୩ ହଜାର ତଳକୁ ଖସିଲା ସଂକ୍ରମଣ, ଏପ୍ରିଲ ୧୪ରେ ଶେଷଥର ପାଇଁ ୩ ହଜାର ତଳେ ଥିଲା ସଂକ୍ରମଣ

୨୪ ଘଣ୍ଟାରେ ୨୯୫୭ ପଜିଟିଭ୍, ୩୮ ମୃତ

ଭୁବନେଶ୍ବର: ରାଜ୍ୟରେ କ୍ରମାଗତ ଭାବେ କରୋନା ସଂକ୍ରମଣ ଖସିବାରେ ଲାଗିଛି। ଲକ୍‌ଡାଉନ୍‌/ସଟ୍‌ଡାଉନ୍‌ର ପ୍ରଭାବ ଦେଖିବାକୁ ମିଳିଛି। ୭୫ଦିନ ପରେ ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୩ହଜାର ସଂଖ୍ୟା ତଳକୁ ଖସି ଆସିଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୬୧,୬୦୮ କୋଭିଡ ନମୁନା ପରୀକ୍ଷା ହୋଇଥିବା ବେଳେ ତହିଁରୁ ୨୯୫୭ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଗତ ଏପ୍ରିଲ ୧୪ତାରିଖରେ ଶେଷଥର ଲାଗି ରାଜ୍ୟରେ ୩ହଜାର ତଳେ ଦୈନିକ ସଂକ୍ରମଣ ଦେଖିବାକୁ ମିଳିଥିଲା। ତେଣୁ ଏହା ସମସ୍ତଙ୍କ ପାଇଁ କିଛିଟା ଆଶ୍ବସ୍ତି ଆଣିଛି।

ଅନ୍ୟପକ୍ଷରେ ରାଜ୍ୟରେ ଲଗାତାର ଦ୍ବିତୀୟ ଦିନ ଲାଗି ସଂକ୍ରମଣ ହାର ୫ ପ୍ରତିଶତ ତଳେ ରେକର୍ଡ କରାଯାଇଛି। ରାଜ୍ୟର ସଂକ୍ରମଣ ହାର ୪.୮ ପ୍ରତିଶତ ରହିଛି। ମାତ୍ର ଯାଜପୁରରେ ୧୧.୬, ପୁରୀରେ ୯.୮, ବାଲେଶ୍ବର ୯.୨, ଖୋର୍ଧା ଓ ନୟାଗଡ଼ରେ ୮.୫ ଓ ଭଦ୍ରକରେ ୮.୨ ପ୍ରତିଶତ ରହିଛି। ଯାହାକି ରାଜ୍ୟର ସଂକ୍ରମଣ ହାରଠାରୁ ଦୁଇଗୁଣରୁ ଅଧିକ। ଅନ୍ୟ ଜିଲ୍ଲାଗୁଡ଼ିକରେ ସଂକ୍ରମଣ ହାରରେ ଦ୍ରୁତ ହ୍ରାସ ଦେଖିବାକୁ ମିଳୁଥିଲେ ହେଁ ଏସବୁ ଜିଲ୍ଲା ରାଜ୍ୟ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ରାଜ୍ୟରେ ସଂକ୍ରମଣ କ୍ରମାଗତ ଭାବେ ହ୍ରାସ ପାଉଛି। ତଥାପି ଲୋକମାନେ ଢିଲା ହେବା ଉଚିତ ନୁହେଁ। ତୃତୀୟ ଲହର ଆସୁକି ନ ଆସୁ ଟିକାକରଣ ଓ ସର୍ଭେଲାନ୍‌ସ ଜାରି ରହିବ। ଏହାସହ କଟକଣା କୋହଳ ହେବା ସମୟରେ ଜନସାଧାରଣଙ୍କ ମଧ୍ୟ ସାହାଯ୍ୟ ଲୋଡ଼ା। ଏହି ତିନିଟି କଥା ହେଲେ ତୃତୀୟ ଲହର ଆସିଲେ ମଧ୍ୟ ବିଶେଷ ପ୍ରଭାବ ପକାଇବ ନାହିଁ। ଭୂତାଣୁକୁ ଦୂରେଇବା ଲାଗି ଟିକା ନେବା ଜରୁରୀ। ତେବେ‌ ତୃତୀୟ ଲହରର ପ୍ରଭାବ କ’ଣ ରହିବ ତାହା ଏବେଠାରୁ କହି‌ ହେବ ନାହିଁ। ଭୂତାଣୁର ପରିବର୍ତିତ ରୂପ ବା ମ୍ୟୁଟେସନ୍‌ ପାଇଁ ସମସ୍ୟା ଦେଖା ଦେଉଛି। ନିର୍ଦ୍ଦିଷ୍ଟ ଭାବେ କୌଣସି ଏକ ବର୍ଗର ଲୋକ କରୋନାରେ ସଂକ୍ରମିତ ହେଉ ନାହାନ୍ତି। ଯେଉଁ ବୟସର ଲୋକମାନେ ଟିକା ନେଇ ନାହାନ୍ତି ସେମାନେ ସଂକ୍ରମିତ ହେଉଥିବା ନଜରକୁ ଆସୁଥିବା ଅଧିକାରୀ ଜଣକ ସୂଚନା ଦେଇଛନ୍ତି।

ରାଜ୍ୟରେ ଆଜି ଖୋର୍ଧାରୁ ସର୍ବାଧିକ ୪୦୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ କଟକ ୨୭୨, ଯାଜପୁର ୨୬୦, ପୁରୀ ୨୧୯, ବାଲେଶ୍ବର ୨୪୭, ଭଦ୍ରକ ୧୯୨, ମୟୂରଭଞ୍ଜ ୧୩୫, କେନ୍ଦ୍ରାପଡ଼ା ୧୧୬, ନୟାଗଡ଼ ୧୧୨, ଅନୁଗୁଳ ୧୧୦, ଜଗତସିଂହପୁର ୧୦୩ ଓ ଷ୍ଟେଟ୍‌ ପୁଲରୁ ୭୦ଜଣ ଚିହ୍ନଟ ହୋଇଛନ୍ତି। ୧୯ ଜିଲ୍ଲାରୁ ଶହେରୁ କମ୍ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୮ଲକ୍ଷ ୮୩ହଜାର ୪୯୦କୁ ବୃଦ୍ଧି ପାଇଛି। କରୋନାରେ ପୁଣି ୩୮ଜଣ ପ୍ରାଣ ହରାଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଥିରେ ଖୋର୍ଧାରୁ ସର୍ବାଧିକ ୬, ବରଗଡ଼, କଟକରୁ ୫ ଲେଖାଏ, ପୁରୀ, ମୟୂରଭଞ୍ଜରେ ୪ ଲେଖାଏ, ସମ୍ବଲପୁର ୩, ଝାରସୁଗୁଡ଼ା, ଜଗତସିଂହପୁରରେ ୨ ଲେଖାଏ, ଅନୁଗୁଳ, ଦେବଗଡ଼, ‌ଢେଙ୍କାନାଳ, ଗଞ୍ଜାମ, ସୁନ୍ଦରଗଡ଼ କେନ୍ଦୁଝର ଓ କୋରାପୁଟରେ ଜଣେ ଲେଖାଏ ପ୍ରାଣ ହରାଇଛନ୍ତି। ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୩୬୭୧‌ରେ ପହଞ୍ଚି ଯାଇଛି। ରାଜ୍ୟରେ ଆଜି ୪୧୫୯ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଯାହାଫଳରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୩୦,୮୦୬କୁ ଖସି ଆସିଛି। ଅପରପକ୍ଷରେ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୮ଲକ୍ଷ ୪୮ହଜାର ୯୬୦କୁ ବୃଦ୍ଧି ପାଇଛି। ବାଲେଶ୍ବର, ଯାଜପୁର, କଟକ ଓ ଖୋର୍ଧାରେ ଅଢ଼େଇ ହଜାରରୁ ଅଧିକ ଚିକିତ୍ସାଧୀନ ରୋଗୀ ରହିଛନ୍ତି।

ସମ୍ବନ୍ଧିତ ଖବର