ରାଜ୍ୟରେ ସଂକ୍ରମଣ ହାର, ‘ଆର୍‌’ ଭ୍ୟାଲୁରେ ହ୍ରାସ

୧ରୁ ତଳକୁ ଖସିଲା ‘ଆର’ ଭ୍ୟାଲୁ,
ସଂକ୍ରମଣ ହାର ୬% ତଳେ
ଦିନକରେ ୩୮୦୬ ପଜିଟିଭ୍, ୩୭ ମୃତ

ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣର ରିପ୍ରଡକସନ୍‌ ବା ‘ଆର’ ଭ୍ୟାଲୁ ୧ ତଳକୁ ଖସି ଆସିଛି। ରାଜ୍ୟର ସଂକ୍ରମଣ ତାଲିକାରେ ଆଗରେ ରହିଥିବା ଜିଲ୍ଲାଗୁଡ଼ିକରେ ମଧ୍ୟ ଏହା ଖସିବାରେ ଲାଗିଛି। ଏପରିକି ସମଗ୍ର ଦେଶର ‘ଆର’ ଭ୍ୟାଲୁ ସହିତ ଓଡ଼ିଶା ସମାନ ରହିଛି। ତେଣୁ ରାଜ୍ୟରେ ସଂକ୍ରମଣ ଏକପ୍ରକାର ନିୟନ୍ତ୍ରଣକୁ ଆସିଥିବା ଏଥିରୁ ଜଣାପଡ଼ୁଛି। ଦିନକୁ ଦିନ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ଯଥେଷ୍ଟ ହ୍ରାସ ପାଉଥିବାରୁ ଆଗାମୀ ଦିନରେ ଏହା ଆହୁରି ଖସିବ ବୋଲି ବିଶେଷଜ୍ଞ ମତ ଦେଉଛନ୍ତି।

ସାଧାରଣତଃ ‘ଆର’ ଭ୍ୟାଲୁ ଯଦି ୧ ଉପରେ ରହିଥାଏ, ତାହାଲେ ସଂକ୍ରମଣ ଅଧିକ ରହିଥିବାର ସୂଚନା ମିଳିଥାଏ। ହେଲେ ଗତକାଲି ସୁଦ୍ଧା ରାଜ୍ୟରେ ‘ଆର’ ଭ୍ୟାଲୁ ୦.୭୫ ରେକର୍ଡ କରାଯାଇଛି। ଏହି ସମୟରେ ଦେଶରେ ଏହା ୦.୭୮ ରହିଛି। ସେହିପରି ଭୁବନେଶ୍ବରରେ ୦.୬୧, କଟକ ଜିଲ୍ଲାରେ ୦.୬୯ ଓ କଟକ ସହରରେ ଏହା ୦.୭୮ ରେକର୍ଡ କରାଯାଇଛି। ତେବେ ଯାଜପୁର ଜିଲ୍ଲାରେ ଗତ କିଛି ଦିନ ଧରି ଉଚ୍ଚ ସଂକ୍ରମଣ ହାର ଦେଖିବାକୁ ମିଳିଥିଲେ ହେଁ ‘ଆର’ ଭ୍ୟାଲୁ ନିୟନ୍ତ୍ରଣରେ ରହିଛି। ଏଠାରେ ୦.୮୦ ରହିଛି। ବାଲେଶ୍ବରରେ ଏହା ସାମାନ୍ୟ ଉଚ୍ଚରେ ୦.୯୨ ଥିବା ବେଳେ ଭଦ୍ରକରେ ୦.୮୩ ପ୍ରତିଶତ ରହିଥିବା ସୂଚନା ଦେଇଛନ୍ତି ଚେନ୍ନାଇସ୍ଥିତ ଇନଷ୍ଟିଚ୍ୟୁଟ୍‌ ଅଫ ମାଥମାଟିକାଲ ସାଇନ୍‌ସର ପ୍ରଫେସର ସୀତାଭ୍ର ସିହ୍ନା।

ଯାଜପୁରରେ ଉଚ୍ଚ ସଂକ୍ରମଣ ହାର ସତ୍ତ୍ବେ ‘ଆର’ ଭ୍ୟାଲୁ କମ୍ ରହିବା ପଛରେ କାରଣ ସଂପର୍କର‌େ ପ୍ରଫେସର ସିହ୍ନା କହିଛନ୍ତି, ‘ଆର’ ଭ୍ୟାଲୁ ମୁଖ୍ୟତଃ ଚିକିତ୍ସାଧୀନ ରୋଗୀଙ୍କୁ ନେଇ ହିସାବ କରାଯାଇଥାଏ। ତେଣୁ ଗୋଟିଏ ସ୍ଥାନରେ ଉଚ୍ଚ ସଂକ୍ରମଣ ହାର ରହିବା ପଛରେ କମ୍ ନମୁନା ପରୀକ୍ଷା ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟାରେ ହ୍ରାସ ହେଲେ ମଧ୍ୟ ସଂକ୍ରମଣ ହାର ବଢ଼ିବାରେ କୌଣସି ସମସ୍ୟା ନାହିଁ ବୋଲି ସେ କହିଛନ୍ତି।

ଗତ ୩ ଦିନ ଅପେକ୍ଷା ଗତ ୨୪ ଘଣ୍ଟାରେ ରାଜ୍ୟରେ ସାମାନ୍ୟ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ୩୮୦୬ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଧା‌ରୁ ସର୍ବାଧିକ ୬୧୭ଜଣ ଚିହ୍ନଟ ହୋଇଛନ୍ତି। ଏହାବାଦ୍ କଟକ ୩୯୩, ଯାଜପୁର ୩୪୬, ବାଲେଶ୍ବର ୨୨୦, ପୁରୀ ୨୦୦, ଅନୁଗୁଳ ୧୭୫, ଭଦ୍ରକ ୧୫୮, କେନ୍ଦ୍ରାପଡ଼ା ୧୪୫, ଜଗତସିଂହପୁର ୧୩୦, ମୟୂରଭଞ୍ଜ ୧୫୯, ନୟାଗଡ଼ ୧୩୪, ସୁନ୍ଦରଗଡ଼ ୧୧୯, ରାୟଗଡ଼ା ୧୧୧ ଓ ଷ୍ଟେଟ୍‌ ପୁଲରୁ ୯୫ଜଣ ଚିହ୍ନଟ ହୋଇଛନ୍ତି। ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୮ଲକ୍ଷ ୭୦ହଜାର ୪୯୮କୁ ବୃଦ୍ଧି ପାଇଛି।

ଗତ ୨୪ ଘଣ୍ଟାରେ ରାଜ୍ୟରେ ସଂକ୍ରମଣ ହାର ୫.୮୭ ପ୍ରତିଶତ ରେକର୍ଡ କରାଯାଇଛି। ତେବେ ଯାଜପୁରରେ ୧୯.୨, ନୟାଗଡ଼ରେ ୧୧.୩ ପୁରୀରେ ୧୧.୧, କଟକରେ ୧୦.୩ ଓ ଖୋର୍ଧାରେ ୯.୪ ପ୍ରତିଶତ ରେକର୍ଡ କରାଯାଇଛି। ରାଜ୍ୟର ୪ଟି ଜିଲ୍ଲାରେ ସଂକ୍ରମଣ ହାର ୧ ପ୍ରତିଶତ କିମ୍ବା ତାହାଠାରୁ କମ୍ ରହିଛି।

ରାଜ୍ୟରେ ୩୭ଜଣ କରୋନାରେ ପ୍ରାଣ ହରାଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଥିରେ ଖୋର୍ଧାରୁ ସର୍ବାଧିକ ୫, କଟକ, ଝାରସୁଗୁଡ଼ା ଓ କଳାହାଣ୍ଡିରୁ ୪ ଲେଖାଏଁ, ସୁନ୍ଦରଗଡ଼, ପୁରୀ, ବରଗଡ଼ରୁ ୩ ଲେଖାଏଁ, ବଲାଙ୍ଗୀର, ଦେବଗଡ଼, କେନ୍ଦ୍ରାପଡ଼ା, ରାୟଗଡ଼ାରୁ ୨ ଲେଖାଏଁ, ସମ୍ବଲପୁର, ମୟୂରଭଞ୍ଜ, ଗଜପତିରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ସମୁଦାୟ କରୋନା ମୃତ୍ୟୁ ୩୫୦୮ରେ ପହଞ୍ଚିଛି।
ରାଜ୍ୟରେ ଆଜି ୬୨୫୨ କୋଭିଡ୍ ରୋଗୀ ସୁସ୍ଥ ହୋଇଛନ୍ତି। ଫଳରେ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୮ଲକ୍ଷ ୨୯ହଜାର ୮୫୧କୁ ବୃଦ୍ଧି ପାଇଛି। ଅପରପକ୍ଷରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୩୭,୦୭୬କୁ ଖସି ଆସିଛି। ରାଜ୍ୟରେ କରୋନା ରୋଗୀଙ୍କ ସୁସ୍ଥ ହାର ୯୫ ପ୍ରତିଶତକୁ ବୃଦ୍ଧି ପାଇଛି।

ସମ୍ବନ୍ଧିତ ଖବର