ରୁଗ୍‌ଣ ହେଉଛି ଝାରସୁଗୁଡ଼ା ଅର୍ଥନୀତି : ବନ୍ଦ ହେଉଛି ଗୋଟିଏ ପରେ ଗୋଟିଏ ଶିଳ୍ପ

ଝାରସୁଗୁଡ଼ା : ଏକଦା ଶିଳ୍ପନଗରୀର ଗୌରବ ଅର୍ଜନ କରିଥିବା ଝାରସୁଗୁଡ଼ାର ଗୋଟିଏ ପରେ ଗୋଟିଏ ଶିଳ୍ପ ବନ୍ଦ ହେବାରେ ଲାଗିଛି। ଶିଳ୍ପସ˚ସ୍ଥାଗୁଡ଼ିକ ବନ୍ଦ ହୋଇଯିବା ପରେ ଏହାର ସିଧାସଳଖ ପ୍ରଭାବ ଜିଲ୍ଲାର ଅର୍ଥନୈତିକ ଅଭିବୃଦ୍ଧି, ନିଯୁକ୍ତି ଓ ବ୍ୟବସାୟ ଉପରେ ପଡ଼ୁଛି। ଜିଲ୍ଲାରେ ଦ୍ରୁତ ଗତିରେ ବେକାରୀ ସମସ୍ୟା ବଢ଼ୁଛି। ବେକାର ଯୁବକ ବିପଥଗାମୀ ହେବାରୁ ଜିଲ୍ଲାରେ ଦିନକୁ ଦିନ ଅପରାଧ ସ˚ଖ୍ୟା ମଧ୍ୟ ବୃଦ୍ଧି ପାଉଛି।

୨୦୦୦ ମସିହା ପରେ ଜିଲ୍ଲାରେ ଶିଳ୍ପର ଦୃତ ଅଭିବୃଦ୍ଧି ଘଟିଥିଲା। ଗୋଟିଏ ପରେ ଗୋଟିଏ ଶିଳ୍ପ ସ˚ସ୍ଥା ପ୍ରତିଷ୍ଠା ହେବାପରେ ଝାରସୁଗୁଡ଼ାର ଗୁରୁତ୍ବ ବୃଦ୍ଧି ପାଇଥିଲା। ୨୦୦୧ ମସିହାରେ ଜିଲ୍ଲା ସଦର ମହକୁମା ହିର‌୍‌ମା ପଞ୍ଚାୟତରେ ଏସ୍‌ଏମ୍‌ସି କାରଖାନା ଓ ସିଙ୍ଘଲ ସ୍ପଞ୍ଜ୍ ଆଇରନ୍‌ କାରଖାନା ପ୍ରତିଷ୍ଠା ହୋଇଥିଲା। ବଡ଼ମାଳ ପଞ୍ଚାୟତରେ ଏସ୍‌ପିଏଲ୍‌ କାରଖାନା, ଜମେରା ନିକଟରେ ଆକ୍‌ସନ୍‌ ଇସ୍ପାତ, ଲହଣ୍ତାବୁଡ଼ଠାରେ ଇଏସ୍‌ପିଏଲ୍‌ କାରଖାନା, ପଣ୍ତରୀପଥର ନିକଟରେ ଏମ୍‌ଏସ୍‌ପି, ସିରିଆପାଲି ନିକଟରେ ମାଧବ ଇସ୍ପାତ, ରଘୁନାଥପାଲି ନିକଟରେ ଜୟ ହନୁମାନ କାରଖାନା, ଶ୍ରୀପୁରାଠାରେ ଏଲ୍‌ଏନ୍‌ ମେଟାଲିକ୍‌, ଭୁକାର୍ମୁଣ୍ତାରେ ବେଦାନ୍ତ କାରଖାନା ପ୍ରତିଷ୍ଠା ହୋଇଥିଲା। ସେହିପରି ଅନେକ ଛୋଟ ବଡ଼ ସ୍ପଞ୍ଜ୍‌ ଆଇରନ୍‌ କାରଖାନା ଯୋଗୁଁ ଜିଲ୍ଲାର ଅର୍ଥନୀତିରେ ଅନେକ ଆଖିଦୃଶିଆ ପରିବର୍ତ୍ତନ ଆସିଥିଲା। କାରଖାନା ଚାଲିବା ଫଳରେ ସାରା ଭାରତ ବର୍ଷରୁ ବହୁ ବ୍ୟାବସାୟିକ ସ˚ସ୍ଥା, ବୈଷୟିକ ସ˚ସ୍ଥା, ଯୋଗାଣକାରୀ ସ˚ସ୍ଥା ଓ ନିର୍ମାଣକାରୀ ସ˚ସ୍ଥା ଏଠାରେ ଡେ଼ରା ପକାଇଥିଲେ। କାରଖାନା ଓ ଏହାକୁ ନେଇ ଗଢ଼ି ଉଠିଥିବା ସ˚ପୃକ୍ତ ବିଭିନ୍ନ ସ˚ସ୍ଥାରେ ହଜାର ହଜାର ନିଯୁକ୍ତି ସୃଷ୍ଟି ହୋଇଥିଲା। କାରଖାନା ଯୋଗୁଁ ପ୍ରତିଦିନ ବାହାରୁ ଶତାଧିକ ଲୋକଙ୍କ ସାମଗମ ହେବାରେ ଲାଗିଥିଲା। ନିଯୁକ୍ତି ବୃଦ୍ଧି ପାଇଥିବା ବେଳେ ଲୋକଙ୍କ ଆବଶ୍ୟକତା ମଧୢ ବୃଦ୍ଧି ପାଇଥିଲା। ଆବଶ୍ୟକତାକୁ ଦୃଷ୍ଟିରେ ରଖି ଜିଲ୍ଲାର ବ୍ୟବସାୟରେ ବଡ଼ ଧରଣର ପରିବର୍ତ୍ତନ ହୋଇଥିଲା। ଝାରସୁଗୁଡ଼ା ସହରରେ ରହିବା ପାଇଁ ଭଡ଼ା ଘରର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଶତାଧିକ ଗୃହ ଓ ଆପାର୍ଟମେଣ୍ଟ ନିମାର୍ଣ ହୋଇଥିଲା। ସେହି ଅନୁଯାୟୀ ବଡ଼ ବଡ଼ ହୋଟେଲ ବି ପ୍ରତିଷ୍ଠା ହୋଇଥିଲା। ଏହି ହୋଟେଲଗୁଡ଼ିକରେ ରହିବା ପାଇଁ ବିଭିନ୍ନ ବର୍ଗର ଲୋକଙ୍କ ରୁଚି ଅନୁଯାୟୀ କୋଠରି ପ୍ରସ୍ତୁତ ହୋଇଥିଲା। ସହରରେ ବଡ଼ ବଡ଼ ବ୍ୟବସାୟ ପ୍ରତିଷ୍ଠାନ, ମଲ୍‌ ଖୋଲିଥିଲା। କିଛି ଦିନ ଝାରସୁଗୁଡ଼ା ଏକ ସମୃଦ୍ଧ ସହରରେ ପରିଣତ ହୋଇଯାଇଥିଲା।

ତେବେ ବିଭିନ୍ନ କାରଣ ଯୋଗୁଁ ଗଢ଼ି ଉଠିଥିବା ଶିଳ୍ପ କାରଖାନାଗୁଡ଼ିକ ଗୋଟିଏ ପରେ ଗୋଟିଏ ବନ୍ଦ ହୋଇଗଲାଣି। ସଡ଼କ, ରେଳପଥ, ବିମାନବନ୍ଦର ଆଦି ଭିତ୍ତିଭୂମିରେ ଆଖିଦୃଶିଆ ଉନ୍ନତି ସତ୍ତ୍ବେ ହାତଗଣତି ୩/୪ ଟି ବଡ଼ ଶିଳ୍ପକୁ ଛାଡ଼ି ଦେଲେ ଏବେ ପ୍ରାୟ ସବୁ ବନ୍ଦ ହୋଇଯାଇଛି। କନ୍‌କାଷ୍ଟ, ମାଧବ ଇସ୍ପାତ, ଜୟ ହନୁମାନ, ଏମ୍‌ଏସ୍‌ପି, ଇଏସ୍‌ପିଏଲ୍‌, ସମଲେଇ ପ୍ଲାଣ୍ଟ ସମେତ ଅନେକ ପ୍ଲାଣ୍ଟ ବନ୍ଦ ହୋଇଯାଇଛି। ଫଳରେ ଜିଲ୍ଲାରେ ଏବେ ନିଯୁକ୍ତି ମୁଖ୍ୟ ସମସ୍ୟା ପାଲଟିଛି। ବେକାରୀ ସ˚ଖ୍ୟା ହୁ ହୁ ହୋଇ ବଢ଼ି ଚାଲିଛି। ରୋଜଗାର ନପାଇ ଯୁବ ସମାଜ କୁପଥଗାମୀ ହେଉଛି। ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ଅପରାଧିକ କାର୍ଯ୍ୟକଳାପ ଚିନ୍ତାଜନକ ଭାବରେ ବୃଦ୍ଧି ପାଇଛି। ଜିଲ୍ଲାରେ ବେଦାନ୍ତ, ଏସ୍‌ଏମ୍‌ସି, ଅପାର, ଅଲଟ୍ରାଟେକ୍‌ ଭଳି ହାତଗଣତି କିଛି କାରଖାନା ଚାଲୁଥିବା ବେଳେ ଏଠାରେ ନିଯୁକ୍ତିର ସୀମିତ ସୁଯୋଗ ରହୁଛି। ବାହାର ରାଜ୍ୟର ଲୋକଙ୍କୁ ଅଧିକ ନିଯୁକ୍ତି ମିଳୁଥିବା ବେଳେ ସ୍ଥାନୀୟ ଯୁବକ ପ୍ରତାରିତ ହେଉଥିବା ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଛି। ସେହିପରି ଜିଲ୍ଲାରେ ଥିବା ବିଭିନ୍ନ କୋଇଲା ଖଣିରେ ମଧ୍ୟ ସ୍ଥାନୀୟ ନିଯୁକ୍ତିକୁ ନେଇ ସବୁବେଳେ ଅ‌ସନ୍ତୋଷ ରହିଛି। କାରଖାନା ବନ୍ଦ, ସ୍ଥାନୀୟ ନିଯୁକ୍ତିକୁ ଅଣଦେଖାର କୁପ୍ରଭାବ ଜିଲ୍ଲାର ଆର୍ଥିକ ସ୍ଥିତିକୁ ଦୁର୍ବଳ କରି ଦେଇଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର