ନୟାଗଡ଼: ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରସବ ସମୟରେ ଡାକ୍ତର ଅଧାରୁ ଛାଡ଼ି ଚାଲି ଯିବାରୁ ନବଜାତର ମୃତ୍ୟୁ ଘଟିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ରଣପୁର ବ୍ଲକରେ ଥିବା ସାନକିଲ ଗାଁର ପ୍ରମୋଦ ସାହୁଙ୍କ ପତ୍ନୀ ସୁଲୋଚନାଙ୍କର ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କୁ ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ତେବେ ଏକ ଶିଶୁ ପୁତ୍ର ଜନ୍ମ ହେବା ସମୟରେ ପ୍ରସବ ଅଧାରୁ ଛାଡ଼ି ପଳାଇ ଯାଇଥିଲେ ଡାକ୍ତର । ଷ୍ଟାଫ ନର୍ସମାନେ ଶିଶୁ ପୁତ୍ରକୁ ଭିଡ଼ି ବାହାର କଲା ବେଳେ ତାର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ମୃତ ନବଜାତର ବାପା ପ୍ରମୋଦ।

Advertisment

Image result for infant feet Romper

ସୂଚନା ମୁତାବକ, ପୂର୍ବରୁ ପ୍ରମୋଦ ତାଙ୍କ ପତ୍ନୀଙ୍କୁ ଏହି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ତ୍ରୀ ଏବଂ ପ୍ରସୂତି ରୋଗ ବିଶେଷଜ୍ଞ ଭାବେ କାର୍ଯ୍ୟ କରୁଥିବା ଠିକା ଡାକ୍ତର ଏସ ଜିବ୍ରାଇଲ ଖାଁଙ୍କ ପାଖରେ ଚିକିତ୍ସା କରାଉଥିଲେ। ତେବେ ଆସନ୍ତା ମାସ ୪ତାରିଖରେ ପ୍ରସବ ହେବ ବୋଲି ତାରିଖ ଦେଇଥିଲେ ଡାକ୍ତର । ଆଜି ପତ୍ନୀଙ୍କର ପ୍ରସବ ଯନ୍ତ୍ରଣା ହେବାରୁ ପରାମର୍ଶ ପାଇଁ ପତ୍ନୀଙ୍କୁ ଡାକ୍ତରଖାନାକୁ ଆଣି ଆସିଥିଲେ ପ୍ରମୋଦ । ହେଲେ ଡାକ୍ତର ପ୍ରସବ ପାଇଁ ଇଞ୍ଜେକ୍ସନ ଦେଇ ଅଧା ପ୍ରସବ ବେଳେ କୈଣସି କାରଣରୁ ଲେବର ରୁମ୍ ଛାଡ଼ି ପଳାଇଥିଲେ। ପରେ ନର୍ସମାନେ ପ୍ରସବ ଠିକ ଭାବେ ନ କରାଇବାରୁ ନବଜାତର ମୃତ୍ୟୁ ଘଟିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଏ ନେଇ ସ୍ବାସ୍ଥ୍ୟ କେନ୍ଦ୍ରରେ ଉତ୍ତେଜନା ଦେଖାଯାଇଥିବା ସହ ପ୍ରମୋଦ ଓ ତାଙ୍କ ଗ୍ରାମବାସୀ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।