ଭଞ୍ଜନଗର : ଭଞ୍ଜନଗର-ଫୁଲବାଣୀ ରାସ୍ତା ରାଜସ୍ବ ଡାକବଙ୍ଗଳା ନିକଟରେ ଥିବା ସୂଚନାକେନ୍ଦ୍ର ଓ ପାଠାଗାର ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି। ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଜନସାଧାରଣ ଏବଂ ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ଖୋଲିଥିବା ଏହି କେନ୍ଦ୍ର ବହୁ ଅବ୍ୟବସ୍ଥା ଦେଇ ଗତି କରୁଥିବା ବେଳେ ବହୁବର୍ଷ ହେଲା ଏହା ଉପରେ ପ୍ରଶାସନ ଓ ନିର୍ବାଚିତ ଜନପ୍ରତିନିଧିଙ୍କ କୃପାଦୃଷ୍ଟି ପଡ଼ିପାରୁନି। କେବଳ ଏତିକି ନୁହେଁ, ଇ-ଲାଇବ୍ରେରି ମଧ୍ୟ କାମରେ ଲାଗୁ ନଥିବା ସହ ଏଠାରେ ଥିବା ୩ଟି କମ୍ପ୍ୟୁଟର୍ ଖତ ଖାଉଛି।
୧୯୯୧ ମସିହାରେ ସହରର ମୁଖ୍ୟରାସ୍ତାରେ ଥିବା ଗୋଟିଏ ଭଡ଼ାଘରେ ସୂଚନା କେନ୍ଦ୍ର ଓ ପାଠାଗାର ଖୋଲାଯାଇଥିଲା। ପରବର୍ତ୍ତୀ ସମୟରେ ଏହା ଲଣ୍ଡେଇସାହି ଓ ସେଠାରୁ ରେଡକ୍ରସ ରୋଡକୁ ସ୍ଥାନାନ୍ତର ହୋଇଥିଲା। ୨୦୦୧ ଜୁଲାଇ ମାସରେ ଭଞ୍ଜନଗର-ଫୁଲବାଣୀ ରାସ୍ତା ରାଜସ୍ବ ଡାକବଙ୍ଗଳା ନିକଟରେ ପାଠାଗାରର ନିଜସ୍ବ କୋଠା ତିଆରି ହୋଇଥିଲା।
କିନ୍ତୁ ଏହାପରଠୁ ଏହି କୋଠାର ଆଉ ରକ୍ଷଣାବେକ୍ଷଣ ହୋଇପାରୁନି। ଆଶ୍ଚର୍ଯ୍ୟର କଥା ହେଲା, ପାଠାଗାରରେ ୩୦୦୦ରୁ ଅଧିକ ବହି ରହିଥିଲେ ହେଁ, ତାହା କେବେ ମଧ୍ୟ ବ୍ୟବହାର ହୋଇପାରୁନି। ବହି ଗୁଡ଼ିକୁ ସୁରକ୍ଷିତ ଭାବେ ରଖିବାକୁ ପର୍ଯ୍ୟାପ୍ତ ଜାଗାର ଅଭାବ ରହିଛି। ୪ଟି କାଠ ଆଲମିରା ଓ ୪ଟି ଟିଣ ଆଲମିରା ସମେତ ୪ଟି କାଠ ଟେବୁଲ୍, ୧୦ଟି କାଠ ଚୌକି ଓ କିଛି ପ୍ଲାଷ୍ଟିକ୍ ଚୌକି ରହିଛି। ପ୍ରତିଦିନ ଦିନକୁ ଦୁଇଓଳା ୧୦ରୁ ୧୫ ଜଣ ପାଠକ ଏଠାକୁ ଆସୁଛନ୍ତି। ଖବରକାଗଜ ସହ ବିଭିନ୍ନ ପତ୍ରିକା ପଢ଼ିବାର ସୁବିଧା ରହିଛି। କିନ୍ତୁ ପାଠାଗାରର ଦୁରବସ୍ଥାକୁ ଦେଖି ସମସ୍ତେ ଅସନ୍ତୋଷ ପ୍ରକାଶ କରୁଛନ୍ତି। ପରିସ୍ରାଗାରର ସୁବିଧା ନାହିଁ। ଶୌଚାଳୟ ଗୋଦାମଗୃହ ଭଳି ବ୍ୟବହାର ହେଉଛି।
ଅନ୍ୟପକ୍ଷରେ ପାଠାଗାର ପରିଚାଳନା ପାଇଁ ଜଣେ ଲାଇବ୍ରେରିଆନ, ଅପରେଟର, ପିଅନ ଓ ନାଇଟୱାଚର୍ ପଦବି ରହିଛି। ଏଠାରେ ଜଣେ ଲାଇବ୍ରେରିଆନ୍ ଓ ପିଅନ ଅଛନ୍ତି। କମ୍ପ୍ୟୁଟର୍ ଚଳାଇବା ପାଇଁ ଏଠାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଜଣେ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଥିଲା। କିନ୍ତୁ ଗତବର୍ଷ ଏହି ପଦବିକୁ ଅପସାରଣ କରି ନିଆଯିବାରୁ ଇ-ଲାଇବ୍ରେରି କାର୍ଯ୍ୟକାରୀ ହୋଇପାରୁନି। ଆଉ ରକ୍ଷଣାବେକ୍ଷଣ ଅଭାବରୁ କମ୍ପ୍ୟୁଟର୍ ଓ ଆନୁଷଙ୍ଗିକ ଉପକରଣ ବ୍ୟବହାର ନ ହୋଇ ନଷ୍ଟ ହେବାକୁ ବସିଛି। ସାମଗ୍ରୀ ରଖିବାକୁ କୋଠରିର ଅଭାବ ରହିଛି। ଏହାସହ ଏଠାରେ ବହୁବର୍ଷ ଧରି ରଙ୍ଗ ମଧ୍ୟ ଦିଆଯାଇ ନଥିବା ଜଣାପଡ଼ିଛି। ଗତ କିଛି ମାସ ତଳେ ବ୍ୟକ୍ତିଗତ ପ୍ରଚେଷ୍ଟାରେ ବାହାର ପାର୍ଶ୍ବକୁ ରଙ୍ଗ କରାଯାଇଥିବା ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ କହିଛନ୍ତି। ରାଜ୍ୟ ସରକାର ଏଥିପ୍ରତି ଗୁରୁତ୍ବ ଦେଇ ପାଠାଗାରର ପୁନରୁଦ୍ଧାର ଓ ଆଧୁନିକୀକରଣ ଦିଗରେ ପଦକ୍ଷେପ ନେବାକୁ ବୁଦ୍ଧିଜୀବୀ ଏବଂ ପାଠକ ଦାବି କରିଛନ୍ତି। ନଚେତ୍ ଏହା ଦିନେ ନିଜର ସତ୍ତା ହରାଇବ ବୋଲି ମତପ୍ରକାଶ ପାଇଛି।