ଯାଜପୁର/ଦାନଗଦି : ଦାନଗଦି ବ୍ଲକ୍ ସଦର ମହକୁମା ତ୍ରିଜଙ୍ଗା ପଞ୍ଚାୟତ ସୋଲେଇ ଗ୍ରାମର ବାବୁଲି ତିରିଆଙ୍କ ଆଠ ବର୍ଷ ଶିଶୁକନ୍ୟା ଶୁଭଲକ୍ଷ୍ମୀ ଅପପୁଷ୍ଟିରେ ଆକ୍ରାନ୍ତ ହୋଇ ଜୀବନ ହରାଇଛି। ଯତ୍ନ ଓ ସୁରକ୍ଷା ଅଭାବରୁ ଗୁରୁବାର ଦିନ ଶିଶୁଟିର ମୃତ୍ୟୁ ପରେ ଶୁକ୍ରବାର ଦିନ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଦାନଗଦି ସମନ୍ବିତ ଶିଶୁବିକାଶ ପ୍ରକଳ୍ପ ଅଧିକାରୀ ପହଞ୍ଚି ତଦନ୍ତ କରିଥିଲେ।

Advertisment

ଶୁକ୍ରବାର ସକାଳୁ ଶିଶୁ ସୁରକ୍ଷା ୟୁନିଟର ସାମାଜିକ କର୍ମୀ ମିହିର କୁମାର ଜେନା, କାଳିପ୍ରସାଦ ସାହୁ ଓ ସିଡିପିଓ ଦେବକୀ ପାତ୍ର ଘଟଣାସ୍ଥଳରେ ପହଞ୍ଚି ମୃତ୍ୟୁର କାରଣ ଓ ଅନ୍ୟ ଶିଶୁଙ୍କ ଥଇଥାନ ସଂପର୍କରେ ଆଲୋଚନା କରିଥିଲେ। ତଦନ୍ତ ସମୟରେ ଶୁଭଲକ୍ଷ୍ମୀର ବାପା ବାବୁଲି ଅଭିଯୋଗ କରିଥିଲେ ଯେ, ନିକଟସ୍ଥ ବିଦ୍ୟାଳୟରେ ଶିଶୁର ନାମ ଲେଖାଇବାକୁ ଶିକ୍ଷକ ଖୋଲାଖୋଲି ମନା କରିଦେବା ଫଳରେ  ବିଦ୍ୟାଳୟରୁ ମିଳୁଥିବା ସୁବିଧା ସୁଯୋଗରୁ ବଞ୍ଚିତ ହୋଇଥିଲେ। ବିଶେଷ କରି ଦିବ୍ୟାଙ୍ଗ ଶିଶୁଙ୍କ ନାମ ବିଦ୍ୟାଳୟରେ ଲେଖାଇବା ବାଧ୍ୟତାମୂଳକ। ଯାହା ଫଳରେ ଆରବିଏସ୍‌କେ ଟିମ୍ ସ୍ବାସ୍ଥ୍ୟସେବା ଯୋଗାଇବା ସହ ଶିଶୁ ବିଦ୍ୟାଳୟ ଯିବାକୁ ଅକ୍ଷମ ଥିଲେ ଘରକୁ ଶୁଖିଲା ଖାଦ୍ୟ ପହଞ୍ଚାଇବାକୁ ନିର୍ଦ୍ଦେଶ ରହିଛି। ସୋଲେଇ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ନାମଲେଖା ପାଇଁ ମନା କଲେ କିପରି? ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟକୁ ଏକ ବର୍ଷ ପୂର୍ବରୁ ପତ୍ର ପ୍ରଦାନ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାନଯିବା ଜିଲ୍ଲା ପ୍ରଶାସନକୁ କାଠଗଡ଼ାରେ ଠିଆ କରାଇ ଦେଇଛି।

ପରିବାର ପାଖରେ ୬ଜଣଙ୍କ ମଧ୍ୟରୁ ଜଣକ ନାମରେ ମାତ୍ର ୫କିଗ୍ରା ଚାଉଳ ମିଳୁଥିବା ବେଳେ ଶିଶୁର ଦିବ୍ୟାଙ୍ଗ ପ୍ରମାଣପତ୍ର ଓ ଆଧାରକାର୍ଡ ନଥିଲା। ପରିବାର ନିକଟରେ ଆବାସ ଦୂର କଥା ଜମିପଟା ଖ‌ଣ୍ଡେ ମଧ୍ୟ ନାହିଁ। ଏହି ଘଟଣା ପରେ ପଞ୍ଚାୟତ ପକ୍ଷରୁ ମୃତ ଶିଶୁର ଶବ ସଂସ୍କାର ପାଇଁ ହରିଶ୍ଚନ୍ଦ୍ର ଯୋଜନାରୁ ୨ହଜାର ଟଙ୍କା ଓ ଦାନଗଦି ବ୍ଲକ ବିଜେଡି ସଭାପତି ଚନ୍ଦନ କର ୫ହଜାର ଟଙ୍କା ପ୍ରଦାନ କରିଛନ୍ତି। ଅପରପକ୍ଷରେ ଏହି ପରିବାରର ଶିଶୁଙ୍କୁ ପୃଷ୍ଠପୋଷକତା ଯୋଜନାରେ ଆର୍ଥିକ ସହଯୋଗ ପ୍ରଦାନ ପାଇଁ ଜିଲ୍ଲାପାଳଙ୍କୁ ଅନୁରୋଧ କରାଯିବ ତଦନ୍ତକାରୀ ଟିମ୍ କହିଛନ୍ତି।