ଦ୍ବିତୀୟ ଦିନ ଲାଗି ୫ଶହ ତଳେ ସଂକ୍ରମଣ: ‘ମୂର୍ତିର ଉଚ୍ଚତା ସହ ସଂକ୍ରମଣର ସିଧାସଳଖ ସଂପର୍କ ନାହିଁ’

ଭୁବନେଶ୍ବର: ପାର୍ବଣ ଋତୁରେ ମୂର୍ତିର ଉଚ୍ଚତାକୁ ନେଇ ବିବାଦ ଦେଖା ଦେଇଛି। ଯଦିଓ ରାଜ୍ୟ ସରକାର ପୂର୍ବରୁ ମୂର୍ତି ଉଚ୍ଚତାକୁ ନେଇ ଜାରି କରିଥିବା ନିର୍ଦେଶନାମା ବଳବତ୍ତର ରଖିଛନ୍ତି। ତଥାପି ଏହାକୁ ନେଇ ବିବାଦ ଥମିନାହିଁ। ତେବେ ଆଜି ସ୍ବାସ୍ଥ୍ୟ ବିଭାଗର ୩ ବରିଷ୍ଠ ଅଧିକାରୀ ପାର୍ବଣରେ ସଂକ୍ରମଣ ଓ ମୂର୍ତିର ଉଚ୍ଚତାକୁ ନେଇ ମିଳିତଭାବେ ଗଣମାଧ୍ୟମକୁ ସମ୍ବୋଧିତ କରିଛନ୍ତି। ଅଧିକାରୀମାନେ କହିଛନ୍ତି, ମୂର୍ତିର ଉଚ୍ଚତା ସହିତ ସଂକ୍ରମଣର ସିଧାସଳଖ ସଂପର୍କ ନାହିଁ। ମାତ୍ର ମୂର୍ତି ଉଚ୍ଚତା ବଢ଼ିଲେ, ସାଜସଜ୍ଜା ବଢ଼ିବ। ଯାହାଫଳରେ ଲୋକମାନେ ଆକର୍ଷିତ ହୋଇ ଭିଡ଼ କରିବେ। ଜଣେ ସଂକ୍ରମିତ ହେଲେ ଅନେକ ଲୋକ ସଂକ୍ରମିତ ହେବାର ଆଶଙ୍କା ବୃଦ୍ଧି ପାଇବ।
ଡିଏମ୍‌ଇଟି ପ୍ରଫେସର ଡା.ସିବିକେ ମହାନ୍ତି କହିଛନ୍ତି, ମୂର୍ତି ଉଚ୍ଚତା ପରୋକ୍ଷରେ ସଂକ୍ରମଣ ବଢ଼ାଇବ। ମହାରାଷ୍ଟ୍ରରେ ମଧ୍ୟ ଗଣେଶ ପୂଜାରେ ମୂର୍ତି ଉଚ୍ଚତାକୁ କମାଯାଇଛି। କେରଳରେ ଓନମ ପର୍ବ ପରେ ସେଠାରେ ସଂକ୍ରମଣ ସ୍ଥିତି କ’ଣ ହେଲା ତାହା ସମ‌ସ୍ତେ ଜାଣନ୍ତି। ମୂର୍ତି ଉଚ୍ଚତା ଯାହା ବି ହେଉ ପଛେ ଆମର ଭକ୍ତିଭାବ ରହିବା ଦରକାର ବୋଲି ଡା.ମହାନ୍ତି କହିଛନ୍ତି। ସେହିପରି ଜନସ୍ବାସ୍ଥ୍ୟ ନିର୍ଦେଶକ ଡା.ନିରଞ୍ଜନ ମିଶ୍ର କହିଥିଲେ, ପ୍ରଥମେ ଶରୀରକୁ ଦେଖିବା ଉଚିତ୍। ପରେ ଧର୍ମ ପାଳନକୁ ଗୁରୁତ୍ବ ଦେବା। ରାଜ୍ୟରେ ସଂକ୍ରମଣ କମିଛି, ହେଲେ ସଂପୂର୍ଣ୍ଣ ନିୟନ୍ତ୍ରଣକୁ ଆସିନାହିଁ। ପୂର୍ବଥର କିଛି ରାଜ୍ୟରେ ସଂକ୍ରମଣ ବଢ଼ି ଚାରି ଆଡ଼କୁ ବ୍ୟାପୀ ଯାଇଥିଲା। ଆଗକୁ ପାର୍ବଣ ଋତୁ ଆସୁଥିବାରୁ ସଂକ୍ରମଣ ଯେପରି ନ ବଢ଼ିବ ସେଥିପାଇଁ ସମସ୍ତେ କଟକଣାକୁ ମାନିବା ଉଚିତ୍ ବୋଲି ସେ କହିଥିଲେ।

ସ୍ବାସ୍ଥ୍ୟ ନିର୍ଦେଶକ ଡା.ବିଜୟ ମହାପାତ୍ର କହିଛନ୍ତି, ଯଦିଓ ମୂର୍ତି ଉଚ୍ଚତା ସହିତ ସଂକ୍ରମଣର ସିଧାସଳଖ ସଂପର୍କ ନାହିଁ। ମୂର୍ତି ଉଚ୍ଚତା ବଡ଼ ହେଲେ ଲୋକମାନେ ଆକର୍ଷିତ ହୋଇ ଭିଡ଼ କରିବେ। ଅନ୍ୟ ରାଜ୍ୟମାନେ ମୂର୍ତି ଉଚ୍ଚତାରେ କଟକଣା କରିଛନ୍ତି। ତେଣୁ ସଂକ୍ରମଣ ଦୃଷ୍ଟିରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ସେ କହିଛନ୍ତି। ରାଜ୍ୟ ସରକାର ଯେଉଁ କୋଭିଡ୍‌ ଗାଇଡଲାଇନ୍ ଜାରି କରିଛନ୍ତି ତାହାକୁ ସମେସ୍ତ ପାଳନ କରିବା ଜରୁରୀ। କରୋନା ପାଇଁ ଅକାଳରେ ଅନେକ ଲୋକ ପ୍ରାଣ ହରାଇଛନ୍ତି। ସାଧାରଣ ଲୋକ, ସାମ୍ବାଦିକ, ପୁଲିସ ଓ ଡାକ୍ତରଙ୍କ ଜୀବନ କରୋନା ନେଇଛି। ତେଣୁ କୋଭିଡ୍‌ ନିୟମକୁ ପାଳନ ନ କଲେ ପୁଣିଥରେ ପୂର୍ବସ୍ଥିତିକୁ ଫେରିବା ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।
ରାଜ୍ୟରେ ଦ୍ବିତୀୟ ଦିନ ଲାଗି ୫ଶହ ତଳେ ସଂକ୍ରମଣ ଦେଖିବାକୁ ମିଳିଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୪୨୮ କୋଭିଡ୍‌ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏଥିରେ ଖୋର୍ଧାରୁ ସର୍ବାଧିକ ୧୭୯, ଖୋର୍ଧା ୪୬, ଜଗତସିଂହପୁର ୨୦, ଯାଜପୁର ୨୧, ବାଲେଶ୍ବର-ମୟୂରଭଞ୍ଜ ୧୮ ଲେଖାଏଁ, ପୁରୀ ୧୫, ସମ୍ବଲପୁର ୯, ନୟାଗଡ଼ ୮ ଓ ଷ୍ଟେଟ୍‌ ପୁଲରୁ ୪୨ଜଣଙ୍କୁ ଚିହ୍ନଟ କରାଯାଇଛି। ‌ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦ଲକ୍ଷ ୧୭ହଜାର ୨୬୧ରେ ପହଞ୍ଚିଛି। ରାଜ୍ୟରେ ଆଉ ୪ଜଣ କରୋନାରେ ପ୍ରାଣ ହରାଇଥିବା ନେଇ ସରକାରୀ ଭାବେ ଘୋଷଣା କରାଯାଇଛି। ମୃତକଙ୍କ ମଧ୍ୟରେ ଖୋର୍ଧାରୁ ୨, କଟକ ଓ ପୁରୀରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ରାଜ୍ୟରେ ସମୁଦାୟ ମୃତ୍ୟୁ ସଂଖ୍ୟା ୮୧୦୮କୁ ବୃଦ୍ଧି ପାଇଛି। ଆଜି ରାଜ୍ୟରେ ୭୯୩ କୋଭିଡ୍‌ ଆକ୍ରାନ୍ତ ସୁସ୍ଥ ହୋଇଥିବା ସରକାରୀ ସୂଚନା ଦିଆଯାଇଛି। ମୋଟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୧୦ଲକ୍ଷ ୩ହଜାର ୬୦୩କୁ ବୃଦ୍ଧି ପାଇଛି। ରାଜ୍ୟରେ ୫୪୯୭ ଚିକିତ୍ସାଧୀନ ରୋଗୀ ରହିଛନ୍ତି।

ସମ୍ବନ୍ଧିତ ଖବର