୩-୪ ଦିନରେ ଖୋର୍ଦ୍ଧାରେ ସଂକ୍ରମଣ ଶୀର୍ଷକୁ ଛୁଇଁବ!

ଆଇଆଇଟି କାନପୁର ‘ସୂତ୍ର’ ମଡେଲର ଆକଳନ
ଚଳିତମାସ ଶେଷ ବେଳକୁ ସ୍ଥିତିରେ ସୁଧାର

ଭୁବନେଶ୍ବର : ଆସନ୍ତା ୩-୪ଦିନ ଭିତରେ ଖୋର୍ଦ୍ଧା ଜିଲ୍ଲାରେ କରୋନା ସଂକ୍ରମଣ ଶୀର୍ଷରେ ପହଞ୍ଚିବ। ରାଜ୍ୟର ସହରାଞ୍ଚଳରେ ଲାଗୁ ହୋଇଥିବା ସପ୍ତାହାନ୍ତ ସଟ୍‌ଡାଉନ୍ ପାଇଁ ସଂକ୍ରମଣ ଶୀର୍ଷରେ ପହଞ୍ଚିବାରେ ସାମାନ୍ୟ ବିଳମ୍ବ ହୋଇଛି। ଶୀର୍ଷରେ ପହଞ୍ଚିବା ସମୟରେ ବେଶ୍ କିଛି ଦିନ ପାଇଁ ଦୈନିକ ସଂକ୍ରମଣ ଖୋର୍ଦ୍ଧା ଜିଲ୍ଲାରେ ୧୪ଶହ ଉପରେ ରହିବ। ପରେ ଧୀରେ ଧୀରେ ଏଥିରେ ହ୍ରାସ ଦେଖିବାକୁ ମିଳିବ ବୋଲି ଆକଳନ କରିଛି ଆଇଆଇଟି କାନପୁରର ‘ସୂତ୍ର’ ମଡେଲ।

ଆଇଆଇଟି କାନପୁରର ‘ସୂତ୍ର’ ମଡେଲ ଚଳିତବର୍ଷ ଦେଶ ସହିତ ବିଭିନ୍ନ ରାଜ୍ୟ ଓ ସହରର କରୋନା ସଂକ୍ରମଣ ସଂପର୍କିତ ଗାଣିତିକ ମଡେଲ ପ୍ରସ୍ତୁତ କରି ଚର୍ଚ୍ଚାରେ ରହିଛି। ଏହି ମଡେଲ ଓଡ଼ିଶାରେ ଚଳିତ ମାସର ପ୍ରଥମ ସପ୍ତାହରେ ରାଜ୍ୟରେ କରୋନା ସଂକ୍ରମଣ ଶୀର୍ଷରେ ପହଞ୍ଚିବା ନେଇ ଆକଳନ କରିଥିଲା। ରାଜ୍ୟର ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାକୁ ବାଦ୍ ଦେଲେ ସଂକ୍ରମଣର ପେଣ୍ଠସ୍ଥଳୀ ପାଲଟିଛି ଖୋର୍ଦ୍ଧା ଜିଲ୍ଲା।

ବିଶେଷକରି ଭୁବନେଶ୍ବରରେ ସଂକ୍ରମିତଙ୍କ ସଂଖ୍ୟା କେଉଁଦିନ ହଜାର ଟପୁଛି ତ ଆଉ କେଉଁ ଦିନ ହଜାର ପାଖାପାଖି ରହୁଛି। ଭୁବନେଶ୍ବରରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଥିବା କାରଣରୁ ଏଭଳି ଦ୍ରୁତ ସଂକ୍ରମଣ ଦେଖିବାକୁ ମିଳିଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚେତାବନୀ ଦିଆଯାଇଛି। ରାଜ୍ୟ ତଥା ରାଜ୍ୟ ବାହାରର ବହୁ ସଂଖ୍ୟାରେ ଲୋକ ଭୁବନେଶ୍ବରରେ ରହୁଛନ୍ତି ଓ ସେମାନେ ନିଜ ନିଜ ଅଞ୍ଚଳରୁ ଯେତେବେଳେ ଏଠାକୁ ଫେରୁଛନ୍ତି, ସଂକ୍ରମଣ ବଢ଼ୁଥିବା ବିଭାଗ ପକ୍ଷରୁ କୁହାଯାଇଥିଲା। ଏ ଦୃଷ୍ଟିରୁ ‌ଲୋକମାନଙ୍କୁ ଅଧିକ ସତର୍କତା ଅବଲମ୍ବନ କରିବା ଲାଗି ସ୍ବାସ୍ଥ୍ୟ ବିଭାଗର ଅଧିକାରୀଙ୍କ ସହିତ ବିଶେଷଜ୍ଞମାନେ ମତ ରଖିଛନ୍ତି।

‘ସୂତ୍ର’ ମଡେଲର ପ୍ରତିଷ୍ଠାତା ପ୍ରଫେସର୍‌ ମନୀନ୍ଦ୍ର ଅଗ୍ରୱାଲଙ୍କ ମତରେ, ଭୁବନେଶ୍ବର ସମେତ ଖୋର୍ଦ୍ଧା ଜିଲ୍ଲାରେ ଯେଉଁ ସଂକ୍ରମଣ ଜାରି ରହିଛି, ତାହା ଆସନ୍ତା ୩/୪ଦିନ ଭିତରେ ଶୀର୍ଷରେ ପହଞ୍ଚିଯିବ। ଶୀର୍ଷରେ ପହଞ୍ଚିବା ପରେ ପ୍ରାୟ ୪ଦିନ ପର୍ଯ୍ୟନ୍ତ ଏହି ଧାରା ବଜାୟ ରହିବ। ଦୈନିକ ୧୪ ଶହରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେବା ସହିତ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧୪ ହଜାର ପାର କରିବ।

ତେବେ ଜିଲ୍ଲାରେ ଏବେ କମ୍‌ ସଂଖ୍ୟକ ମୃତ୍ୟୁ ହେଉଥିବା ନେଇ ସରକାରୀ ଭାବେ ରିପୋର୍ଟ ପ୍ରକାଶ ପାଉଛି। ଏ ଦୃଷ୍ଟିରୁ ସଂକ୍ରମଣ ଶୀର୍ଷରେ ଥିବା ସମୟରେ ଦୈନିକ କେତେ ମୃତ୍ୟୁ ହେବ, ତାହା ଆକଳନ କରିବା କଷ୍ଟକର ହେଉଛି। ତେବେ ଚଳିତମାସ ଶେଷ ଆଡ଼କୁ ଦୈନିକ ସଂକ୍ରମଣ ହାର ଅଧାରୁ ଅଧିକ କମିବ। ତଥାପି ଚଳିତବର୍ଷର ଫେବ୍ରୁଆରି ମାସ ସ୍ଥିତି ଆସିବା ପାଇଁ ବେଶ୍ କିଛି ଦିନ ସମୟ ଲାଗିବ ବୋଲି ପ୍ରଫେସର୍‌ ଅଗ୍ରୱାଲ ‘ସମ୍ବାଦ’କୁ କହିଛନ୍ତି। ସେହିପରି ଦୈନିକ ଯେତିକି ସଂଖ୍ୟକ ରୋଗୀ ଚିହ୍ନଟ ହେଉଛନ୍ତି, ତାହାର କେତେ ପ୍ରତିଶତ ରୋଗୀ ଚିହ୍ନଟ ନ ହୋଇ ରହି ଯାଉଛନ୍ତି, ସେ ସଂପର୍କରେ ସେ କିଛି ସ୍ପଷ୍ଟ କରିପାରି ନଥିଲେ।

ସମ୍ବନ୍ଧିତ ଖବର