ଦେଢ଼ ହଜାର ତଳେ ସଂକ୍ରମଣ: ଦିନକରେ ୧୨୪୭ ପଜିଟିଭ୍, ୧୩ ମୃତ ସୁସ୍ଥ ହେଲେ ୨୦୧୦ କରୋନା ରୋଗୀ

ଭୁବନେଶ୍ବର: ରାଜ୍ୟରେ ଲଗାତାର ଗତ ଦୁଇଦିନ ହେଲା କରୋନା ସଂକ୍ରମଣ ଦେଢ଼ ହଜାର ତଳେ ରହିଛି। ୨୫ତାରିଖରେ ୧୪୮୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗତକାଲି ୧୨୪୭ ରୋଗୀ ଚିହ୍ନଟ ହୋଇଛନ୍ତି। ଅପରପକ୍ଷରେ ରାଜ୍ୟରେ କୋଭିଡ୍‌ ନମୁନା ପରୀକ୍ଷା ବୃଦ୍ଧି ପାଉ ନ ଥିବାରୁ ଦୈନିକ ଚିହ୍ନଟ ହେଉଥିବା ରୋଗୀଙ୍କୁ ନେଇ ଦ୍ବନ୍ଦ୍ବ ଦେଖା‌ ଦେଇଛି। ପ୍ରକୃତରେ ରାଜ୍ୟରେ ଦୈନିକ ସଂକ୍ରମଣ ହ୍ରାସ ପାଇଛି ନା ଅଧିକ ସଂଖ୍ୟାରେ ନମୁନା ପରୀକ୍ଷା ହେଉ ନ ଥିବାରୁ କମ୍ ସଂଖ୍ୟକ ରୋଗୀ ଚିହ୍ନଟ ହେଉଛନ୍ତି ତାହ ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଏଭଳି ଦ୍ବନ୍ଦ୍ବ ସୃଷ୍ଟି ହେବା ପଛରେ ଥିବା ମୁଖ୍ୟ କାରଣ ହେଉଛି ଦୈନିକ କରୋନା ମୃତ୍ୟୁ। ଯଦିଓ ରାଜ୍ୟ ସରକାର କରୋନା ମୃତ୍ୟୁର ଡେଥ୍ ଅଡିଟ୍ କରିବା କାରଣରୁ ଏସବୁ ମୃତ୍ୟୁ ରିଅଲ ଟାଇମ୍ ବା ନିର୍ଦ୍ଦିଷ୍ଟ ଦିନର କହିବା ସମ୍ଭବ ନୁହେଁ। ଏହାସତ୍ତ୍ବେ ରାଜ୍ୟରେ ପୂର୍ବଭଳି କରୋନା ମୃତ୍ୟୁ ଜାରି ରହିଛି। ଆଜି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ରାଜ୍ୟରେ ୧୩ଜଣ କରୋନାରେ ପ୍ରାଣ ହରାଇଥିବା ଘୋଷଣା କରାଯାଇଛି। ଫଳରେ ସମୁଦାୟ ମୃତ୍ୟୁ ସଂଖ୍ୟା ୧୨୭୨କୁ ବୃଦ୍ଧି ପାଇଛି। ଆଜି ଘୋଷଣା ହୋଇଥିବା ମୃତକଙ୍କ ମଧ୍ୟରେ ଭୁବନେଶ୍ବରରୁ ସର୍ବାଧିକ ୪ଜଣ ରହିଛନ୍ତି। ଏହାବାଦ୍ ନୂଆପଡ଼ାରୁ ୩, ଝାରସୁଗୁଡ଼ା, କେନ୍ଦୁଝରରୁ ୨ ଲେଖାଏଁ, ମାଲକାନାଗିରି, ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ଏହାସହିତ ଗଞ୍ଜାମରେ ସର୍ବାଧିକ ୨୨୭, ଖୋର୍ଧା ୨୧୯, କଟକ ୧୦୫, ପୁରୀ ୮୨ ଓ ବାଲେଶ୍ବରରୁ ୬୬ଜଣ ପ୍ରାଣ ହରାଇସାରିଲେଣି।

ଆଜି ଚିହ୍ନଟ ୧୨୪୭ ଆକ୍ରାନ୍ତଙ୍କ ମଧ୍ୟରୁ ୭୨୯ ସଙ୍ଗରୋଧରୁ ଓ ୫୧୮ଜଣ ଲୋକାଲ କଣ୍ଟାକ୍ଟସ୍‌ ରହିଛନ୍ତି। ଖୋର୍ଧାରୁ ସର୍ବାଧିକ ୨୦୬ ରୋଗୀ ଚିହ୍ନଟ ହୋଇଛନ୍ତି। କଟକ ୧୦୫, ସୁନ୍ଦରଗଡ଼ ୯୬, ଅନୁଗୁଳ ୬୯, ବାଲେଶ୍ବର ୨୩, ବରଗଡ଼ ୩୨, ବଲାଙ୍ଗୀର ୬୮, ଭଦ୍ରକ ୭, ବୌଦ୍ଧ ୩୭, ଦେବଗଡ଼ ୧୬, ଢେଙ୍କାନାଳ ୪୦, ଗଞ୍ଜାମ ୧୭, ଜଗତସିଂହପୁର ୫୪, ଯାଜପୁର ୩୨, ଝାରସୁଗୁଡ଼ା ୩୫, କଳାହାଣ୍ଡି ୪୦, କନ୍ଧମାଳ ୧୧, କେନ୍ଦ୍ରାପଡ଼ା ୪୯, କେନ୍ଦୁଝର ୪୧, କୋରାପୁଟ ୨୬, ମାଲକାନଗିରି ୧୧, ମୟୂରଭଞ୍ଜ ୭୧, ନବରଙ୍ଗପୁର ୧୨, ନୟାଗଡ଼ ୧୪, ନୂଆପଡ଼ା ୩୮, ପୁରୀ ୨୨, ସମ୍ବଲପୁର ୨୪, ଷ୍ଟେଟ୍‌ ପୁଲ ୨୯, ସୋନପୁର ୧୮ ଓ ରାୟଗଡ଼ାରୁ ୪ଜଣ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨ଲକ୍ଷ ୮୩ହଜାର ୯୪୨କୁ ବୃଦ୍ଧି ପାଇଛି।

ଅପରପକ୍ଷରେ ଆଜି ରାଜ୍ୟରେ ସଂକ୍ରମିତଙ୍କ ଅପେକ୍ଷା ସୁସ୍ଥ ସଂଖ୍ୟା ଅଧିକ ରହିଛି। ରାଜ୍ୟରେ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୨ଲକ୍ଷ ୬୮ହଜାର ୧୧୫କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧୪ ହଜାର ୫୦୨କୁ ଖସି ଆସିଛି। ଖୋର୍ଧାରୁ ସର୍ବାଧିକ ୨୬୯ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟ ସୁସ୍ଥମାନଙ୍କ ମଧ୍ୟରେ କଟକ ୧୬୪, ମୟୂରଭଞ୍ଜ ୧୦୩, ସୁନ୍ଦରଗଡ଼ ୧୦୨, ସୋନପୁର ୯୯, କେନ୍ଦୁଝର ୮୯, ବଲାଙ୍ଗୀର ୮୬, ବରଗଡ଼ ୭୯, ଯାଜପୁର ୭୫, ଅନୁଗୁଳ ଓ ନବରଙ୍ଗପୁର ୭୩ ଲେଖାଏଁ, ବାଲେଶ୍ବର ୭୨, ଜଗତସିଂହପୁର ୬୭, କଳାହାଣ୍ଡି ୬୫, ନୟାଗଡ଼ ୬୩, କେନ୍ଦ୍ରାପଡ଼ା ୬୧, ସମ୍ବଲପୁର ୫୩, ପୁରୀ ୪୭, ଝାରସୁଗୁଡ଼ା ୪୬, ନୂଆପଡ଼ା ୪୩, ଭଦ୍ରକ ୪୦, ଢେଙ୍କାନାଳ ୩୮, କୋରାପୁଟ ୩୦, ମାଲକାନଗିରି ୨୯, କନ୍ଧମାଳ ୨୭, ଗଞ୍ଜାମ ୨୨, ବୌଦ୍ଧ ୧୮, ଦେବଗଡ଼ ୧୫, ରାୟଗଡ଼ା ୭ ଓ ଷ୍ଟେଟ୍‌ ପୁଲ ୫୫ ରହିଛି।

ସମ୍ବନ୍ଧିତ ଖବର