ଭୁବ‌ନେଶ୍ବର: ବିଦ୍ୟାଳୟଠାରୁ ବିଶ୍ବବିଦ୍ୟାଳୟ ପର୍ଯ୍ୟନ୍ତ ଲାଗୁ ହୋଇଛି ଶିକ୍ଷା କ୍ୟାଲେଣ୍ଡର। କେବେ ଖରା ଛୁଟି ହେବ, କେତେ ଦିନ କ୍ଲାସରୁମ୍‌ ପାଠପଢ଼ା ବନ୍ଦ ରହିବ, ଖରା ଛୁଟିରେ ପିଲାମାନେ କେଉଁ ପ୍ରକାର ହୋମ୍‌ୱାର୍କ କରିବେ ଆଦି ବିଷୟରେ ସ୍ପଷ୍ଟ ଭାବେ ଉଲ୍ଲେଖ ହୋଇଛି। ପ୍ରତି ଶିକ୍ଷାବର୍ଷ ଆରମ୍ଭରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ ବିଜ୍ଞପ୍ତି ବି ଜାରି କରାଯାଇ ପଦକ୍ଷେପ ନେବାକୁ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷଙ୍କୁ କୁହାଯାଉଛି। ମାତ୍ର ଲଗାତାର ୫ ବର୍ଷ ହେଲା ତାତି ସବୁ କିଛି ବିଗାଡ଼ି ଦେଉଛି। ଧାର୍ଯ୍ୟ ସମୟର ବହୁ ପୂର୍ବରୁ ବିଦ୍ୟାଳୟଗୁଡ଼ିକରେ ଖରା ଛୁଟି ହୋଇଯାଉଛି। ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ କେବେ ଛୁଟି ହେଉଛି ତାହାର କୌଣସି ଟେର୍‌ କେହି ପାଉନାହାନ୍ତି। ଯେଉଁ ସମୟ ମଧ୍ୟରେ ସେମିଷ୍ଟାର ପିଲାଙ୍କ ପରୀକ୍ଷା ଶେଷ କରିବାକୁ କୁହାଯାଉଛି ତାହା ହୋଇପାରୁ ନାହିଁ। ଶିକ୍ଷାବର୍ଷ ବାରମ୍ବାର ବିଗୁଡ଼ୁଥିବାରୁ ପିଲାଙ୍କ ପାଠପଢ଼ା ପ୍ରଭାବିତ ହେଉଛି। ଏହାକୁ ନେଇ ଅଭିଭାବକଙ୍କଠାରୁ ଆରମ୍ଭ କରି ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷଙ୍କ ପର୍ଯ୍ୟନ୍ତ ଏବେ ସମସ୍ତେ ଚିନ୍ତାରେ।

Advertisment

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଶିକ୍ଷାବର୍ଷ କ୍ୟାଲେଣ୍ଡର ଅନୁଯାୟୀ ମେ’ ୬ରୁ ଜୁନ୍‌ ତୃତୀୟ ସପ୍ତାହ(ରଜ ସରିବା ପରେ) ପର୍ଯ୍ୟନ୍ତ ଖରା ଛୁଟି ହୋଇଥାଏ। ତେବେ ଏହି କ୍ୟାଲେଣ୍ଡର କାର୍ଯ୍ୟକାରୀ ହୋଇପାରୁ ନାହିଁ। ନୂତନ ଶିକ୍ଷାବର୍ଷର ୨୦ ଦିନ ପାଠପଢ଼ା ହେଉଛି କି ନାହିଁ ଖରା ଛୁଟି ଘୋଷଣା ହେଉଛି। ୨୦୨୦ରୁ ୨୦୨୨ ମଧ୍ୟରେ କୋଭିଡ୍‌ ସଂକ୍ରମଣ ଜାରି ରହିଥିବାରୁ ଶିକ୍ଷାବର୍ଷ କାର୍ଯ୍ୟକାରୀ ହୋଇପାରି ନ ଥିଲା। ୨୦୨୩ ଏପ୍ରିଲ ୨ରୁ ଶିକ୍ଷାବର୍ଷ ଆରମ୍ଭ ହୋଇଥିଲେ ମଧ୍ୟ ଧାର୍ଯ୍ୟ ସମୟରେ ସ୍କୁଲରେ ପ୍ରବେଶ ଉତ୍ସବ କିମ୍ବା ନାମଲେଖା‌ ହୋଇପାରି ନ ଥିଲା। ଏପ୍ରିଲ ଦ୍ବିତୀୟ ସପ୍ତାହରୁ ତତଲା ତାୱାରେ ସାରା ରାଜ୍ୟ ସିଝିବାରୁ ମେ’ ୬ରେ ହେବାକୁ ଥିବା ଖରା ଛୁଟିକୁ ଏପ୍ରିଲ ୨୧ରୁ ଘୋଷଣା ହୋଇଥିଲା।

ସ୍କୁଲ ପିଲାଙ୍କର ଦୁଇ ସପ୍ତାହ ପାଠପଢ଼ା ପ୍ରଭାବିତ
ବିଶ୍ବବିଦ୍ୟାଳୟ, ମହାବିଦ୍ୟାଳୟ ଖୋଲିବ କେବେ?

୨୦୨୪ରେ ମଧ୍ୟ ସମାନ ଅବସ୍ଥା ଉପୁଜିଥିଲା। ଏପ୍ରିଲ୍ ୨୫ରୁ ସ୍କୁଲଗୁଡ଼ିକରେ ଖରା ଛୁଟି ହୋଇଥିଲା। ପ୍ରଥମେ ୨୨ରୁ ୨୪ ତାରିଖ ଯାଏଁ ସକାଳ ୬ଟା ୩୦ରୁ ୧୦ଟା ୩୦ ପାଠପଢ଼ା ହୋଇଥିଲା। ଏହାପରେ ତାତି ନ କମିବାରୁ ରାଜ୍ୟ ସରକାର ରାଜ୍ୟର ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରିଥିଲେ। ଚଳିତ ଶିକ୍ଷାବର୍ଷ ମଧ୍ୟ ପ୍ରଭାବିତ ହୋଇଛି। ପଶ୍ଚିମ ଓଡ଼ିଶାର ବିଭିନ୍ନ ସମୟର ତାପମାତ୍ରା ୪୦ ଡିଗ୍ରି ଡେଇଁବା ପରେ ରାଜ୍ୟ ସରକାର ଏପ୍ରିଲ ୨୩‌ରୁ ସ୍କୁଲଗୁଡ଼ିକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଛୁଟି ଘୋଷଣା କରିଛନ୍ତି। ଗୋଟିଏ ସପ୍ତାହ ପରେ ତାତିରେ ସୁଧାର ଆସିଥିଲେ ମଧ୍ୟ ରାଜ୍ୟ ସରକାର ସ୍କୁଲ ଖୋଲିବା ଦିଗରେ କୌଣସି ପଦକ୍ଷେପ ନେଇ ନାହାନ୍ତି। ପରିଣାମ ସ୍ବରୂପ ତାତି ପାଇଁ ଏଥର ପିଲାଙ୍କ ୧୪ ଦିନ ପାଠପଢ଼ା ବନ୍ଦ ରହିଲା। ଯଦି ରଜ ପରବର୍ତ୍ତୀ ସମୟ ପର୍ଯ୍ୟନ୍ତ ତାତିରେ କୌଣସି ସୁଧାର ନ ଆସେ ତାହା ହେଲେ ଛୁଟି ଆହୁରି ବଢ଼ିବାର ଆଶଙ୍କା ରହିଛି। ନୂଆ ଶିକ୍ଷାବର୍ଷ ଆରମ୍ଭ ହେବାର ମାତ୍ର ୨୦ ଦିନ ପାଠପଢ଼ା‌ ହୋଇଛି କି ନାହିଁ, ଏବେ ଦୁଇ ମାସ ସ୍କୁଲ ଛୁଟି ରହିବାରୁ ପିଲାଙ୍କ ପାଠପଢ଼ା ବହୁ ପରିମାଣରେ ପ୍ରଭାବିତ ହେବା ଏକପ୍ରକାର ଥୟ।

କେବଳ ବିଦ୍ୟାଳୟ ନୁହେଁ, ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଉଚ୍ଚଶିକ୍ଷା ବିଭାଗ ଅଧୀନ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ଛୁଟି ଘୋଷଣା ହୋଇଛି। ଦୁଇ ସପ୍ତାହ ହେଲା ଛୁଟି କରାଯାଇଥିବାରୁ ପାଠପଢ଼ା ଠପ୍‌। ପିଲା ଆସୁନାହାନ୍ତି କି ଶିକ୍ଷାଦାନ ହୋଇପାରୁ ନାହିଁ। ଏପ୍ରିଲ ୨୩ରେ ଜାରି ବିଜ୍ଞପ୍ତି ଅନୁଯାୟୀ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଏହି ନିଷ୍ପତ୍ତି ଜାରି ରହିବ। ଛାତ୍ରଛାତ୍ରୀଙ୍କ ପାଇଁ ଛୁଟି ହୋଇଥିଲେ ମଧ୍ୟ ଏକକ ଶିକ୍ଷା କ୍ୟାଲେଣ୍ଡର ଅନୁଯାୟୀ ଶିକ୍ଷକ ଓ ଅଣଶିକ୍ଷକ ନିୟମିତ ଭାବେ କାର୍ଯ୍ୟାଳୟକୁ ଆସୁଛନ୍ତି। ଯଦି କୌଣସି ଛାତ୍ରଛାତ୍ରୀ ହଷ୍ଟେଲରେ ରହିବାକୁ ଚାହିଁବେ ତାହା ହେଲେ ହଷ୍ଟେଲ ଖୋଲା ରଖିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ବିଶ୍ବବିଦ୍ୟାଳୟ କୁଳସଚିବ, ପିଜି କାଉନସିଲ୍‌ ଅଧ୍ୟକ୍ଷ ଓ ମହାବିଦ୍ୟାଳୟ ଅଧ୍ୟକ୍ଷମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ବିଜ୍ଞପ୍ତି ଆଧାରରେ କେତେକ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ସେମିଷ୍ଟର ପରୀକ୍ଷାକୁ ମଧ୍ୟ ବାତିଲ୍‌ କରି ଦେଇଛନ୍ତି। ୬ ଦିନ ହେଲା ରାଜ୍ୟର ବିଭିନ୍ନ ସହରର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରି ତଳେ ରହିଥିଲେ ମଧ୍ୟ ପିଲାଙ୍କ କ୍ଲାସ ହେବା ନେଇ କୌଣସି ସବୁଜସଙ୍କେତ ମିଳିପାରି ନାହିଁ।