୩ ଜିଲ୍ଲାରେ ସଂକ୍ରମଣ ଭୟଙ୍କର ଭାବେ ମାଡ଼ିଯିବ: ସାଲୁଜା

ଫେରିବା ଆରମ୍ଭ କଲେଣି ଇଟାଭାଟି ଶ୍ରମିକ, ସଙ୍ଗରୋଧରେ ରଖିବା ବ୍ୟବସ୍ଥା ହୋଇନାହିଁ

ଭୁବନେଶ୍ବର : ପ୍ରତିବର୍ଷ ବଲାଙ୍ଗୀର, ନୂଆପଡ଼ା ଓ କଳାହାଣ୍ଡିରୁ ଦାଦନ ଖଟିବାକୁ ଯାଉଥିବା ଇଟାଭାଟି ଶ୍ରମିକମାନେ ରାଜ୍ୟକୁ ଫେରିବା ଆରମ୍ଭ କଲେଣି। ସେମାନଙ୍କର କୋଭିଡ ପରୀକ୍ଷା କରାଯାଉ। ନଚେତ୍‌ ଏହି ୩ ଜିଲ୍ଲାରେ ସଂକ୍ରମଣ ଭୟଙ୍କର ରୂପ ନେବ। ସରକାର ସମ୍ଭାଳିପାରିବେ ନାହିଁ। ଆଜି ସରକାରଙ୍କୁ ଏପରି ସତର୍କ କରାଇ ଦେଇଛନ୍ତି କଂଗ୍ରେସର କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଲୁଜା। ସେ କହିଛନ୍ତି ଏବେ ପ୍ରବାସୀ ଶ୍ରମିକ ଫେରିବାକୁ ନେଇ ଏହି ତିନୋଟି ଜିଲ୍ଲାବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି। ସରକାର ତୁରନ୍ତ ଟିଏମ୍‌ସି କେନ୍ଦ୍ର ଖୋଲି ପଦକ୍ଷେପ ନିଅନ୍ତୁ। ରାଜ୍ୟରେ ୨୦ଟି ଦାଦନ ପ୍ରବଣ ବ୍ଲକ୍‌ ରହିଛି। ସେଥିରୁ ବଲାଙ୍ଗୀରରେ ୫ଟି ବ୍ଲକ ରହିଛି। କଣ୍ଟାବାଞ୍ଜି ନିର୍ବାଚନମଣ୍ଡଳୀରେ ୩ଟି ଯଥା ତୁରେଇକେଲା, ବଙ୍ଗମୁଣ୍ଡା ଓ ମୁରିବାହାଲ ବ୍ଲକ୍‌ରୁ ଲକ୍ଷାଧିକ ଲୋକ ପ୍ରତିବର୍ଷ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇଥାନ୍ତି। ସେହିପରି ପାଟଣାଗଡ଼ ନିର୍ବାଚନମଣ୍ଡଳୀର ଖପ୍ରାଖୋଲ ଓ ବେଲପଡ଼ା ବ୍ଲକ୍ ମଧ୍ୟ ଦାଦନ ପ୍ରବଣ ବ୍ଲକରେ ସାମିଲ ଅଛି। ନୂଆପଡ଼ାର ଖରିଆର ନିର୍ବାଚନମଣ୍ଡଳୀର ଖଡ଼ିଆଳ, ସିନାପାଲି ଓ ବୋଡ଼େନ୍‌ ବ୍ଲକ୍‌ଗୁଡ଼ିକ ଦାଦନ ପ୍ରବଣ ବୋଲି ଚିହ୍ନଟ ହୋଇଛନ୍ତି। ସେହିପରି କଳାହାଣ୍ଡି ଜିଲ୍ଲାର ବିଭିନ୍ନ ବ୍ଲକରୁ ଦାଦନ ଶ୍ରମିକମାନେ ବାହାର ରାଜ୍ୟକୁ ରୋଜଗାର ଉଦ୍ଦେଶ୍ୟରେ ଯାଇଥାନ୍ତି।

ପ୍ରତିବର୍ଷ ଧାନକଟା ପରେ ନଭେମ୍ବର ମାସରୁ ଏହି ୩ଟି ଜିଲ୍ଲାର ପ୍ରତି ଘରୁ ୩ରୁ ୪ ଜଣ ସଦସ୍ୟ ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ ଓ ତେଲାଙ୍ଗାନା ରାଜ୍ୟରେ ଥିବା ଇଟାଭାଟିରେ କାମ କରିବାକୁ ପ୍ରାୟ ୨ ଲକ୍ଷ ଲୋକ ଯାଇଥାନ୍ତି। ଏସବୁ ରାଜ୍ୟର ଇଟାଭାଟି ମାଲିକମାନେ ନୂଆଖାଇ ଓ ରଥଯାତ୍ରା ସମୟରୁ ଦାଦନ ଶ୍ରମିକମାନଙ୍କୁ ଅଗ୍ରୀମ ଅର୍ଥ ଦେଇଥାନ୍ତି। ୫ ମାସ ପରେ ଏସବୁ ଶ୍ରମିକମାନେ ମେ ମାସ ୧୫ ତାରିଖରୁ ୩୦ ତାରିଖ ଭିତରେ ନିଜ ଜିଲ୍ଲାକୁ ଫେରିଥାନ୍ତି। କିନ୍ତୁ ଚଳିତବର୍ଷ ଯେପରି ଭାବେ ଚାରିଆଡ଼େ କରୋନାର ଦ୍ବିତୀୟ ଲହର ସଂକ୍ରମଣ ବ୍ୟାପିଛି ତାକୁ ଦୃଷ୍ଟିରେ ରଖି ପ୍ରବାସୀ ଶ୍ରମିକମାନେ ଫେରିଲେ ବଲାଙ୍ଗୀର, କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାରେ ସଂକ୍ରମଣ ବ୍ୟାପିବାର ଆଶଙ୍କା ଅଧିକ ଦେଖାଦେଇଛି।

ସମ୍ବନ୍ଧିତ ଖବର