ଶାସନ ବ୍ୟବସ୍ଥାରେ କିଏ କେଉଁ କାମ କରିବ ତାହାର ଏକ ନିର୍ଦ୍ଦିଷ୍ଟ ବିଧି ବ୍ୟବସ୍ଥା ରହିଛି, ଓଡ଼ିଶାରେ ତାହାର ବିଲକ୍ଷଣ ଦେଖାଦେଇଛି : ଧର୍ମେନ୍ଦ୍ର

ଭୁବନେଶ୍ବର : କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  ବିଜେଡ଼ିକୁ ଆଜି ଟାର୍ଗେଟ୍‌ କରିଛନ୍ତି । ସେ କହିଛନ୍ତି ଯେ ଓଡ଼ିଶାରେ ଏକ ଅପାରଗ ଓ ସ୍ଥାଣୁ ସରକାର ଚାଲିଛି । ଏହା ସହ ବିଜେଡ଼ି ଦଳରେ ଅନ୍ତଃକନ୍ଦଳ ଧୀରେ ଧୀରେ ବଢିବାରେ ଲାଗିଛି ଓ ଏବେ ତାହା ବାହାରକୁ ଫୁଟି ବାହାରିଛି । ଗୋଟିଏ ସରକାରୀ ଶାସନ ବ୍ୟବସ୍ଥାରେ କିଏ କେଉଁ କାମ କରିବ ତାହାର ଏକ ନିର୍ଦ୍ଦିଷ୍ଟ ବିଧି ବ୍ୟବସ୍ଥା ରହିଛି, ଯାହାକି ସବୁ ରାଜ୍ୟ ପାଇଁ ସମାନ । କିନ୍ତୁ ଓଡ଼ିଶାରେ ତାହାର ବିଲକ୍ଷଣ ଦେଖାଦେଇଛି ବୋଲି ସେ ଅଭିଯୋଗ କରିଛନ୍ତି ।

ଏଠାରେ ଅନୁଷ୍ଠିତ ୨୨ତମ ରିଫାଇନିଂ ଓ ପେଟ୍ରୋକେମିକାଲ ଟେକନଲୋଜି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବା ଅବସରରେ ସେ କହିଛନ୍ତି ଯେ ଦେଶରେ ସମାନ ସମୟରେ ଲୋକସଭା ଓ ବିଧାନସଭା ନିର୍ବାଚନ ହେଲେ ତାହା ଦେଶର ବିକାଶ ପାଇଁ ହିତକର ହେବ । କିନ୍ତୁ ଏ ନେଇ ଏକ ଜାତୀୟ ବିତର୍କ ହେଉ ବୋଲି ପ୍ରଧାନମନ୍ତ୍ରୀ ଚାହୁଁଛନ୍ତି । ସମସ୍ତଙ୍କ ସହମତି ଭିତ୍ତିରେ ହିଁ ଏ ଦିଗରେ ଆଗେଇ ହେବ ବୋଲି ସେ ମତ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରଣାଳୟ ଅଧିନରେ ଥିବା ସେଣ୍ଟର ଫର ହାଇଟେକନଲୋଜି ପକ୍ଷରୁ ପ୍ରତି ବର୍ଷ ଏହି ସମ୍ମିଳନୀ ଆୟୋଜନ କରାଯାଇଥାଏ । ଏହି ସମ୍ମିଳନୀରେ ଦେଶ ବିଦେଶର ପ୍ରାୟ ୮୦୦ ତୈଳ କମ୍ପାନି ପ୍ରତିନିଧି ଓ ବିଶେଷଜ୍ଞମାନେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର