୨୧ ଜିଲ୍ଲାରେ ଶହେ ତଳେ ସଂକ୍ରମଣ

ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତି ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୨୧ଟି ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ଶହେ ତଳେ ରହିଛି। ତେବେ ଉପକୂଳର ୬ଟି ଜିଲ୍ଲାରେ ସ୍ଥିତି ଏବେ ବି ଚିନ୍ତାଜନକ ରହିଛି। ବିଶେଷକରି ଯାଜପୁର ଜିଲ୍ଲାରେ ଉଚ୍ଚ ପଜିଟିଭ୍ ହାର ଜାରି ରହିଛି। ଗତ ୧୪ତାରିଖରେ ଯାଜପୁରରେ ପଜିଟିଭ୍ ହାର ୨୨.୩ ପ୍ରତିଶତ ଥିବା ବେଳେ ଗତ ୨୪ଘଣ୍ଟାରେ ଏହା ୨୩.୫ ପ୍ରତିଶତ ରେକର୍ଡ କରାଯାଇଛି। ଯାହାକି ରାଜ୍ୟର ପଜିଟିଭ୍ ହାରଠାରୁ ଯଥେଷ୍ଟ ଅଧିକ। ରାଜ୍ୟର ପଜିଟିଭ୍ ହାର ୬.୦୨ ପ୍ରତିଶତ ରହିଛି। ଯାଜପୁରକୁ ବାଦ୍ ଦେଲେ ପୁରୀରେ ୧୨.୪, ଖୋର୍ଧା ଓ କଟକ ୯.୫, କେନ୍ଦୁଝର ଓ ବାଲେଶ୍ବରରେ ୮.୨ ପ୍ରତିଶତ ରହିଛି। ହେଲେ ଝାରସୁଗୁଡ଼ା ୦.୫, ବଲାଙ୍ଗୀର ୧, ନୂଆପଡ଼ା ୧.୨, ସମ୍ବଲପୁର ୧.୩, କଳାହାଣ୍ଡି ୧.୮, ସୋନପୁର ୨.୪, ଗଞ୍ଜାମ ୧.୧ ପ୍ରତିଶତକୁ ଖସି ଆସିଛି। ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦେଶକ ଡା. ନିରଞ୍ଜନ ମିଶ୍ର କହିଛନ୍ତି ଯେ ୨୧ ଜିଲ୍ଲାରେ ଶହେ ତଳେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଦେଶ ଓ ରାଜ୍ୟରେ ପଜିଟିଭ୍ ରେଟ୍‌ ଓ ମୃତ୍ୟୁ ହାର କମୁଛି ବୋଲି ସେ କହିଛନ୍ତି। ଡିଏମ୍‌ଇଟି ପ୍ରଫେସର ଡା. ସିବିକେ ମହାନ୍ତି କହିଛନ୍ତି ଯେ ଲୋକମାନେ ସଚେତନ ହେଲେ କରୋନା ନିୟନ୍ତ୍ରଣକୁ ଆସିବ। ରାଜ୍ୟରେ ଅନ୍‌ଲକ୍‌ ‌ହେଲେ ମଧ୍ୟ ଲୋକଙ୍କୁ କୋଭିଡ୍‌ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ହେବ। ଏବେ କମ୍ ସଂଖ୍ୟକ ରୋଗୀ ଆଇସିୟୁରେ ଅଛନ୍ତି ଓ ମୃତ୍ୟୁ ହାର କମୁଥିବା ଡା. ମହାନ୍ତି କହିଛନ୍ତି।

ବୁୁଧବାର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ରାଜ୍ୟରେ ୪୪ଜଣ କରୋନାରେ ପ୍ରାଣ ହରାଇଥିବା ନେଇ ସୂଚନା ଦିଆଯାଇଛି। ଏଥିରେ ଖୋର୍ଧାରେ ସର୍ବାଧିକ ୫, ଗଞ୍ଜାମ, କଳାହାଣ୍ଡି, ପୁରୀରେ ୪ ଲେଖାଏଁ, ସୁନ୍ଦରଗଡ଼, ରାୟଗଡ଼ା, ଜଗତସିଂହପୁର, ଝାରସୁଗୁଡ଼ା, କଟକରେ ୩ ଲେଖାଏଁ, ବରଗଡ଼, ବୌଦ୍ଧ, ମୟୂରଭଞ୍ଜରେ ୨ ଲେଖାଏଁ, ସମ୍ବଲପୁର, ନୂଆପଡ଼ା, କେନ୍ଦୁଝର, କନ୍ଧମାଳ, ଗଜପତି, ଢେଙ୍କାନାଳରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ସମୁଦାୟ କରୋନା ମୃତ୍ୟୁ ସଂଖ୍ୟା ୩୪୩୨କୁ ବୃଦ୍ଧି ପାଇଛି।

ରାଜ୍ୟରେ ବୁଧବାର ୩ହଜାରରୁ ଅଧିକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ୩୫୩୫ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଧାରୁ ସର୍ବାଧିକ ୫୩୩ଜଣ ରହିଛନ୍ତି। ଯାଜପୁର ୩୪୮, କଟକ ୩୨୦, ବାଲେଶ୍ବର ୨୯୬, ଅନୁଗୁଳ ୨୦୭, ଭଦ୍ରକ ୧୮୪, ପୁରୀ ୧୮୭, ମୟୂରଭଞ୍ଜ ୧୫୩, କେନ୍ଦ୍ରାପଡ଼ା ୧୦୪ ଓ ଷ୍ଟେଟ୍‌ ପୁଲ୍‌ରୁ ୮୨ଜଣ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୮ଲକ୍ଷ ୬୩ହଜାର ୬୧କୁ ବୃଦ୍ଧି ପାଇଛି। ଅପରପକ୍ଷରେ ଆଜି ରାଜ୍ୟରେ ୫୫୭୯ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଯାହାଫଳରେ ରାଜ୍ୟରେ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୮ଲକ୍ଷ ୧୭ହଜାର ୩୫୯କୁ ବୃଦ୍ଧି ପାଇଛି। ରାଜ୍ୟରେ ଏବେ ୪୨,୨୧୭ କରୋନା ରୋଗୀ ଚିକିତ୍ସିତ ହେଉଛନ୍ତି। ଯାହାକି ସମୁଦାୟ ସଂକ୍ରମିତଙ୍କ ୪.୮୯ ପ୍ରତିଶତ।

ସମ୍ବନ୍ଧିତ ଖବର