ଭଞ୍ଜନଗର: ଏକ ଜରାଜୀର୍ଣ୍ଣ କୋଠାରେ ଚାଲିଥିବା ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହରରେ ଥିବା ସୂଚନା କେନ୍ଦ୍ର ଓ ପାଠାଗାର ଏବେ ନିଜ ଆୟୁଷ ଗଣିବାରେ ଲାଗିଛି। କମ୍ପ୍ୟୁଟରଗୁଡିକ ଖତ ଖାଉଥିବାବେଳେ ଇ-ଲାଇବ୍ରେରି ବ୍ୟବସ୍ଥା ଏଯାବତ୍ ଆରମ୍ଭ ହୋଇପାରୁନି। ଶୌଚାଳୟ ଗୋଦାମଗୃହ ପାଲଟିଛି। ଫଳରେ ୩୦ ବର୍ଷ ପୁରୁଣା ଏହି ପାଠାଗାର ଧୀରେ ଧୀରେ ନିଜର ସତ୍ତା ହରାଇବାକୁ ବସିଛି। ଏହାର ପୁନରୁଦ୍ଧାର ଏବଂ ନବୀକରଣ ଦିଗରେ ରାଜ୍ୟ ସରକାରଙ୍କ ଅଣଦେଖା ପାଠକ ମହଲରେ ଅସନ୍ତୋଷ ସୃଷ୍ଟି କରିଛି। ତେଣୁ ଅସଜଡା ଭିତ୍ତିଭୂମି ଉପରେ ଠିଆ ହୋଇଥିବା ଏହି ସୂଚନା କେନ୍ଦ୍ର ଉପରୁ ଲୋକେ ମୁହଁ ଫେରାଇ ନେଉଛନ୍ତି।

Advertisment

ସ୍ଥାନୀୟ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ଶିକ୍ଷାର ବିକାଶ ପାଇଁ୧୯୯୧ରେ ସହର ମୁଖ୍ୟରାସ୍ତାର ଗୋଟିଏ ଭଡ଼ାଘରେ ସୂଚନାକେନ୍ଦ୍ର ଓ ପାଠାଗାର ଖୋଲାଯାଇଥିଲା। ପରେ ଏହା ଲଣ୍ଡେଇ ସାହି ଓ ରୋଡ୍‌କୁ ସ୍ଥାନାନ୍ତର ହୋଇଥିଲା। ‌ଶେଷରେ ୨୦୦୧ ଜୁଲାଇରେ ଭଞ୍ଜନଗର-ଫୁଲବାଣୀ ରାସ୍ତାର ରାଜସ୍ବ ଡାକବଙ୍ଗଳା ନିକଟରେ ନିର୍ମିତ ନିଜସ୍ବ ଏକ ଛୋଟ କୋଠାକୁ ପାଠାଗାରକୁ ସ୍ଥାନାନ୍ତର କରାଯାଇଛି। କରୋନା କଟକଣା ପାଇଁ ଦୀର୍ଘ ମାସ ଧରି ବନ୍ଦ ଥିବା ପାଠାଗାରକୁ ବର୍ତ୍ତମାନ କିଛି ହାତଗଣତି ପାଠକ ଖବରକାଗଜ ଓ ପତ୍ରିକା ପଢ଼ିବା ପାଇଁ ଆସୁଛନ୍ତି। ତେବେ ପାଠାଗାରରେ ୩ ହଜାରରୁ ଅଧିକ ବହି ଥିଲେ ବି ଏହାକୁ କେହି ବ୍ୟବହାର କରିନାହାନ୍ତି। ଆଉ ବହିଗୁଡ଼ିକୁ ରଖିବା ଲାଗି ପର୍ଯ୍ୟାପ୍ତ ଜାଗା ନାହିଁ। ୪ଟି କାଠ ଆଲମିରା ଓ ୪ଟି ଟିଣ ଆଲମିରା ସମେତ ୪ଟି କାଠ ଟେବୁଲ୍‌ ଏବଂ ୧୦ଟି କାଠ ଓ କିଛି ପ୍ଲାଷ୍ଟିକ୍ ଚୌକି ରହିଛି। ପ୍ରତିଦିନ ଦୁଇବେଳା ୧୦ରୁ ୧୫ ପାଠକ ଆସୁଛନ୍ତି। ଏଠାରେ ପରିସ୍ରାଗାରର ସୁବିଧା ନାହିଁ। ସେହିପରି ଶୌଚାଳୟ ଗୋଦାମଗୃହ ଭଳି ବ୍ୟବହାର ହେଉଛି। ଏଥିରେ ପୁରୁଣା ଖବରକାଗଜ, ଚେୟାର, ବହି ପକେଟ୍ ଓ କିଛି ପୁରୁଣା ଟ୍ରଫି ରଖାଯାଇଛି।

ସେହିପରି ପାଠାଗାର ଚଳାଇବା ପାଇଁ ଜଣେ ଲାଇବ୍ରେରିଆନ୍, ଅପରେଟର୍, ପିଅନ ଓ ରାତ୍ର ଜଗୁଆଳି ପଦବି ରହିଛି। କିନ୍ତୁ ଏଠାରେ ଜଣେ ଲାଇବ୍ରେରିଆନ୍‌ ଓ ପିଅନ ଅଛନ୍ତି। କମ୍ପ୍ୟୁଟର୍ ଅପରେଟର୍ ଭାବେ ଏଠାରେ ରାଜ୍ୟ ସରକାର‌ ଜଣେ ବ୍ୟକ୍ତିଙ୍କୁ ନିଯୁକ୍ତି ଦେଇଥିବା ବେଳେ କିଛିଦିନ ତଳେ ତାଙ୍କୁ ଅପସାରାଣ କରି ନେଇଛନ୍ତି। ଫଳରେ ଇ-ଲାଇବ୍ରେରି ବ୍ୟବସ୍ଥା କାର୍ଯ୍ୟକାରୀ ହୋଇପାରୁନି। ଆଉ ୩ଟି କମ୍ପ୍ୟୁଟର୍ ଓ ଆନୁଷଙ୍ଗିକ ଉପକରଣ ବ୍ୟବହାର ନହୋଇ ନଷ୍ଟ ହେବାକୁ ବସିଛି। ଆବଶ୍ୟକ ‌କୋଠରୀ ଅଭାବରୁ ଖବରକାଗଜ ଓ କାର୍ଯ୍ୟାଳୟର ସାମଗ୍ରୀ ରଖିବାରେ ସମସ୍ୟା ଉପୁଜିଛି। ବହୁ ବର୍ଷ  ରଙ୍ଗ ଦିଆଯାଇ ନଥିବା ବେଳେ ପାଠାଗାର ସମ୍ମୁଖରେ ଲେଖାଯାଇଥିବା ଫଳକ ଲିଭିବାକୁ ବସିଲାଣି। ରକ୍ଷଣାବେକ୍ଷଣ ଅଭାବରୁ ଛାତରୁ ପଲସ୍ତରା ଖସୁଛି। ସରକାର ଯଦି ଦୃଷ୍ଟ ନଦେଲେ ଏହି ଅନୁଷ୍ଠାନର ଧୀରେ ଧୀରେ ଆୟୁଷ ସରି ସତ୍ତା ହଜିଯିବ ବୋଲି ପାଠକ ମହଲରେ ଆଶଙ୍କା ସୃଷ୍ଟି ହୋଇଛି।