ରାଜ୍ୟରେ ୩ ହଜାର ତଳକୁ ଖସୁନି ସଂକ୍ରମଣ

ଭୁବନେଶ୍ବର : କରୋନା ସଂକ୍ରମଣକୁ ନିୟନ୍ତ୍ରଣକୁ ଆଣିବା ଲାଗି ରାଜ୍ୟ ସରକାର ଜାରି କରିଥିବା କଟକଣା ସମୟ ସରିବାକୁ ଯାଉଛି। କିନ୍ତୁ ଦୈନିକ ସଂକ୍ରମଣ ୩ ହଜାର ତଳକୁ ଖସୁନାହିଁ। ସଂକ୍ରମଣ ଏକ ପ୍ରକାର ସ୍ଥିର ରହିଛି। ଗତ ଦୁଇ ସପ୍ତାହରେ ମାତ୍ର ୨ଦିନ ଲାଗି ସଂକ୍ରମଣ ୩ହଜାର ତଳକୁ ଖସିଥିଲା। ଏଭଳି ପରିସ୍ଥିତିରେ ଲକ୍ ଡାଉନ୍ କଟକଣାରେ ବଡ଼ ଧରଣର କୋହଳ ହେବା ସମ୍ଭବାନ କ୍ଷୀଣ ବୋଲି କୁହାଯାଉଛି।

ସୂଚନାଯୋଗ୍ୟ ଯେ ୫%ରୁ କମ୍ ସଂକ୍ରମଣ ହାର ଥିବା ଜିଲ୍ଲାରେ କଟକଣା କୋହଳ ହୋଇପାରେ ବୋଲି ସ୍ବାସ୍ଥ୍ୟ ଅଧିକାରୀମାନେ ମତ ଦେଉଥିଲେ। କିନ୍ତୁ ଉପକୂଳ ଜିଲ୍ଲାଗୁଡ଼ିକରେ ପରିସ୍ଥିତିରେ ବିଶେଷ ଉନ୍ନତି ହୋଇଥିବାର ଦେଖାଯାଉ ନାହିଁ। ତେଣୁ ଏହି ଅଞ୍ଚଳରେ କଟକଣା ପୂର୍ବଭଳି ବଳବତ୍ତର ରହିପାରେ ବୋଲି ସଙ୍କେତ ମିଳିଲାଣି। ରାଜ୍ୟ ସରକାର ଟେଷ୍ଟିଂ, ଟ୍ରାକିଂ, ଟ୍ରିଟମେଣ୍ଟ ଓ ଟିକାକରଣକୁ ଗୁରୁତ୍ବ ଦେଉଥିବା ବେ‌ଳେ ଉଚ୍ଚ ସଂକ୍ରମଣ ହାର ଜାରି ରହିବା କେଉଁଠି ନା କେଉଁଠି ପ୍ରଶାସନର ଢିଲାପଣ ଓ ଲୋକମାନେ ବେପରୁଆ ହୋଇଯିବା ଆଡ଼କୁ ମଧ୍ୟ ଇଙ୍ଗିତ କରୁଛି। ତେଣୁ ଆସନ୍ତା ୩୦ତାରିଖ ବେଳକୁ ରାଜ୍ୟ ସରକାର ‌କିଭଳି ପଦକ୍ଷେପ ଗ୍ରହଣ କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି।

ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦେଶକ ଡା. ନିରଞ୍ଜନ ମିଶ୍ର କହିଛନ୍ତି ଯେ ସ୍ବାସ୍ଥ୍ୟ ବିଭାଗର ଆକଳନ ଅନୁସାରେ ଚଳିତମାସ ଶେଷ ସୁଦ୍ଧା ରାଜ୍ୟରେ ସଂକ୍ରମଣ ହ୍ରାସ ହୋଇଯିବା କଥା। ଯେହେତୁ ସଂକ୍ରମଣ କମୁନାହିଁ ସେ ଦିଗରେ ବିଚାର ଚାଲିଛି। ତେଣୁ ଏହାକୁ ନଜରରେ ରଖି ପରବର୍ତୀ ପଦକ୍ଷେପ ଗ୍ରହଣ କରାଯିବ। ରାଜ୍ୟର ୪/୫ଟି ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ଟିକିଏ ଅଧିକ ରହୁଛି। ତେବେ ଚିକିତ୍ସାଧୀନ ରୋଗୀଙ୍କ ସଂଖା କମୁଛି। ତେଣୁ ଅଧିକ ସଂଖ୍ୟାରେ ଟିକାକରଣ ଦ୍ବାରା ସଂକ୍ରମଣ ଚେନ୍‌କୁ ଭାଙ୍ଗିବା ଲାଗି ଯୋଜନା କରାଯାଉଥିବା ଡା.ମିଶ୍ର କହିଛନ୍ତି।

ଅନ୍ୟପକ୍ଷରେ ଡିଏମ୍‌ଇଟି ପ୍ରଫେସର ଡା. ସିବିକେ ମହାନ୍ତି କହିଛନ୍ତି ଯେ ମହାମାରୀ ଏକା ସାଙ୍ଗରେ ଥମିବା ଦେଖାଯାଇ ନାହିଁ। ରାଜ୍ୟରେ ସାମଗ୍ରୀକ ଭାବେ ସଂକ୍ରମଣ କମୁଥିବା ବେଳେ କିଛି ଜିଲ୍ଲାରେ ବଢ଼ୁଛି। ବିଶେଷକରି ଉପକୂଳବର୍ତ୍ତୀ ଜିଲ୍ଲାରେ ବାହାର ଜିଲ୍ଲା ଲୋକମାନଙ୍କ ନିୟମିତ ଯିବା ଆସିବା ଲାଗି ରହିଛି। ଏସବୁ ଦୃଷ୍ଟିରୁ ଉପକୂଳ ଜିଲ୍ଲାରେ ସଂକ୍ରମଣ ଅଧିକ ରହିଛ। ୫ ପ୍ରତିଶତରୁ କମ୍ ସଂକ୍ରମଣ ହାର ଥିବା ଜିଲ୍ଲାରେ କଟକଣା କୋହଳ ହୋଇପାରେ ବୋଲି ସେ କହିଛନ୍ତି।

cntraveller.in

୨୪ ଘଣ୍ଟାରେ ୩୩୧୯ ପଜିଟିଭ; ସଂକ୍ରମଣ ହାର ୫.୦୨%
ଗତ ୨୪ଘଣ୍ଟାରେ ରାଜ୍ୟରେ ୩୩୧୯ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ସଂକ୍ରମଣ ହାର ୫.୦୨ ପ୍ରତିଶତ ରେକର୍ଡ କରାଯାଇଛି। ଏଥିରେ କଟକରୁ ସର୍ବାଧିକ ୫୬୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହବାଦ୍ ଖୋର୍ଧା ୪୪୦, ବାଲେଶ୍ବର ୩୯୭, ମୟୂରଭଞ୍ଜ ୧୯୯, ଯାଜପୁର ୧୯୪, ପୁରୀ ୧୭୫, ଭଦ୍ରକ ୧୬୩, କେନ୍ଦ୍ରାପଡ଼ା ୧୩୪, ଜଗତସିଂହପୁର ୧୩୦, ଅନୁଗୁଳ ୧୧୬, ନୟାଗଡ଼ ୧୧୧ ଓ ଷ୍ଟେଟ୍‌ ପୁଲ୍‌ରୁ ୯୦ଜଣଙ୍କୁ ଚିହ୍ନଟ କରାଯାଇଛି। ରାଜ୍ୟର ୧୯ଟି ଜିଲ୍ଲାରେ ଶହେରୁ କମ୍ ସଂକ୍ରମିତ ‌ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୯ଲକ୍ଷ ୩ହଜାର ୭୮୯କୁ ବୃଦ୍ଧି ପାଇଛି। କରୋନାରେ ଆଉ ୪୩ଜଣଙ୍କ ମୃତ୍ୟୁ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଥିରେ ଖୋର୍ଧା ୯, ପୁରୀ, ନୟାଗଡ଼, ବରଗଡ଼ରେ ୫ ଲେଖାଏଁ, ସୁନ୍ଦରଗଡ଼ ୪, ଭଦ୍ରକ, କଟକ, ଗଞ୍ଜାମରେ ୩ ଲେଖାଏ, ଢେଙ୍କାନାଳରେ ୨, ବାଲେଶ୍ବର, କେନ୍ଦୁଝର, ମୟୂରଭଞ୍ଜ, ସମ୍ବଲପୁରରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ଫଳରେ ରାଜ୍ୟରେ ସମୁଦାୟ କରୋନା ମୃତ୍ୟୁ ୩୯୩୦ରେ ପହଞ୍ଚିଛି। ଏହାସହ ରାଜ୍ୟରେ ଆଜି ୩୩୮୫ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଯାହାଫଳରେ ରାଜ୍ୟରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୨୯,୦୧୯କୁ ଖସି ଆସିଛି। ଅନ୍ୟପଟରେ ସମୁଦାୟ କରୋନା ରୋଗୀଙ୍କ ସୁସ୍ଥ ସଂଖ୍ୟା ୮ଲକ୍ଷ ୭୦ହଜାର ୭୮୭କୁ ବୃଦ୍ଧି ପାଇଛି। ରାଜ୍ୟର ୪ଟି ଜିଲ୍ଲା ଏବେ ବି ରେଡ୍ ଜୋନ୍‌ରେ ରହିଛି।

ସମ୍ବନ୍ଧିତ ଖବର