ସରିତଦୀପ ଶତପଥୀ
ଭୁବନେଶ୍ବର: କେତେବେଳେ ମହିଳାଙ୍କୁ ଅସଦାଚରଣ ତ କେବେ ରୋଗୀଙ୍କୁ ଦୁର୍ବ୍ୟବହାର। ପୁଣି ଆନ୍ଦୋଳନ, ଗଣ୍ଡଗୋଳ ଓ ଆଉଟସୋର୍ସିଂ କର୍ମଚାରୀଙ୍କ କାର୍ଯ୍ୟରେ ଅବହେଳା। ଏସବୁ ପାଇଁ ନିୟମିତ ଭାବେ ହରଡ଼ଘଣାରେ ପଡ଼ୁଛନ୍ତି କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷ। ଏମିତି ଅଘଟଣଗୁଡ଼ିକର କେନ୍ଦ୍ରରେ ରହିଛି ଘରୋଇ କମ୍ପାନି ‘କ୍ବେସ୍’। ଏହି କମ୍ପାନିର ବେପରୱା କାର୍ଯ୍ୟ ପାଇଁ ହସ୍ପିଟାଲ୍ ଏବେ ବଦନାମ ମୁଣ୍ଡାଉଛି। ହସ୍ପିଟାଲର ଅଧିକାରୀ ବାରମ୍ବାର ଚିଠି ଲେଖି ବିଭାଗୀୟ କର୍ତ୍ତୃପକ୍ଷ ଓ ସମ୍ପୃକ୍ତ କମ୍ପାନିକୁ ଜଣାଉଥିଲେ ମଧ୍ୟ କମ୍ପାନି ସୁଧୁରୁ ନାହିଁ। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରାଯାଇ କମ୍ପାନିକୁ ତାଗିଦ କରାଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ ମଧ୍ୟ କରାଯାଇଥିଲା। ହେଲେ କମ୍ପାନି କର୍ତ୍ତୃପକ୍ଷଙ୍କର କାହାରିକୁ ଖାତିର ନାହିଁ। ସରକାର ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଛଘୁଞ୍ଚା ଦେଉଛନ୍ତି। ତେଣୁ ବାଧ୍ୟ ହୋଇ ହସ୍ପିଟାଲ କର୍ତ୍ତୃପକ୍ଷ ହାତ ଟେକି ଦେଇଛନ୍ତି।
ସୂଚନାନୁସାରେ ପୂର୍ବ ସରକାର ସମୟରେ ସ୍ବାସ୍ଥ୍ୟ ବିଭାଗର ବିଭିନ୍ନ ପରିଚାଳନା କାର୍ଯ୍ୟ ଓଡ଼ିଶା ସେତୁ ନିର୍ମାଣ ନିଗମ(ଓବିସିସି) ହାତକୁ ଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ପରୀକ୍ଷାମୂଳକ ଭାବେ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ଓ କ୍ୟାପିଟାଲ୍ ହସ୍ପିଟାଲରେ ଏହି ଯୋଜନା କାର୍ଯ୍ୟକାରୀ ହେବ ବୋଲି ବିଜ୍ଞପ୍ତି ଜାରି କରାଯାଇଥିଲା। ଓବିସିସିର ପରିଚାଳନା ନିର୍ଦ୍ଦେଶକ ଏହି ଟେଣ୍ଡର ବ୍ୟବସ୍ଥାକୁ ପରିଚାଳନା କରିଥିଲେ। ଏହି ଯୋଜନାରେ ଏକକ ଟେଣ୍ଡର ବ୍ୟବସ୍ଥା ମାଧ୍ୟମରେ ମେଡିକାଲର ଅସ୍ତ୍ରୋପଚାର ଯନ୍ତ୍ରପାତି ଯୋଗାଣଠାରୁ ଆରମ୍ଭ କରି ମାନବ ସମ୍ବଳ, ରୋଗୀ ସହାୟତା କେନ୍ଦ୍ର, ରୋଗୀ ଓ ହସ୍ପିଟାଲ୍ ପରିଚାଳନା ବ୍ୟବସ୍ଥା, ପାର୍କିଂ ଓ ବାୟୋମେଡିକାଲ୍ ୱେଷ୍ଟ ମ୍ୟାନେଜମେଣ୍ଟ ବା ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା ସବୁ ଗୋଟିଏ ସଂସ୍ଥା ହାତରେ ରହିବ। ଟେଣ୍ଡର ପ୍ରକ୍ରିୟାରେ ବେଙ୍ଗାଲୁରୁସ୍ଥିତ ‘କ୍ବେସ କର୍ପ ଲିମିଟେଡ୍’କୁ ଟେଣ୍ଡର ମିଳିଥିଲା। କିନ୍ତୁ ଟେଣ୍ଡର ପ୍ରକ୍ରିୟାରେ ବହୁ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା। ତଥାପି ଏହି କାମ ପାଇଁ ୨୦୨୨ ସେପ୍ଟେମ୍ବର ୩୦ରେ ଟେକ୍ନିକାଲ ବିଡ୍ ଖୋଲାଯାଇଥିଲା। କିନ୍ତୁ କ୍ବେସ୍ କମ୍ପାନି ଏକ ବର୍ଷ ପରେ ଅର୍ଥାତ ୨୦୨୩ ସେପ୍ଟେମ୍ବର ୩୦ରେ ଦାୟିତ୍ବ ନେଇଥିଲା। ଯଦିଓ ଟେଣ୍ଡରରେ ସର୍ତ୍ତ ଥିଲା ଯେ ଟେକ୍ନିକାଲ ପ୍ରସ୍ତାବ ଖୋଲିବା ଦିନ ଠାରୁ ୧୨୦ ଦିନ ମଧ୍ୟରେ କାର୍ଯ୍ୟ ଆରମ୍ଭ କରିବା ଆବଶ୍ୟକ। କମ୍ପାନି ଏଥିରେ ଖିଲାପ କରିଥିଲା। ଏଥିସହ ଓଡ଼ିଶା ଜୀବିକା ମିସନ(ଓଏଲ୍ଏମ୍)ରେ ‘କ୍ବେସ୍ କର୍ପ’ ବିରୋଧରେ ଅନେକ ଅଭିଯୋଗ ରହିଛି। କୋଟି କୋଟି ଟଙ୍କାର ଲାଞ୍ଚ କାରବାର ସହ ନକଲି ସିଭି ଉପସ୍ଥାପନ କରାଯାଇଥିବା ମଧ୍ୟ କମ୍ପାନି ବିରୋଧରେ ଅଭିଯୋଗ ରହିଛି। କିନ୍ତୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବଦଳରେ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରାଯାଇଥିବା ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଓଡ଼ିଶା ପ୍ରଗତି ମଞ୍ଚ ପକ୍ଷରୁ ଅଭିଯୋଗ ହୋଇଛି। ଏହା ବାଦ୍ କମ୍ପାନି ନିଜର ଏକ ସିଷ୍ଟର କମ୍ପାନି ‘ଟେରିୟର’ କମ୍ପାନିକୁ ସୁରକ୍ଷା ଦାୟିତ୍ବ ଦେଇଛି। ଏହି ଟେରିୟର କମ୍ପାନିକୁ ନେଇ ଅନେକ ସମୟରେ ଦ୍ବନ୍ଦ୍ବ ସୃଷ୍ଟି ହେଉଛି।
ହାତ ଟେକିଦେଲେଣି ହସ୍ପିଟାଲ କର୍ତ୍ତୃପକ୍ଷ
ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ
ପରୀକ୍ଷାମୂଳକ ଭାବେ ଆରମ୍ଭ କରାଯାଇଥିବା ଏହି ଏକକ ଟେଣ୍ଡର ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଛି। ମାନବ ସମ୍ବଳ ପରିଚାଳନା ସହିତ ଦରମା, ହସ୍ପିଟାଲ ପରିଚାଳନାରେ ବିଫଳ ହୋଇଛି ସଂସ୍ଥା। ଏନେଇ ବାରମ୍ବାର ଅଭିଯୋଗ ପରେ ସ୍ବାସ୍ଥ୍ୟ ବିଭାଗର ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରାଯାଇ ଡାକ୍ତରଖାନାକୁ ସଫାସୁତୁରା ରଖିବାରେ ସଂସ୍ଥା ବିଫଳ ହୋଇଥିବା ସମୀକ୍ଷାରୁ ଜଣାପଡ଼ିଥିଲା। ତେଣୁ ଆଗାମୀ ଦିନରେ ଯେପରି ଏଥିରେ ଅବହେଳା ନହୁଏ ସେଥିପାଇଁ ସଂସ୍ଥାକୁ ତାଗିଦ୍ କରାଯିବା ସହ କେତେକ ପଦକ୍ଷେପ ନେବାକୁ କୁହାଯାଇଥିଲା। କିନ୍ତୁ ଏହାପରେ ମଧ୍ୟ କମ୍ପାନି କର୍ମଚାରୀଙ୍କ ବିରୋଧରେ ବାରମ୍ବାର ଅଭିଯୋଗ ହେଉଛି। କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇ ହସ୍ପିଟାଲର ଦୈନଦିନ କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି। ରୋଗୀ ହଇରାଣ ହେଉଛନ୍ତି। କମ୍ପାନି କର୍ମଚାରୀଙ୍କ ନାମରେ ବହୁ ସାଂଘାତିକ ଅଭିଯୋଗ ହେଉଛି। କିନ୍ତୁ କମ୍ପାନିର ଅଧିକାରୀମାନେ ଏନେଇ କୌଣସି ପଦକ୍ଷେପ ନେଉନାହାନ୍ତି।
ଏନେଇ ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି, ସରକାରୀ ନିୟମ ଅନୁସାରେ ସେମାନେ କ୍ବେସ କମ୍ପାନିକୁ ବିଲିଂ କରୁଛନ୍ତି। ଏହାର ସିଷ୍ଟର ସଂସ୍ଥା ହେଉଛି ଟେରିୟର ସଂସ୍ଥା। ଟେରିୟର ସଂସ୍ଥାକୁ ସେମାନେ କୌଣସି ବିଲିଂ କରୁନାହାନ୍ତି। କିନ୍ତୁ ଟେଣ୍ଡରରେ ଏ ବାବଦରେ କୌଣସି ଘୋଷଣା କରାଯାଇଥିଲା କି ନାହିଁ ସେ ସମ୍ପର୍କରେ କୌଣସି ସୂଚନା ନାହିଁ। ଏହାବାଦ କମ୍ପାନି କର୍ମଚାରୀଙ୍କ ବିରୋଧରେ ହେଉଥିବା ଗୁରୁତର ଅଭିଯୋଗ ଓ କାର୍ଯ୍ୟରେ ଅବହେଳା ବାବଦରେ ସେମାନେ ସ୍ବାସ୍ଥ୍ୟ ବିଭାଗକୁ ଜଣାଇ ଦେଉଛନ୍ତି।