସେଭଳି ଏକ ମୂଲ୍ୟବାନ ପ୍ରାକୃତିକ ସଂପଦ ମାମଲାରେ ଏତେ ଢ଼ିଲାପଣ ଆଶା କରା ଯାଏନାହିଁ ବୋଲି ଆଲୋଚନା ହେଉଛି।

ସମ୍ବନ୍ଧିତ ଖବର