ରାକେଶ ରୋଷନ ମହାନ୍ତି

ବ୍ରହ୍ମପୁର: ମା’ ବଞ୍ଚିଲେ ଛୁଆ ବଞ୍ଚି ପାରୁନି। ଛୁଆ ବଞ୍ଚିଲେ ମା’ ଦୁନିଆ ଦେଖିପାରୁନି। ଘର ହେଉ କି ଡାକ୍ତରଖାନା, ଶହ ଶହ ମା’ ଓ ଛୁଆଙ୍କ ଜୀବନ ଚାଲିଯାଉଛି। ଅପରିପକ୍ବ ଗର୍ଭଧାରଣ, ରକ୍ତହୀନତା ସହ ପୁଷ୍ଟିହୀନତା ଶିଶୁମୃତ୍ୟୁର ପ୍ରମୁଖ କାରଣ ସାଜିଛି। ଗଞ୍ଜାମ ଜିଲ୍ଲାରେ ମାତୃ ମୃତ୍ୟୁହାର କମିବା ଯେତିକି ଆଶ୍ବସ୍ତି ଆଣିଛି, ଶିଶୁ ମୃତ୍ୟୁହାର ଗତ ୫ବର୍ଷରେ ୨ ଗୁଣା ବଢ଼ିବା ଅଧିକ ଚିନ୍ତାଜନକ ସ୍ଥିତି ସୃଷ୍ଟି କରିଛି। ସମଗ୍ର ରାଜ୍ୟରେ ଶିଶୁ ମୃତ୍ୟୁହାର କମୁଛି। ଗତ ୨୦୨୦-୨୧ ମସିହାରେ ୧୩,୯୧୯ ଥିଲାବେଳେ ୨୦୨୪-୨୫ରେ ଏହା ୧୧,୭୪୯କୁ ଖସି ଆସିଛି। ହେଲେ ଗଞ୍ଜାମ ଜିଲ୍ଲାରେ ଏ ସଂଖ୍ୟା ଓଲଟା । ୨୦୨୦-୨୧ରେ ଜିଲ୍ଲାରେ ୩୬୨ ଶିଶୁଙ୍କ ମୃତ୍ୟୁ ହୋଇଥିଲା ବେଳେ ୨୦୨୪-୨୫ରେ ଏହା ୫୪୭ ଛୁଇଁଛି। ଯଦିଓ ୨୦୨୨-୨୩ରେ ଏହା ୯୨୨ ଓ ୨୦୨୩-୨୪ରେ ଏହା ୮୬୦ ରହିଥିଲା। ତଥାପି ଗୋଟିଏ ବର୍ଷରେ ୫୪୭ ଶିଶୁଙ୍କ ମୃତ୍ୟୁ ଆପଦକାଳୀନ ସ୍ଥିତି ସୃଷ୍ଟି କରିଛି କହିଲେ ଭୁଲ ହେବନି। ତେବେ ଜିଲ୍ଲାରେ ମାତୃ ମୃତ୍ୟୁହାର କମିଥିଲେ ବି ଭଲ ସ୍ଥିତିରେ ନାହିଁ। ୨୦୨୦-୨୧ରେ ମାତୃ ମୃତ୍ୟୁ ସଂଖ୍ୟା ଥିଲା ୭୧। ଏହା ଏବେ ପ୍ରାୟ ଅଧା ଖସି ୩୬ରେ ସୀମିତ। ୨ବର୍ଷ ଧରି ଏହା ଅପରିବର୍ତ୍ତିତ ରହୁଛି। 

Advertisment

କମ୍‌ ବୟସରେ ଗର୍ଭଧାରଣ ଆଣୁଛି ସମସ୍ୟା
ମଧୁମେହ, ମେଦବହୁଳତା ଓ ଉଚ୍ଚ ରକ୍ତଚାପ ଅନ୍ୟତମ କାରଣ

ଜିଲ୍ଲାର ଏମ୍‌କେସିଜି ହସ୍ପିଟାଲକୁ ଛାଡ଼ିଦେଲେ ଅନ୍ୟ ପ୍ରାୟ ସବୁ ଡାକ୍ତରଖାନାରେ ସ୍ତ୍ରୀ ରୋଗ ଓ ଶିଶୁ ରୋଗ ବିଶେଷଜ୍ଞଙ୍କ ଅଭାବ ଦେଖିବାକୁ ମିଳୁଛି। ଦିନ‌ବେଳା ପ୍ରସବଜନିତ ରୋଗୀ ଆସିଲେ ଯାହା ତାହା ଚଳୁଛି ହେଲେ ସଞ୍ଜ ନଇଁଲେ ଅଧିକାଂଶ ସ୍ଥାନରେ ଡାକ୍ତର ରହୁନାହାନ୍ତି। ଫଳରେ ଗର୍ଭବତୀଙ୍କ ପ୍ରସବ ଜନିତ ଯନ୍ତ୍ରଣା ଅଧିକ ବଢ଼ୁଛି। ଦୀର୍ଘ ସମୟ ପର୍ଯ୍ୟନ୍ତ ଡାକ୍ତରଖାନାରେ ପଡ଼ି ରହିବା ଦ୍ବାରା ଜଟିଳ ସ୍ଥିତି ସୃଷ୍ଟି ହେଉଛି। ଏହାଦ୍ବାରା ପ୍ରସବ ସମୟରେ ଶିଶୁର ମୃତ୍ୟୁ ହେଉଛି। ସେହିପରି ବଡ଼ ଡାକ୍ତରଖାନାରେ ଯେତିକି ଶିଶୁ ୱାର୍ଡରେ ରହିପାରିବେ, ତା’ଠାରୁ ଅଧିକ ରହିବା ଦ୍ବାରା ସଂକ୍ରମଣ ଯୋଗୁଁ ମଧ୍ୟ ଶିଶୁମୃତ୍ୟୁ ହେଉଛି।   

ବରିଷ୍ଠ ସ୍ତ୍ରୀରୋଗ ବିଶେଷଜ୍ଞ ଡାକ୍ତର ଅନୁରାଧା ମିଶ୍ରଙ୍କ କହିବା ଅନୁସାରେ, ଗର୍ଭଜନିତ ଜଟିଳତା, ରକ୍ତହୀନତା ଓ ପୁଷ୍ଟିହୀନତା ମାତୃ ଓ ଶିଶୁ ମୃତ୍ୟୁହାରକୁ ପ୍ରାୟତଃ ନିୟନ୍ତ୍ରଣ କରିଥାଏ। ସେହିପରି କମ୍‌ ବୟସରେ ଗର୍ଭଧାରଣ କରିବା, ଗର୍ଭାବସ୍ଥାରେ ମା’କୁ ମଧୁମେହ, ୭ମାସ ପରେ ରକ୍ତଚାପ ବଢ଼ିବା, ମେଦ ବହୁଳତା ମଧ୍ୟ ଗର୍ଭସ୍ଥ ଶିଶୁ ଉପରେ ପ୍ରଭାବ ପକାଇଥାଏ। ତେଣୁ ଗର୍ଭାବସ୍ଥାରେ ମା’ର ଯତ୍ନ ନେବା ଜରୁରି। ସୁସ୍ଥ ରହିବା ଓ ସ୍ବାସ୍ଥ୍ୟକର ଖାଦ୍ୟ ଖାଇବା ଅଭାବ ଦେଖିବାକୁ ମିଳୁଛି। ବାରମ୍ବାର ଡାକ୍ତରଖାନା ବଦଳାଇବା ଓ ବିଳମ୍ବରେ ଡାକ୍ତରଖାନାକୁ ଆଣିବା ବିପଦ ସୃଷ୍ଟି କରିଥାଏ। ଏ ଦିଗରେ ଦୃଷ୍ଟି ଦେଲେ ଶିଶୁ ମୃତ୍ୟୁହାର କମାଯାଇପାରିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ପ୍ରତି ମାସ ୯ ତାରିଖରେ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ବ ଅଭିଯାନ ଦିବସ ପାଳିତ ହେଉଛି। ଜନନୀ ସୁରକ୍ଷା ଯୋଜନାରେ ଡାକ୍ତରଖାନାରେ ପ୍ରସବ କରାଇଲେ ଗ୍ରାମାଞ୍ଚଳରେ ୧୪୦୦ ଟଙ୍କା ଓ ସହରାଞ୍ଚଳରେ ୧୦୦୦ ଟଙ୍କା ପ୍ରୋତ୍ସାହନ ରାଶି ଦିଆଯାଉଛି।