ଖସୁଛି ସଂକ୍ରମଣ, ରେଡ୍ ଜୋନ୍‌ରେ ୪ ଜିଲ୍ଲା

ଦିନକରେ ୩୬୩୧ ପଜିଟିଭ୍, ୩୯ ମୃତ
ଏବେ ଉପକୂଳ ଓଡ଼ିଶାକୁ ଫୋକସ୍‌

ଭୁବନେଶ୍ବର : ରାଜ୍ୟରେ ଦୈନିକ ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି। ମାତ୍ର ସ୍ଥିତି ଏ ପର୍ଯ୍ୟନ୍ତ ସଂପୂର୍ଣ୍ଣ ନିୟନ୍ତ୍ରଣକୁ ଆସିନାହିଁ। ବିଶେଷକରି ଉପକୂଳ ଓଡ଼ିଶାରେ ଥିବା ଜିଲ୍ଲାଗୁଡ଼ିକରେ ଉଚ୍ଚ ସଂକ୍ରମଣ ହାର ସହିତ ପଜିଟିଭ୍‌ଙ୍କ ସଂଖ୍ୟା ଅଧିକ ରହିଛି। ଏବେ ବି ବାଲେଶ୍ବର, ଯାଜପୁର, କଟକ ଓ ଖୋର୍ଧା ଜିଲ୍ଲା ରେଡ୍‌ ଜୋନ୍‌ରେ ରହିଛି। ଏହି ୪ ଜିଲ୍ଲାକୁ ବାଦ୍ ଦେଲେ ଅନ୍ୟ ଜିଲ୍ଲାଗୁଡ଼ିକରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ଅଢ଼େଇ ହଜାରରୁ ତଳେ ରହିଛି। ତେଣୁ ଉପକୂଳ ଓଡ଼ିଶା ଏବେ ରାଜ୍ୟ ସରକାରଙ୍କ ଫୋକସ୍‌ରେ ରହିଛି।

ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୬୩୧ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିରେ ୧୮ଟି ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ଶହେ ସଂଖ୍ୟା ତଳେ ରହିଛି। ରାଜ୍ୟରେ ସଂକ୍ରମଣ ହାର ରହିଛି ୫.୭୩ ପ୍ରତିଶତ। ହେଲେ ଯାଜପୁରରେ ୧୯.୫, ପୁରୀରେ ୧୩.୯, ଖୋର୍ଧାରେ ୧୧.୯, ବୌଦ୍ଧ ୯.୯, ନୟାଗଡ଼ ୯.୪, କଟକ ୯.୫, ଭଦ୍ରକ ୮.୭ ଓ ବାଲେଶ୍ବରରେ ୮ ପ୍ରତିଶତ ରହିଛି ସଂକ୍ରମଣ ହାର। ରାଜ୍ୟରେ ପ୍ରତ୍ୟେକ ଦିନ ଚିହ୍ନଟ ହେଉଥିବା ସମୁଦାୟ ସଂଖ୍ୟାରୁ ସିଂହ ଭାଗ ଏସବୁ ଜିଲ୍ଲାରୁ ଚିହ୍ନଟ ହେଉଛନ୍ତି।

ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦେଶକ ଡା. ନିରଞ୍ଜନ ମିଶ୍ର କହିଛନ୍ତି ଯେ ଏବେ ଉପକୂଳ ଓଡ଼ିଶା ଫୋକସ୍‌ରେ ରହିଛି। ଅଧିକ ସଂକ୍ରମଣ ଥିବା ଜିଲ୍ଲାରେ ଅଧିକ ପରୀକ୍ଷା କରାଯିବା ସହିତ ଘରକୁ ଘର ବୁଲି ସର୍ଭେକୁ ବ୍ୟାପକ କରାଯିବ। ରାଜ୍ୟରେ କରୋନା ସଂକ୍ରମଣ ପର୍ଯ୍ୟାୟକ୍ରମେ ପଶ୍ଚିମ ଓଡ଼ିଶାରେ ଆରମ୍ଭ ହୋଇ ଉପକୂଳକୁ ଆସିଥିଲା। ତେଣୁ ସଂକ୍ରମଣ ଧୀରେଧୀରେ ହ୍ରାସ ପାଇବ। ଏହା ଏକ ସ୍ବାଭାବିକ ପ୍ରକ୍ରିୟା। ରାଜ୍ୟରେ ଏବେ ହାରାହାରି ୬ ପ୍ରତିଶତ ସଂକ୍ରମଣ ହାର ରହୁଛି। ତେଣୁ ଏହି ମାସ ଶେଷ ସୁଦ୍ଧା ଆହୁରି କମିଯିବା ନେଇ ଆଶା କରାଯାଉଛି।

ସ୍ବାସ୍ଥ୍ୟସେବା ନିର୍ଦେଶକ ଡା. ବିଜୟ ମହାପାତ୍ରଙ୍କ କହିବା କଥା, ଲୋକମାନେ ଅନଲକ୍ ହୋଇଗଲା ଭାବି ଢିଲା ମାରିବା ଉଚିତ ନୁହେଁ। ରାଜ୍ୟରେ ଆଇସିୟୁରେ ଏବେ ୫୪ପ୍ରତିଶତ ଓ ଭେଣ୍ଟିଲେଟର୍‌ରେ ୫୬ପ୍ରତିଶତ ରୋଗୀ ରହିଛନ୍ତି। ଅଧିକ ଦିନ ଧରି ରୋଗୀ ଚିକିତ୍ସା ହେବା କାରଣରୁ ‌ରୋଗୀ ସଂଖ୍ୟା ଅଧିକ ରହୁଛି। ମାତ୍ର ନୂତନ ଭାବେ ଚିହ୍ନଟ ହେଉଥିବା ରୋଗୀଙ୍କ ଆଇସିୟୁରେ ଆଡମିସନ୍‌ ସଂଖ୍ୟା ବହୁତ କମ୍।

ଗତ ୨୪ ଘଣ୍ଟାରେ ଖୋର୍ଧା ଜିଲ୍ଲାରେ ସର୍ବାଧିକ ୫୦୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କଟକ ୪୩୮, ଯାଜପୁର ୩୦୫, ବାଲେଶ୍ବର ୨୬୨, ଅନୁଗୁଳ ୨୦୪, ପୁରୀ ୧୯୯, ଭଦ୍ରକ ୧୭୮, କେନ୍ଦ୍ରାପଡ଼ା ୧୨୦, ମୟୂରଭଞ୍ଜ ୧୧୨, ନବରଙ୍ଗପୁର ୧୦୮, ନୟାଗଡ଼ ୧୦୬, ଢେଙ୍କାନାଳ ୧୧୪ ଓ ଷ୍ଟେଟ୍‌ ପୁଲରୁ ୬୪ଜଣ ଚିହ୍ନଟ ହୋଇଛନ୍ତି। ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୮ଲକ୍ଷ ୬୬ହଜାର ୬୯୨କୁ ବୃଦ୍ଧି ପାଇଛି। ସେହିପରି ୩୯ ମୃତକଙ୍କ ମଧ୍ୟରେ ଖୋର୍ଧାରେ ସର୍ବାଧିକ ୬ଜଣ ରହିଛନ୍ତି। ଏହାବାଦ୍ କଟକ, ପୁରୀ, ସୁନ୍ଦରଗଗଡ଼ ଓ ଝାରସୁଗୁଡ଼ାରେ ୪ ଲେଖାଏଁ, ଗଞ୍ଜାମ, ଜଗତସିଂହପୁର, କଳାହାଣ୍ଡିରେ ୩ ଲେଖାଏଁ, ସୁବର୍ଣ୍ଣପୁର, ବୌଦ୍ଧରେ ୨ ଲେଖାଏଁ, ବରଗଡ଼, ଢେଙ୍କାନାଳ, ନବରଙ୍ଗପୁର ଓ ନୂଆପଡ଼ାରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ସମୁଦାୟ ମୃତ୍ୟୁ ସଂଖ୍ୟା ୩୪୭୧ରେ ପହଞ୍ଚିଛି।

ରାଜ୍ୟରେ ଆଜି ୬୨୪୦ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୮ଲକ୍ଷ ୨୩ହଜାର ୫୯୯କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୩୯,୫୬୯କୁ ଖସି ଆସିଛି। ରାଜ୍ୟରେ କରୋନା ରୋଗୀଙ୍କ ସୁସ୍ଥ ହାର ୯୪.୬ ପ୍ରତିଶତ ରେକର୍ଡ କରାଯାଇଛି।

ସମ୍ବନ୍ଧିତ ଖବର