କରୋନାର ତୃତୀୟ ଲହରରେ ସଂକ୍ରମିତଙ୍କ ଠାରେ ୨ରୁ ୩ ଦିନ ରହୁଛି ଲକ୍ଷଣ: ବିଶେଷଜ୍ଞ ଡାକ୍ତର

ଭୁବନେଶ୍ବର: କରୋନା ଭାଇରସ୍‌ ମହାମାରୀର ତୃତୀୟ ଲହରରେ ଗଳାବଥାରୁ ଲକ୍ଷଣ ଆରମ୍ଭ ହେଉଛି। ନାକ ବନ୍ଦ ହୋଇଯାଉଥିବା ବେଳେ ମୁଣ୍ଡବିନ୍ଧା ହେବା ସହ ଦେହ ଓ  ହାତ ଦରଜ ହେବା ଭଳି ଲକ୍ଷଣ ଦେଖାଯାଉଛି। ରାଜ୍ୟ ସରକାରଙ୍କ ବିଶେଷଜ୍ଞ ଡାକ୍ତର ଆଜି କୋଭିଡ-୧୯ ସଚେତନତା ସମ୍ପର୍କିତ କାର୍ଯ୍ୟକ୍ରମରେ ଏହି ସୂଚନା ଦେଇଛନ୍ତି। ଯେଉଁମାନେ କରୋନା ଟିକା ନେଇ ସାରିଛନ୍ତି, ସେମାନେ ଅବହେଳା କରୁଛନ୍ତି। ତୃତୀୟ ଲହରରେ ଯେଉଁମାନେ କରୋନା ଦ୍ବାରା ସଂକ୍ରମିତ ହେଉଛନ୍ତି, ସେମାନଙ୍କ ଠାରେ ଲକ୍ଷଣ ୨ରୁ ୩ ଦିନ ରହୁଛି। ଅନ୍ୟ ଲହର ତୁଳନାରେ ଶୀଘ୍ର କମୁଛି। ଅନ୍ୟ ଲହର ପରି ଆଘ୍ରାଣ ଶକ୍ତି କମିବା ଲକ୍ଷଣ ଏଥିରେ ଦେଖା ଦେଉନି।

ରାଜ୍ୟରେ କୋଭିଡର ତୃତୀୟ ଲହର ବର୍ଷ ଆରମ୍ଭ ହୋଇଯାଇଛି। କୋଭିଡର ଏହି ନୂଆ ଭାରିଆଣ୍ଟ ଯୋଗୁଁ ସଂକ୍ରମଣ ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ଏବେ ରାଜ୍ୟରେ ଦୈନିକ ସଂକ୍ରମଣ ୧୦ ହଜାରରୁ ଅଧିକ ରହୁଛି। କିଛି ଆକ୍ରାନ୍ତଙ୍କୁ ଡାକ୍ତରଖାନାରେ ରହିବାର ଆବଶ୍ୟକତା ପଡୁଛି। ଅଧିକାଂଶ ଲୋକଙ୍କ ପାଖରେ ସାମାନ୍ୟ ଲକ୍ଷଣ ଦେଖାଯାଉଛି। ସାମାନ୍ୟ ଲକ୍ଷଣ ଦେଖି ବ୍ୟକ୍ତି ହୋମ୍‌ ଆଇସୋଲେସନ୍‌ରେ ରହୁଛନ୍ତି।

ବିଶେଷଜ୍ଞ ଡାକ୍ତର କହିଛନ୍ତି ଯେ, ଟିକା ନେଇସାରିଥିବା ଲୋକଙ୍କର ଚିନ୍ତା ଯେ, ସେମାନେ କରୋନାରୁ ସୁରକ୍ଷିତ ଅଛନ୍ତି। କିନ୍ତୁ ଏହା ଭାବିବା ଭୁଲ। କାରଣ ଟିକା ନେଇଥିଲେ ବି କରୋନା ସଂକ୍ରମିତ ହେବା ଯଥେଷ୍ଟ ଆଶଙ୍କା ରହିଛି। ତେଣୁ ବାହାରକୁ ଯିବା ପୂର୍ବରୁ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ଏବଂ ଭିଡ ସ୍ଥାନରୁ ଦୂରେଇ ରହିଲେ ଭଲ। କିଡ୍‌ନି, ଯକୃତ, ଫୁସ୍‌ଫୁସ୍‌, ଡାଇବେଟିସ୍‌ ରୋଗୀ କରୋନାରୁ ସୁରକ୍ଷିତ ରହିବା ପାଇଁ ଅଧିକ ସତର୍କତା ଅବଲମ୍ବନ କରିବାର ଅଛି।

ସମ୍ବନ୍ଧିତ ଖବର