୧୭ ଦିନ‌ରେ ୧୪ ଥର ୨ ହଜାର ଉପରେ ସଂକ୍ରମଣ, ୪ ଜିଲ୍ଲାରେ ସାପ୍ତାହିକ ସଂକ୍ରମଣ ହାର ୫% ଉପରେ

ଭୁବନେଶ୍ବର: ଚଳିତ ମାସ ୨ ତାରିଖରେ ରାଜ୍ୟରେ ପ୍ରଥମଥର ଲାଗି ୨ ହଜାରକୁ ଖସିଥିଲା ଦୈନିକ କରୋନା ସଂକ୍ରମଣ। ଏହା ପରଠାରୁ ୧୭ ଦିନ ବିତିଗଲାଣି। ଏହାମଧ୍ୟରେ ୧୪ଥର ଲାଗି ଦୈନିକ ସଂକ୍ରମଣ ୨ହଜାର ଉପରେ ଦେଖିବାକୁ ମିଳିଛି। ଯେଉଁଦିନ ସଂକ୍ରମଣ ୨ହଜାର ତଳକୁ ଖସୁଛି, ଏହା ପରଦିନ ପୁଣିଥରେ ବୃଦ୍ଧି ପାଉଛି। ମୋଟାମୋଟି ଭାବେ ରାଜ୍ୟରେ ଦୈନିକ ସଂକ୍ରମଣ ୨ ହଜାର ଉପରେ ସ୍ଥିର ରହିଛି। ୨ ମାସରୁ ଅଧିକ ଲକ୍‌ଡାଉନ୍‌/ସଟ୍‌ଡାଉନ୍‌ର ବିଶେଷ ପ୍ରଭାବ ଉପକୂଳ ଓଡ଼ିଶା ଉପରେ ପଡ଼ୁନାହିଁ।

କେବଳ ଦୈନିକ ସଂକ୍ରମଣ ନ‌ୁହେଁ, ସଂକ୍ରମଣ ହାର ମଧ୍ୟ ୪ଟି ଜିଲ୍ଲାରେ ୫ପ୍ରତିଶତ ଉପରେ ରହିଛି। ଚଳିତମାସ ୧୩-୧୯ତାରିଖ ମଧ୍ୟରେ ଖୋର୍ଧାରେ ୬.୭୨, ବାଲେଶ୍ବର ୬.୬୯, ଭଦ୍ରକ ୫.୨୬ ଓ କଟକ ୫.୦୩ ପ୍ରତିଶତ ଦେଖିବାକୁ ମିଳିଛି। ତେଣୁ ଉପକୂଳ ଓଡ଼ିଶା ଏବେ ବି କରୋନା ସଂକ୍ରମଣ ନେଇ ସମ୍ବେଦନଶୀଳ ରହିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ସଂକ୍ରମଣ ହାର ୨.୯୬ ପ୍ରତିଶତ ରହିଛି। ମାତ୍ର କଟକରେ ୫.୫, ଭଦ୍ରକ ୫, ଯାଜପୁର ୪.୭, ଖୋର୍ଧା-ବାଲେଶ୍ବରରେ ୪.୩ ପ୍ରତିଶତ ରହିଥିବା ‌ରେକର୍ଡ କରାଯାଇଛି।

ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ମତରେ ସଂକ୍ରମଣ ହାର ଅଧିକ ରହୁଥିବା ୪ଟି ଜିଲ୍ଲାରେ ସଂକ୍ରମଣ କମିବା ପରେ ଏବେ ପ୍ଲାଟ୍ୟୁ ସ୍ଥିତିରେ ରହିଛି। ତେଣୁ ଏହି ୪ଜିଲ୍ଲାକୁ ଅଧିକ ଗୁରୁତ୍ବ ଦିଆଯିବ। କଟକଣା କୋହଳ ହେବା ପରେ ଲୋକଙ୍କ ଗହଳି ତୃତୀୟ ଲହର ଆସିବାର ମୁଖ୍ୟ କାରଣ ହେବ। ମହାମାରୀରେ ଏଭଳି ଲହର ଆସିଥାଏ। ରାଜ୍ୟ ସରକାର ଏଥିପାଇଁ ସ୍ବତନ୍ତ୍ର ଆକ୍ସନ୍ ପ୍ଲାନ ପ୍ରସ୍ତୁତ କରିଛନ୍ତି। ସର୍ଭେଲାନ୍‌ସକୁ ଫୋକସ୍ ଦିଆଯିବ। ଯଦି ରାଜ୍ୟ ସରକାର ଚାହିବେ, ତାହାଲେ ଅଗଷ୍ଟ ପରେ ମଧ୍ୟ ଏହାକୁ ବଢ଼ାଇ ପାରନ୍ତି। ଏବେ ରାଜ୍ୟ ନିକଟରେ ଅଧିକ ଚିକିତ୍ସା କ୍ଷମତା ରହିଛି। ତୃତୀୟ ଲହରରେ ଛୋଟ ପିଲା ଅଧିକ ପ୍ରଭାବିତ ହେବାର ଆଶଙ୍କା ରହିଛି। ତେଣୁ ଏହାକୁ ନଜରରେ ରଖି ଟ୍ରେନିଂ ମୋଡାଲିଟି ୫୦ ପ୍ରତିଶତ ଆଗେଇଛି। ଶିଶୁରୋଗ ଓ ଏମ୍‌ବିବିଏସ୍‌ମାନଙ୍କୁ ତାଲିମ୍ ଦିଆଯାଉଛି ବୋଲି ଅଧିକାରୀଜଣକ ମତ ଦେଇଛନ୍ତି।
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଚିହ୍ନଟ ୨୦୮୫ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଧା‌ରେ ସର୍ବାଧିକ ୫୨୮ ଚିହ୍ନଟ ‌ହୋଇଛନ୍ତି।

ଏହାସହ କଟକ ୨୧୦, ଭଦ୍ରକ ୧୭୩, ଯାଜପୁର ୧୩୨, ବାଲେଶ୍ବର ୧୧୩, ଜଗତସିଂହପୁର ୧୦୮, ପୁରୀ ୧୦୬, କେନ୍ଦ୍ରାପଡ଼ା ୯୪, ଅନୁଗୁଳ ୭୩, ମୟୂରଭଞ୍ଜ ୮୪, ନୟାଗଡ଼ ୬୦, ଢେଙ୍କାନାଳ ୪୧ ଓ ଷ୍ଟେଟ୍‌ ପୁଲ ୧୧୦ଜଣ ଚିହ୍ନଟ ହୋଇଛନ୍ତି। ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୯ଲକ୍ଷ ୫୮ହଜାର ୦୫୯କୁ ବୃଦ୍ଧି ପାଇଛି। ରାଜ୍ୟରେ ଆଉ ୫୬ ଜଣ କରୋନାରେ ପ୍ରାଣ ହରାଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୃତକଙ୍କ ମଧ୍ୟରେ ଖୋର୍ଧାରୁ ୧୯, ସୁନ୍ଦରଗଡ଼ ୮, ମୟୂରଭଞ୍ଜ, ବରଗଡ଼ରେ ୬ ଲେଖାଏଁ, କେନ୍ଦ୍ରାପଡ଼ା, କେନ୍ଦୁଝର, ପୁରୀରେ ୩ ଲେଖାଏଁ, ମାଲକାନଗିରିରେ ୨, କଟକ, ଦେବଗଡ଼, ଗଞ୍ଜାମ, କଳାହାଣ୍ଡି, କୋରାପୁଟ, ସମ୍ବଲପୁରରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୫୧୭୨ରେ ପହଞ୍ଚିଛି। ରାଜ୍ୟରେ ଆଜି ୨୩୪୧ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଏ ପର୍ଯ୍ୟନ୍ତ ୯ଲକ୍ଷ ୩୫ହଜାର ୭କୁ ବୃଦ୍ଧି ପାଇଛି। ଏବେ ୧୭,୮୨୭ ଚିକିତ୍ସାଧୀନ ରୋଗୀ ରହିଛନ୍ତି।

ସମ୍ବନ୍ଧିତ ଖବର