ସଂକ୍ରମଣ କମୁଛି, ମୃତ୍ୟୁ ବଢ଼ୁଛି: ଦିନକରେ ୧୦,୯୩୯ ପଜିଟିଭ୍, ୩୩ ମୃତ

ଭୁବନେଶ୍ବର: ରାଜ୍ୟରେ କରୋନା ଜନିତ ମୃତ୍ୟୁ ବଢ଼ି ବଢ଼ି ଚାଲିଛି। ସପ୍ତାହେ ତଳେ ହାରାହାରି ଦୈନିକ ମୃତ୍ୟୁ ୨୨ରୁ ୨୪ ମଧ୍ୟ ରହୁଥିବା ବେଳେ ଗତ କିଛି ଦିନ ହେଲା ୩୦ ଉପରେ କରିଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ୩୩ଜଣ କରୋନାରେ ପ୍ରାଣ ହରାଇଥିବା ନେଇ ସୂଚନା ଦିଆଯାଇଛି। ଅପରପକ୍ଷରେ ଲଗାତାର ଦୁଇଦିନ ହେବ ରାଜ୍ୟରେ ସଂକ୍ରମଣ ସାମାନ୍ୟ ହ୍ରାସ ପାଇଛି। ଦିନକରେ ୧୦,୯୩୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

କରୋନା ମୃତକଙ୍କ ମଧ୍ୟରେ ଆଜି ଖୋର୍ଧା ଜିଲ୍ଲାର ସର୍ବାଧିକ ୭ଜଣ ରହିଛନ୍ତି। ଜିଲ୍ଲାରେ ଏ ପର୍ଯ୍ୟନ୍ତ ୪୪୮ଜଣ ପ୍ରାଣ ହରାଇ ସାରିଲେଣି। ଏହାବାଦ୍ ଅନୁଗୁଳ, ଝାରସୁଗୁଡ଼ା, କଳାହାଣ୍ଡିରେ ୪ଜଣ ଲେଖାଏଁ, ସୋନପୁର, ସୁନ୍ଦରଗଡ଼ରେ ୩ଜଣ ଲେଖାଏଁ, ଗଞ୍ଜାମ, କେନ୍ଦୁଝରରେ ୨ଜଣ ଲେଖାଏଁ, କୋରାପୁଟ, କନ୍ଧମାଳ, ଯାଜପୁର ଓ ଦେବଗଡ଼ରେ ‌ଜଣେ ଲେଖାଏଁ କରୋନାର ଶିକାର ହୋଇଛନ୍ତି। ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୨୫୪୯କୁ ବୃଦ୍ଧି ପାଇଛି। ତେବେ ରାଜ୍ୟରେ ଦିନକୁ ଦିନ ଅଧିକ ସଂଖ୍ୟାରେ ସଂକ୍ରମିତ ପ୍ରାଣ ହରାଉଥିଲେ ହେଁ, କେସ୍ ଫା‌ଟାଲିଟି ‌ରେଟ୍‌(ସିଏଫ୍‌ଆର) ବା ଯେତିକି ସଂକ୍ରମିତ ହେଉଛନ୍ତି ତହିଁରୁ ମୃତ୍ୟୁ ହାର ୦.୪ ପ୍ରତିଶତ ରହିଛି।

ରାଜ୍ୟରେ ଗତ ୨୪ଘଣ୍ଟାରେ ୧୦,୯୩୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଟେଷ୍ଟ ପଜିଟିଭ୍ ରେଟ୍‌ ବା ଟିପିଆର ୧୭.୫ ପ୍ରତିଶତ ରହିଛି। ଖୋର୍ଧାରୁ ସର୍ବାଧିକ ୧୨୯୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲ୍ଲାରେ ଏ ପର୍ଯ୍ୟନ୍ତ ସଂକ୍ରମିତଙ୍କ ସଂଖ୍ୟା ୧ଲକ୍ଷ ୭ହଜାର ୯୧୬କୁ ବୃଦ୍ଧି ପାଇଛି। ରାଜ୍ୟର ମୋଟ ଆକ୍ରନ୍ତଙ୍କ ମଧ୍ୟରୁ ୧୫ ପ୍ରତିଶତ କେବଳ ଖୋର୍ଧା ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି। ସେହିପରି କଟକ ୯୨୨, ଅନୁଗୁଳ ୮୧୯, ଢେଙ୍କାନାଳ ୭୬୩, ମୟୂରଭଞ୍ଜ ୬୦୪, ଯାଜପୁର ୫୪୧, ସୁନ୍ଦରଗଡ଼ ୫୧୨, ନବରଙ୍ଗପୁର ୩୬୨, କେନ୍ଦ୍ରାପଡ଼ା ୩୨୩, ଜଗତସିଂହପୁର ୨୯୧, ଗଞ୍ଜାମ ୨୫୪ ଓ ଷ୍ଟେଟ ପୁଲରୁ ୨୧୭ ଆକ୍ରାନ୍ତଙ୍କ ଚିହ୍ନଟ କରାଯାଇଛି। ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭ଲକ୍ଷ ୧୪ହଜାର ୩୮୦କୁ ବୃଦ୍ଧି ପାଇଛି। ରାଜ୍ୟରେ ଆଜି ୧୧,୭୬୯ ରୋଗୀ ସୁସ୍ଥ ହୋଇଛନ୍ତି। ଫଳରେ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୬୧୨୯୯୩ରେ ପହଞ୍ଚିଛି। ଏବେ ରାଜ୍ୟରେ ୯୮,୭୮୫ ଚିକିତ୍ସାଧୀନ ରୋଗୀ ରହିଛନ୍ତି।

ସମ୍ବନ୍ଧିତ ଖବର