ରାଜ୍ୟରେ ଶୀର୍ଷ ଛୁଇଁଛି ସଂକ୍ରମଣ! ୩ଦିନ ହେଲା ଖସୁଛି ଆକ୍ରାନ୍ତଙ୍କ ସଂଖ୍ୟା

୮୮୪୫ ପଜିଟିଭ୍, ୭ ମୃତ, ସୁସ୍ଥ ରୋଗୀଙ୍କ ସଂଖ୍ୟା ୧୧ଲକ୍ଷ ଟପିଲା

ଭୁବନେଶ୍ୱର : ରାଜ୍ୟରେ ଗତ ୩ଦିନ ହେବ କରୋନା ସଂକ୍ରମଣ ଖସି ଚାଲିଛି। ଏପରିକି ଦୈନିକ ସଂକ୍ରମଣ ୮ହଜାରକୁ ଖସି ଆସିଛି। ସେହି ଅନୁଯାୟୀ ସଂକ୍ରମଣ ହାର ମଧ୍ୟ କମିଛି। ଚଳିତମାସ ୧୮ତାରିଖରେ ରାଜ୍ୟରେ ସର୍ବାଧିକ ୧୧,୬୦୭ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ତେଣୁ ଓଡ଼ିଶାର କରୋନାର ତୃତୀୟ ଲହରର ଶୀର୍ଷ ସଂକ୍ରମଣ ପହଞ୍ଚି ସାରିଥିବା ବିଶେଷଜ୍ଞମାନେ ଦାବି କରିଛନ୍ତି। ମାତ୍ର ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଏ ପର୍ଯ୍ୟନ୍ତ ଏଭଳି ନିଷ୍କର୍ସରେ ପହଞ୍ଚିବା ନେଇ କୌଣସି ମତ ରଖି ନାହାନ୍ତି। ଦୁଇଦିନ ତଳେ ରାଜ୍ୟ ସ୍ବାସ୍ଥ୍ୟସେବା ନିର୍ଦେଶକ ରାଜ୍ୟର ସଂକ୍ରମଣ ଟ୍ରେଣ୍ଡର ଅନୁଧ୍ୟାନ ପାଇଁ ଆହୁରି ୪/୫ଦିନ ଲାଗିବ ବୋଲି କହିଥିଲେ।

ଗତ ୨୪ଘଣ୍ଟାରେ ରାଜ୍ୟରେ ୮୮୪୫ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସଂକ୍ରମଣ ହାର ରହିଛି ୧୩ ପ୍ରତିଶତ। ଖୋର୍ଧାରୁ ସର୍ବାଧିକ ୨୫୨୮ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରେ ୧୦୦୧ ଆକ୍ରାନ୍ତ ବାହାରିଛନ୍ତି। ଏହାବାଦ୍ କଟକ ୬୨୮, ବାଲେଶ୍ବର ୨୯୦, କଳାହାଣ୍ଡି ୨୩୯, ରାୟଗଡ଼ା ୨୨୧, ବଲାଙ୍ଗୀର ୨୩୨, ଯାଜପୁର ୨୦୯ ଓ ଷ୍ଟେଟ୍‌ ପୁଲରୁ ୫୦୭ଜଣଙ୍କୁ ଚିହ୍ନଟ କରାଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୧ଲକ୍ଷ ୯୬ଲକ୍ଷ ୧୪୦କୁ ବୃଦ୍ଧି ପାଇଛି।

Image Courtesy of Republic World

ବରିଷ୍ଠ ଚିକିତ୍ସକ ଡା.ନିରୋଜ ମିଶ୍ର କହିଛନ୍ତି, ରାଜ୍ୟରେ ୫/୬ଦିନ ପୂର୍ବରୁ ଶୀର୍ଷ ସଂକ୍ରମଣ ଅତିକ୍ରମ କଲାଭଳି ଲାଗୁଛି। ଆଗକୁ ଯଦି ସଂକ୍ରମଣ ବଢ଼େ ତାହାଲେ ଏଥିରେ ସାମାନ୍ୟ ବୃଦ୍ଧି ହୋଇପାରେ। ଆସନ୍ତା ସପ୍ତାହ ସୁଦ୍ଧା କେସ୍ ଲୋ‌ଡ ବହୁତ କମି ଆସିବ। ଫେବ୍ରୁଆରି ୧୫ସୁଦ୍ଧା ତୃତୀୟ ଲହର କମିବା ସହିତ ମାସ ଶେଷ ଆଡ଼କୁ ଏହା ଶେଷ ହୋଇ ଯାଇଥିବ। ୟୁକେରେ ଓମିକ୍ରନ୍‌ ବିଏ-୨କୁ ସ୍ଥାନୀୟ ସରକାର ଭାରିଏଣ୍ଟ ଅଫ୍ ଇଣ୍ଟରେଷ୍ଟ ବୋଲି ଘୋଷଣା କରିଛନ୍ତି। ଡେନମାର୍କରେ ଏହା ଦ୍ରୁତ ଗତିରେ ସଂକ୍ରମଣ ହେଉଛି। ଓମିକ୍ରନ୍‌ର ଏସବୁ ସବ୍-ଭାରିଏଣ୍ଟ ଭାରତରେ ମଧ୍ୟ ଦେଖା ଦେଇଛି। କୌଣସି ଲୋକକୁ ଯଦି ଓମିକ୍ରନ୍ ବିଏ-୧ ହୋଇଥାଏ ତାକୁ ବିଏ-୨ ମଧ୍ୟ ହୋଇପାରେ। କିଛି ବିଶେଷଜ୍ଞଙ୍କ ମତରେ ବିଏ-୨ଲାଗି ପୁଣିଥରେ ସଂକ୍ରମଣ ବଢ଼ିପାରେ। ଯେହେତୁ ଭାରତରେ ଏହା ଆଗରୁ ଅଛି ତେଣୁ ଦେଶରେ ସେଭଳି କୌଣସି ପ୍ରଭାବ ପଡ଼ି ନ ପାରେ। ଏଥିରେ ଆକ୍ରାନ୍ତ ଗୁରୁତର ହେଉ ନାହାନ୍ତି କି ମୃତ୍ୟୁ ମଧ୍ୟ ହେଉନାହିଁ ବୋଲି ଡା.ମିଶ୍ର କହିଛନ୍ତି।

ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦେଶକ ଡା.ନିରଞ୍ଜନ ମିଶ୍ର କହିଛନ୍ତି, ପୂର୍ବରୁ ସାର୍ସ-କୋଭ୍‌-୨ ବା କୋଭିଡ-୧୯ର ଇନକ୍ୟୁବେସନ୍ ସମୟ(ଶରୀରରେ ଯେତିକି ଦିନ ଭୂତାଣୁ ରହିଥାଏ) ୧୦ଦିନ ରହୁଥିଲା। ଅର୍ଥାତ୍ ୧୦ଦିନ ପର୍ଯ୍ୟନ୍ତ ଜଣେ ସଂକ୍ରମଣ ଅନ୍ୟକୁ ସଂକ୍ରମିତ କରିପାରୁଥିଲେ। ସମୟକ୍ରମେ ଭୂତାଣୁର ଇନକ୍ୟୁବେସନ ସମୟ ୫/୬ଦିନକୁ ଖସି ଆସିଛି। ତେଣୁ ଏବେ ଆକ୍ରାନ୍ତମାନେ ୭ଦିନ ଗୃହ ପୃଥକବାସରେ ରହିପାରିବେ। ଏହି ୭ଦିନ ଭିତରେ ଲଗାତାର ୩ଦିନ ଜ୍ବର ନ ଆସିଲେ ଆଇସୋଲେସନ୍ ବା ପୃଥକବାସ ସମୟ ଶେଷ ହେବ। ଏହାପରେ ରୋଗୀ ୭ଦିନ ନିଜ ହେପାଜତରେ ରହିବେ। ଯଦି ଷଷ୍ଠ କିମ୍ବା ୭ମ ଦିନ ଜ୍ବର ଆସେ ତେବେ ଡାକ୍ତରଙ୍କୁ ପରାମର୍ଶ କରିବେ। ସଂକ୍ରମଣ ହେଲେ ଆଇସୋଲେସନ୍ ଅବଧି ବୃଦ୍ଧି କରାଯିବ ବୋଲି ଡା.ମିଶ୍ର ସୂଚନା ଦେଇଛନ୍ତି।

କରୋନାରେ ଆଉ ୭ଜଣଙ୍କ ମୃତ୍ୟୁ ହୋଇଥିବା ସରକାରଙ୍କ ପକ୍ଷରୁ ଘୋଷଣା ହୋଇଛି। ମୃତକଙ୍କ ମଧ୍ୟରେ ଅନୁଗୁଳ ୨, ଭଦ୍ରକ, କଟକ, ଯାଜପୁର, ମୟୂରଭଞ୍ଜ ଓ ପୁରୀରେ ଜଣେ ଲେଖାଏ ପ୍ରାଣ ହରାଇଛନ୍ତି। ମୋଟ କରୋନା ମୃତ୍ୟୁ ସଂଖ୍ୟା ରାଜ୍ୟରେ ୮୫୧୪କୁ ବୃଦ୍ଧି ପାଇଛି। କରୋନାର ତୃତୀୟ ଲହରରେ କମ୍ ସଂଖ୍ୟକ ରୋଗୀ ଗୁରୁତର ହେଉଥିବାରୁ ରାଜ୍ୟରେ ସୁସ୍ଥ ରୋଗୀଙ୍କ ସଂଖ୍ୟା ବଢ଼ୁଛି। ରାଜ୍ୟରେ ଆଜି ରେକର୍ଡ ସଂଖ୍ୟକ ୧୧,୩୪୪ ରୋଗୀ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଯାହାଫଳରେ ରାଜ୍ୟରେ ମୋଟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୧୧ଲକ୍ଷ ୧୦ହଜାର ୭୬୭କୁ ବୃଦ୍ଧି ପାଇଛି। ଅପରପକ୍ଷରେ ପୂର୍ବରୁ ରାଜ୍ୟରେ ପ୍ରାୟ ୮୦ହଜାର ଚିକିତ୍ସାଧୀନ ରୋଗୀ ଥିବା ବେଳେ ଏବେ ତାହା ୭୬,୮୦୬କୁ ଖସି ଆସିଛି। ଏବେ କେବଳ ଖୋର୍ଧା, କଟକ ଓ ସୁନ୍ଦରଗଡ଼ ଜିଲ୍ଲା ରେଡ୍‌ ଜୋନ୍‌ରେ ରହିଛି। କିଛିଦିନ ପୂର୍ବରୁ ରାଜ୍ୟର ୫ଟି ଜିଲ୍ଲା ଏଥିରେ ରହିଥିଲା।

ସମ୍ବନ୍ଧିତ ଖବର