୧୮ ବର୍ଷରୁ କମ୍ ପିଲାଙ୍କ ସଂକ୍ରମଣ ଜାରି

ଆଉ ୧୨୮ ପିଲା ସଂକ୍ରମିତ, ୯୮୬ ପଜିଟିଭ୍, ୬୯ ମୃତ

ଭୁବନେଶ୍ବର : ରାଜ୍ୟରେ ୧୮ ବର୍ଷରୁ କମ୍ ବୟସର ପିଲାଙ୍କ ସଂକ୍ରମଣ ଜାରି ରହିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ଯେତିକି ପଜିଟିଭ୍ ଚିହ୍ନଟ ହୋଇଛନ୍ତି, ତାହାର ୧୩ ପ୍ରତିଶତ କେବଳ ଏହି ବର୍ଗର ରହିଛନ୍ତି। ସମ୍ଭାବ୍ୟ ତୃତୀୟ ଲହରରେ ଶିଶୁଙ୍କ ସଂକ୍ରମଣକୁ ନେଇ ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରୁଥିବା ବେ‌ଳେ ଏବେଠୁ ଶିଶୁଙ୍କ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବା ଚିନ୍ତା ବଢ଼ାଇଛି। କରୋନାର ଦ୍ବିତୀୟ ଲହର ରାଜ୍ୟରେ ଏକ ଥିକ୍-ଟେଲ୍ ବା ମୋଟା ଲାଞ୍ଜ ଭଳି ସ୍ଥିତିରେ ରହିଛି। ଯଦିଓ ସଂକ୍ରମଣ ବଢ଼ୁନାହିଁ, ମାତ୍ର ଯେଉଁ ଅନୁପାତରେ ହ୍ରାସ ପାଇବ ବୋଲି ଆଶା କରାଯାଉଥିଲା, ତାହା ମଧ୍ୟ ହେଉନାହିଁ। ରାଜ୍ୟବ୍ୟାପୀ ଗୋଷ୍ଠୀ ସଂକ୍ରମଣ ଯୋଗୁଁ ଏଭଳି ସ୍ଥିତି ପୁଜିଥିବା ବିଶେଷଜ୍ଞମାନେ ମତ ଦେଉଛନ୍ତି। ଏବେ ଦୈନିକ ସଂକ୍ରମଣ ପ୍ରାୟ ହଜାର ପାଖାପାଖି ରହିଛି। କେତେବେଳେ ହଜାର ଉପରେ ତ ଆଉ କେଉଁଦିନ ହଜାର ତଳେ ସଂକ୍ରମଣ ଦେଖିବାକୁ ମିଳୁଛି। ଖୋର୍ଧା ଓ କଟକ ଜିଲ୍ଲାକୁ ବାଦ୍ ଦେଲେ ଅନ୍ୟ ଜିଲ୍ଲାରେ ସଂକ୍ରମଣ ନିୟନ୍ତ୍ରଣରେ ରହିଛି।

ଗତ ୨୪ ଘଣ୍ଟାରେ ରାଜ୍ୟରେ ୯୮୬ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଖୋର୍ଧାରୁ ୩୬୮, କଟକ ୧୨୮, ଯାଜପୁର ୪୯, ଜଗତସିଂହପୁର ୪୫, ପୁରୀ-ମୟୂରଭଞ୍ଜ ୩୨ ଲେଖାଏ, ବାଲେଶ୍ବର ୨୫, ଅନୁଗୁଳ ୨୪, ନୟାଗଡ଼ ୨୦ ଓ ଷ୍ଟେଟ୍‌ ପୁଲରୁ ୮୫ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ରାଜ୍ୟରେ ସମୁଦାୟ ସଂକ୍ରମଣ ୯ଲକ୍ଷ ୯୯ହଜାର ୧୭୩ରେ ପହଞ୍ଚିଛି।

ଅପରପକ୍ଷେ ଦ୍ବିତୀୟ ଲହରରେ ପ୍ରାଣ ହରାଇଥିବା ମୃତକଙ୍କ ଘୋଷଣା ଜାରି ରହିଛି। ଆଉ ୬୯ଜଣ କରୋନାରେ ପ୍ରାଣ ହରାଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଘୋଷଣା ହୋଇଛି। ଏଥିରେ ଜଗତସିଂହପୁର ୧୨, କଟକ ୧୧, ଢେଙ୍କାନାଳ ୮, ଭଦ୍ରକ, ଯାଜପୁର ୬ ଲେଖାଏ, ଖୋର୍ଧା, କେନ୍ଦ୍ରାପଡ଼ା, ଅନୁଗୁଳ ୫ ଲେଖାଏଁ, ପୁରୀ ୪, କେନ୍ଦୁଝର, ମୟୂରଭଞ୍ଜ ୩ ଲେଖାଏଁ, ନୟାଗଡ଼ରେ ଜଣେ ପ୍ରାଣ ହରାଇଛନ୍ତି। ମୋଟ ମୃତ୍ୟୁ ସଂଖ୍ୟା ୭୨୨୩ରେ ପହଞ୍ଚିଛି।

ରାଜ୍ୟରେ ଆଜି ୯୨୬ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୯,୮୩,୨୪୫କୁ ବୃଦ୍ଧି ପାଇଛି।

ସମ୍ବନ୍ଧିତ ଖବର