ଭୁବନେଶ୍ବର : ଇନ୍ଫ୍ଲୁଏଞ୍ଜା ଜନିତ ରୋଗ(ଆଇଏଲ୍ଆଇ) ଓ ଗୁରୁତର ନିଶ୍ବାସ ପ୍ରଶ୍ବାସ ଜନିତ ରୋଗ(ଏସ୍ଏଆରଆଇ) ଆକ୍ରାନ୍ତଙ୍କ ଉପରେ ନଜର ରଖ। ଦେଶବ୍ୟାପୀ ଇନ୍ଫ୍ଲୁଏଞ୍ଜା-ଏ(ଏଚ୍୧ଏନ୍୧, ଏଚ୍୩ଏନ୍୨) ସମେତ ଏଡିନୋଭାଇରସ୍ ଭଳି ମାମଲାରେ ବୃଦ୍ଧି ହେଉଥିବାରୁ ଏ ନେଇ ସତର୍କତା ଅବଲମ୍ବନ କରିବା ଲାଗିବା କେନ୍ଦ୍ର ପକ୍ଷରୁ ରାଜ୍ୟମାନଙ୍କୁ କୁହାଯାଇଛି। ଆଜି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ଏ ସଂକ୍ରାନ୍ତରେ ସବୁ ରାଜ୍ୟଙ୍କୁ ଚିଠି ଲେଖିଛନ୍ତି।
ଗତ ୩ମାସ ହେବ ଓଡ଼ିଶା ସମେତ ଦେଶରେ ଥଣ୍ଡା, ଜ୍ବରରେ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଦେଶବ୍ୟାପୀ ବିଭିନ୍ନ ପରୀକ୍ଷାଗାରରେ ହୋଇଥିବା ନମୁନା ପରୀକ୍ଷାରେ ଏଚ୍୩ଏନ୍୨ ଇନ୍ଫ୍ଲୁଏଞ୍ଜା ସଂଖ୍ୟା ଅଧିକ ରହିଥିବା ନଜରକୁ ଆସିଛି। ଶିଶୁ, ବୟସ୍କ ବ୍ୟକ୍ତି, ଗର୍ଭବତୀ ମହିଳା ଓ ଜଟିଳ ରୋଗ ଥିବା ଲୋକମାନେ ଏଚ୍୧ଏନ୍୧, ଏଚ୍୩ଏନ୍୨ ଓ ଏଡିନୋଭାଇରସ ପ୍ରତି ସମ୍ବେଦନଶୀଳ। ସେମାନଙ୍କ ପାଇଁ ହସ୍ପିଟାଲର ଆବଶ୍ୟକତା ପଡ଼ିପାରେ। ତେଣୁ ଏଥିପାଇଁ ସତର୍କ ରହିବା ଉପରେ କେନ୍ଦ୍ର ସରକାର ଗୁରୁତ୍ବ ଦେଇଛନ୍ତି। ଆଇଏଲ୍ଆଇ ଓ ଏସ୍ଏଆର୍ଆଇରେ ଆକ୍ରାନ୍ତଙ୍କ ବ୍ୟକ୍ତିଙ୍କ ନମୁନା ନିୟମିତ ଭାବେ ପରୀକ୍ଷା କେନ୍ଦ୍ରକୁ ପଠାଇବାକୁ କୁହାଯାଇଛି।
ହସ୍ପିଟାଲରେ ଶଯ୍ୟା, ଆକ୍ସିଜେନ୍ ସିଲିଣ୍ଡର ରଖିବାକୁ ପରାମର୍ଶ
ମାର୍ଚ ଶେଷ ବେଳକୁ ହ୍ରାସ ପାଇବ ଇନ୍ଫ୍ଲୁଏଞ୍ଜା ମାମଲା
ତେବେ ଋତୁକାଳୀନ ଇନ୍ଫ୍ଲୁଏଞ୍ଜା ସଂକ୍ରମଣ ଚଳିତମାସ ଶେଷ ସୁଦ୍ଧା ହ୍ରାସ ପାଇବ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଦେଶବ୍ୟାପୀ ପ୍ରତିବର୍ଷ ପ୍ରଥମ ପର୍ଯ୍ୟାୟରେ ଜାନୁଆରିରୁ ମାର୍ଚ ଓ ଦ୍ବିତୀୟ ପର୍ଯ୍ୟାୟରେ ମୌସୁମୀ ପରବର୍ତୀ ସମୟରେ ଏହା ଦେଖିବାକୁ ମିଳିଥାଏ। ଆଇଡିଏସ୍ପି ଜରିଆରେ ଦେଶବ୍ୟାପୀ ଋତୁକାଳୀନ ଇନ୍ଫ୍ଲୁଏଞ୍ଜା ଉପରେ ନଜର ରଖାଯାଇଥିବା କେନ୍ଦ୍ର ପକ୍ଷରୁ କୁହାଯାଇଛି।
ଅପରପକ୍ଷରେ ଦେଶରେ ଯଦିଓ କୋଭିଡ ସଂକ୍ରମଣ ଯଥେଷ୍ଟ ହ୍ରାସ ପାଇଛି ତଥାପି କିଛି ରାଜ୍ୟରେ କୋଭିଡ୍ ସଂକ୍ରମଣ ହାରରେ ବୃଦ୍ଧି ଦେଖିବାକୁ ମିଳିଛି। ଯାହାକି ଚିନ୍ତାର ବିଷୟ। ତେଣୁ ଲୋକମାନେ କୋଭିଡ୍ ପାଇଁ ୫ ସୂତ୍ରୀ କାର୍ଯ୍ୟକ୍ରମ ଯଥା ଟେଷ୍ଟ, ଟ୍ରାକ୍, ଟ୍ରିଟ୍, ଟିକାକରଣ ଓ କୋଭିଡ ନିୟମାବଳୀ ପାଳନ କରନ୍ତୁ। ରାଜ୍ୟ ସରକାର କୋଭିଡ-୧୯ ସଂକ୍ରାନ୍ତୀୟ ସଂଶୋଧିତ ନିର୍ଦେଶାବଳୀ ଜାରି କରିବା ସହିତ ଏଥିରେ ଆଇଏଲ୍ଆଇ ଓ ଏସ୍ଏଆରଆଇ ଉପରେ ଯେଭଳି ଅଧିକ ନିରୀକ୍ଷଣ ହୋଇପାରିବ ତାହାକୁ ଗୁରୁତ୍ବ ଦିଅନ୍ତୁ। ହସ୍ପିଟାଲରେ ଆବଶ୍ୟକ ସଂଖ୍ୟକ ଔଷଧ, ଶଯ୍ୟା, ମେଡିକାଲ ଅକ୍ସିଜେନ୍ ଓ ମାନବ ସମ୍ବଳ ପ୍ରସ୍ତୁତ ରଖାଯାଉ। ଏହାସହ ଗତ ଜାନୁଆରି ପହିଲାରୁ ଦେଶବ୍ୟାପୀ ଆଇସିଏମ୍ଆରର ବିଭନ୍ନ ପରୀକ୍ଷାଗାରରେ ହୋଇଥିବା ନମୁନା ପରୀକ୍ଷାରେ ୨୫.୪ ପ୍ରତିଶତ ନମୁନାରେ ଏଡିନୋଭାଇରସ୍ ରହିଥିବା ମଧ୍ୟ ନଜରକୁ ଆସିଛି। ତେଣୁ ରାଜ୍ୟମାନେ ଏହାର ମୁକାବିଲା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି।
ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ନିୟମିତ ଭାବେ ସନ୍ଦିଗ୍ଧ ଇନ୍ଫ୍ଲୁଏଞ୍ଜା ନମୁନା ପରୀକ୍ଷା ପାଇଁ ପଠାଯାଉଛି। କେନ୍ଦ୍ର ସରକାର ଇନ୍ଫ୍ଲୁଏଞ୍ଜା ସଂକ୍ରାନ୍ତୀୟ ଚିଠି ଲେଖିବା ପରେ ରାଜ୍ୟ ସରକାର ମଧ୍ୟ ଲୋକମାନଙ୍କୁ ସଚେତନ କରିବା ଲାଗି ଏକ ସଂଶୋଧିତ ନିର୍ଦେଶାବଳୀ ଖୁବଶୀଘ୍ର ଜାରି କରିବେ। ତେବେ ରାଜ୍ୟ ସରକାର ଇନ୍ଫ୍ଲୁଏଞ୍ଜା ମାମଲା ଉପରେ ନିରୀକ୍ଷଣ ଜାରି ରଖିଛନ୍ତି ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି। ଆଜି ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ଆଇଏଲ୍ଆଇ ଓ ଏସ୍ଏଆର୍ଆଇ ମାମଲାଗୁଡ଼ିକ ଉପରେ ସର୍ଭେଲାନ୍ସ ଜାରି ରଖିବାକୁ ଜିଲ୍ଲାଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ସବୁ ଜିଲ୍ଲା ଡିପିଏଚ୍ଏଲ୍ରେ ଏସବୁରେ ଆକ୍ରାନ୍ତ ବ୍ୟକ୍ତିଙ୍କର ପରୀକ୍ଷା ଜାରି ରହିଛି। ତେବେ ଲୋକମାନେ ଭିଡ଼ଠୁ ଦୂରରେ ରହିବା ଓ ବ୍ୟକ୍ତିଗତ ସ୍ବଚ୍ଛତା ଉପରେ ଧ୍ୟାନ ଦେବାକୁ କୁହାଯାଇଛି।
ଉଲ୍ଲେଖ ଯେ ଆରଏମ୍ଆରସିକୁ ପଠାଯାଇଥିବା ୨୨୫ ନମୁନାରୁ ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ୫୯ଜଣ ଇନ୍ଫ୍ଲୁଏଞ୍ଜା ଏଚ୍୩ଏନ୍୨ରେ ଚିହ୍ନଟ ହୋଇଛନ୍ତି। ମାତ୍ର ଏଚ୍୧ଏନ୍୧ ବା ସ୍ବାଇନ୍ ଫ୍ଲୁରେ କେହି ଆକ୍ରାନ୍ତ ହୋଇ ନାହାନ୍ତି। ଏହା ବାଦ୍ ଆରଏସ୍ଭିରେ ୧୧ଜଣ ଆକ୍ରାନ୍ତ ହୋଇଥିବା ନଜରକୁ ଆସିଛି।