ରାଉରକେଲା: ସୀମାନ୍ତରେ ଆଇଇଡି ବିସ୍ଫୋରଣ ଏବଂ କେ.ବଲାଙ୍ଗ ଥାନା ଅଞ୍ଚଳରୁ ବିସ୍ଫୋରକ ଲୁଟ୍ ମାମଲାରେ ସଂପୃକ୍ତ ଦୁର୍ଦ୍ଦାନ୍ତ ମାଓବାଦୀ ବିଶୁ ସିଂ (୫୮)କୁ ଗିରଫ କରିଛି ରାଉରକେଲା ପୁଲିସ। ଅଭିଯୁକ୍ତ ବିଶୁର ଘର କେ.ବଲାଙ୍ଗ ଥାନା ଅନ୍ତର୍ଗତ ଆମଝରଣ ଗାଁରେ। ବିଶୁ ମାଓବାଦୀ କାର୍ଯ୍ୟକଳାପରେ ଜଡ଼ିତ ରହିବା ସହ ଇନ୍ଫର୍ମର ଭାବେ କାମ କରୁଥିଲା। ଆଜି ତାକୁ କୋର୍ଟଚାଲାଣ କରାଯାଇଛି। ମଙ୍ଗଳବାର ରାଉରକେଲା ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏ ସଂପର୍କରେ ସୂଚନା ଦେଇଛନ୍ତି ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାଏ।
ଜୁନ୍ ୧୪ ତାରିଖରେ କେ.ବଲାଙ୍ଗ ଥାନା ସୀମାବର୍ତ୍ତୀ ସରଣ୍ଡା ଜଙ୍ଗଲରେ ସିଆର୍ପିଏଫ୍ ଓ ଏସ୍ଓଜି ଯବାନଙ୍କ ପକ୍ଷରୁ କମ୍ବିଂ ଅପରେସନ୍ ଚାଲିଥିବାବେଳେ ମାଓବାଦୀଙ୍କ ଦ୍ବାରା ଖଞ୍ଜାଯାଇଥିବା ଆଇଇଡି ବିସ୍ଫୋରଣରେ ଜଣେ ସିଆର୍ପିଏଫ୍ ଯବାନଙ୍କର ମୃତ୍ୟୁ ହୋଇଥିଲା। ସେହିଭଳି ଅଗଷ୍ଟ ୩ ତାରିଖରେ ତିନିଟି ଶକ୍ତିଶାଳୀ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରି ଓଡ଼ିଶା-ଝଡ଼ଖଣ୍ଡ ସୀମାନ୍ତରେ ନିଜର ଉପସ୍ଥିତି ଜାହିର କରିଥିଲେ ମାଓବାଦୀ। ପ୍ରଥମ ବିସ୍ଫୋରଣଟି ଚକ୍ରଧରପୁର ରେଳ ମଣ୍ଡଳ ଅନ୍ତର୍ଗତ ରେଞ୍ଜଡ଼ା ଓ କରମପଦା ରେଳଲାଇନ୍ରେ ଘଟିଥିବାବେଳେ ଏଥିରେ କେବଳ ରେଳଟ୍ରାକ୍ କ୍ଷତିଗ୍ରସ୍ତ ହୋଇଥିଲା। ଦ୍ବିତୀୟ ବିସ୍ଫୋରଣଟି ପୂର୍ବାହ୍ନ ପ୍ରାୟ ୧୦.୦୫ରେ ରେଞ୍ଜଡ଼ା ରେଳ ଷ୍ଟେସନ୍ ନିକଟରେ ହୋଇଥିଲା। ପାଟ୍ରୋଲିଂ କରୁଥିବା ଦୁଇ ରେଳ କର୍ମଚାରୀଙ୍କ ମଧ୍ୟରୁ ବିଶ୍ରା ଡରେଇକେଲାନିବାସୀ ଏତୁଆ ଓରାମ (୫୭)ଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ସେହିପରି ସନ୍ଧ୍ୟା ୫ଟା ୫୦ଟାରେ କରମପଦା ରେଳ ଷ୍ଟେସନ୍ ନିକଟ ରେଳୟାର୍ଡରେ ଆଉ ଏକ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହେବାରୁ ରେଳ ଟ୍ରାକ୍ ଓ ସ୍ମିପର୍ କ୍ଷତିଗ୍ରସ୍ତ ହୋଇଥିଲା। ସିଆର୍ପିଏଫ୍ କ୍ୟାମ୍ପରୁ ମାତ୍ର ୫୦୦ ମିଟର ଦୂରରେ ତୃତୀୟ ବିସ୍ଫୋରଣ ହୋଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ରାଉରକେଲା ପୁଲିସ ତନାଘନା କରି ଏହିସବୁ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ବିଶୁ ସିଂକୁ ଆଜି ଗିରଫ କରିଛି। ଅଭିଯୁକ୍ତ ବାଙ୍କୋ ପଥର ଖଣିରୁ ବିସ୍ଫୋରକ ଲୁଟ୍ ଘଟଣାରେ ମଧ୍ୟ ସାମିଲ ଥିବା ପୁଲିସ ସୂଚନା ଦେଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/08/27/untitled-4-2025-08-27-07-02-14.jpg)