୩ ଜିଲ୍ଲା‌ରେ ସଂକ୍ରମଣ ୫% ଟପିଲା: ୧୬୨୯ ପଜିଟିଭ୍, ୬୦ ମୃତ

ଭୁବନେଶ୍ବର: ସାରା ରାଜ୍ୟରେ କରୋନା ସଂକ୍ରମଣ କମୁଥିଲେ ମଧ୍ୟ ଉପକୂଳ ଓଡ଼ିଶାରେ ପୁଣିଥରେ ସଂକ୍ରମଣ ହାର ଉପରମୁହାଁ ହୋଇଛି। ଖୋର୍ଧା, କଟକ ଓ କେନ୍ଦ୍ରାପଡ଼ାରେ ସଂକ୍ରମଣ ହାର ୫% ଟପିଯାଇଛି। ଖୋର୍ଧାରେ ୬.୭, କଟକ ୬.୨, କେନ୍ଦ୍ରାପଡ଼ା ୫.୮, ପୁରୀ ୪.୪, ବାଲେଶ୍ବରରେ ୩.୯ ପ୍ରତିଶତ ଦେଖିବାକୁ ମିଳିଛି; ଯାହାକି ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ରାଜ୍ୟ ସରକରଙ୍କ ପକ୍ଷରୁ ଉପକୂଳ ଓଡ଼ିଶାକୁ ଅଧିକ ଫୋକସ୍ ସହିତ ସର୍ଭେଲାନ୍‌ସ କରାଯାଉଥିବା କୁହାଯାଉଛି। ଏହାସତ୍ତ୍ବେ ଉପକୂଳ ଓଡ଼ିଶାରେ ଉଚ୍ଚ ସଂକ୍ରମଣ ହାର ନିୟନ୍ତ୍ରଣକୁ ଆସୁନାହିଁ। ଗତ ୨୪ଘଣ୍ଟାରେ ରାଜ୍ୟରେ ୬୨,୬୮୬ କୋଭିଡ ନମୁନା ପରୀକ୍ଷା ହୋଇଥିବା ବେଳେ ସଂକ୍ରମଣ ହାର ୨.୬ ପ୍ରତିଶତ ରହିଛି। ଖୋର୍ଧା ଜିଲ୍ଲା ସଂକ୍ରମଣର ଶୀର୍ଷ ସ୍ଥାନରେ ରହିଛି। ଜିଲ୍ଲାରୁ ୫୩୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାବାଦ୍ କଟକ ୧୬୦, ବାଲେଶ୍ବର ୯୩, ଯାଜପୁର ୮୪, ଭଦ୍ରକ ୭୬, ଜଗତସିଂହପୁର ୬୭, ମୟୂରଭଞ୍ଜ ୫୩, ଅନୁଗୁଳ ୪୪ ଓ ଷ୍ଟେଟ୍‌ ପୁଲରୁ ୧୧୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୯ଲକ୍ଷ ୭୦ହଜାର ୮୧୪କୁ ବୃଦ୍ଧି ପାଇଛି।

ରାଜ୍ୟରେ ଆଉ ୬୦ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି। ଏଥିରେ ସୁନ୍ଦରଗଡ଼ରେ ସର୍ବାଧିକ ୧୪, ଖୋର୍ଧା ୮, କଟକ, ଅନୁଗୁଳରେ ୬ ଲେଖାଏଁ, କେନ୍ଦୁଝର, ପୁରୀରେ ୫ ଲେଖାଏଁ, ସମ୍ବଲପୁର, ବୌଦ୍ଧରେ ୪ ଲେଖାଏଁ, ଭଦ୍ରକ ୨, ନୟାଗଡ଼, ନବରଙ୍ଗପୁର, କୋରାପୁଟ, କନ୍ଧମାଳ, ଝାରସୁଗୁଡ଼ା, ଯାଜପୁରରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ସମୁଦାୟ ମୃତ୍ୟୁ ସଂଖ୍ୟା ୫୬୩୪ରେ ପହଞ୍ଚିଛି। ଆଜି ରାଜ୍ୟରେ ୧୯୬୯ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୯ଲକ୍ଷ ୪୯ ହଜାର ୩୫୦କୁ ବୃଦ୍ଧି ପାଇଛି। ରାଜ୍ୟରେ ଏବେ ୧୫,୭୭୭ ଚିକିତ୍ସାଧୀନ ରୋଗୀ ରହିଛନ୍ତି।
ଏ ନେଇ ଡିଏମ୍‌ଇଟି ପ୍ରଫେସର ଡା.ସିବିକେ ମହାନ୍ତି କହିଛନ୍ତି ଯେ ରାଜ୍ୟରେ ସଂକ୍ରମଣ ତଳ ଉପର ରହୁଛି। ଯେଉଁଠି ଅଧିକ ରହୁଛି ସେଠି ଅଧିକ ଫୋକସ୍ ଦିଆଯାଇ କମାଇବାକୁ ଚେଷ୍ଟା କରାଯାଉଛି। ଭୁବନେଶ୍ବରରେ ଲୋକମାନଙ୍କ ଯାତାୟାତ ଅଧିକ ରହୁଥିବାରୁ ଏଠି
ସଂକ୍ରମଣ ଅଧିକ ରହୁଛି। ତେଣୁ ଭୁବନେଶ୍ବରର ସର୍ଭେଲାନ୍‌ସ ବଢ଼ାଯାଇଛି। ତେଣୁ ଆଗକୁ ସଂକ୍ରମଣ କମିବ ବୋଲି ଆଶା କରାଯାଉଛି। ଆବଶ୍ୟକ ପଡ଼ିଲେ ସଂପୂର୍ଣ୍ଣ ଅନ୍‌ଲକ୍‌ କରାଯିବ। ପରିସ୍ଥିତିର ଆକଳନ କରି ନିଷ୍ପତ୍ତି ନିଆଯିବ। ତରବରିଆ ଭାବେ ନିଷ୍ପତ୍ତି ନେଲେ ବିପଦ ସୃ‌ଷ୍ଟି ହୋଇପାରେ। ଦେଶରେ ଏବେ ଯେଉଁଠି ସଂକ୍ରମଣ ବଢ଼ିବ, ତାହାକୁ ତୃତୀୟ ଲହର ବୋଲି ଧରିବାକୁ ହେବ। ପ୍ରତ୍ୟେକ ମହାମାରୀରେ ଏଭଳି ଦେଖିବାକୁ ମିଳିଥାଏ।

ଦ୍ବିତୀୟ ଏମ୍‌ସ ପାଇଁ ପଛଘୁଞ୍ଚା ଦିଆଯିବନି: ପ୍ରଫେସର ମହାନ୍ତି ଆହୁରି ମଧ୍ୟ କହିଛନ୍ତି ଯେ ସୁନ୍ଦରଗଡ଼ରେ ଦ୍ବିତୀୟ ଏମ୍‌ସ ପାଇଁ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ରାଜ୍ୟ ସରକାର ପ୍ରସ୍ତାବ ଦେଇଛନ୍ତି। ତେଣୁ ପଛଘୁଞ୍ଚା ଦେବାର କାରଣ ନାହିଁ। ରାଜ୍ୟ ସରକାର ଜମି ଓ ଅର୍ଥ ଦେବାକୁ ରାଜି ଅଛନ୍ତି। କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା କରାଯାଇଛି। ସୁନ୍ଦରଗଡ଼ରେ ଦ୍ବିତୀୟ ଏମ୍‌ସ ହେଲେ ପଶ୍ଚିମ ଓଡ଼ିଶାର ଆଦିବାସୀ ବହୁଳ ଲୋକ ଅଧିକ ଉପକୃତ ହେବେ।

ସମ୍ବନ୍ଧିତ ଖବର