ରାଜ୍ୟରେ ପ୍ରଥମ ଘଟଣା : ପିଆଇଓଙ୍କ ବିରୋଧରେ ୱାରେଣ୍ଟ ଜାରି କଲେ ସୂଚନା କମିସନ

ଭୁବନେଶ୍ବର : ଜଣେ ଅବସରପ୍ରାପ୍ତ ସୂଚନା ଅଧିକାରୀଙ୍କୁ ବାରମ୍ବାର ନୋଟିସ୍/ସମନ ଜାରି କରାଯିବା ସତ୍ତ୍ବେ ସେ ସୂଚନା କମିସନଙ୍କ ନିକଟରେ ହାଜର ହେଉ ନଥିବାରୁ ତାଙ୍କ ବିରୋଧରେ ୱାରେଣ୍ଟ ଜାରି ହୋଇଛି। ଆସନ୍ତା ମାର୍ଚ ୨୨ ତାରିଖରେ କମିସନଙ୍କ ନିକଟରେ ହାଜର ନ ହେଲେ ତାଙ୍କୁ ଗିରଫ କରାଯିବ ବୋଲି କୁହାଯାଇଛି। ଜଣେ ସୂଚନା ଅଧିକାରୀଙ୍କ ବିରୋଧ‌ରେ ୱାରେଣ୍ଟ ଜାରି ହେବା ଘଟଣା ରାଜ୍ୟରେ ପ୍ରଥମ ବୋଲି କୁହାଯାଉଛି।

ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ୍‌ର ଜାରିଂ ପଞ୍ଚାୟତରେ ହୋଇଥିବା ବ୍ୟାପକ ଦୁର୍ନୀତି ଅଭିଯୋଗ ନେଇ ସୁଶାନ୍ତ ଗଡ଼ତିଆ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମାଗିଥିଲେ। ୨୦୧୫ ମସିହାରେ ଶ୍ରୀ ଗଡ଼ତିଆ ଏହି ତଥ୍ୟ ମାଗିଥିବା ବେଳେ ତଥ୍ୟ ପ୍ରଦାନରେ ବହୁ ବିଳମ୍ବ କରାଯାଇଥିଲା। ଏହାସହ ସେ ବିପିଏଲ ଶ୍ରେଣୀର ହୋଇଥିବା ସତ୍ତ୍ବେ ସୂଚନା ପ୍ରଦାନ ବାବଦରେ ତାଙ୍କଠାରୁ ୧୩୧୫ ଟଙ୍କା ନିଆଯାଇଥିଲା। ଏହା ବିରୋଧରେ ସେ ୨୦୧୭ରେ ସୂଚନା କମିସନଙ୍କ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗର ଶୁଣାଣି କରି କମିସନ ସେ ସମୟରେ ବିଜେପୁର ବ୍ଲକରେ କାର୍ଯ୍ୟରତ ସୂଚନା ଅଧିକାରୀ ଅକ୍ଷୟ କୁମାର ବଡ଼ପଣ୍ଡାଙ୍କୁ ହାଜର ହେବାକୁ ନୋଟିସ୍‌ କରିଥିଲେ। କିନ୍ତୁ ବାରମ୍ବାର ନୋଟିସ୍ କରାଯିବା ସତ୍ତ୍ବେ ସେ ହାଜର ହୋଇ ନଥିଲେ। ତେଣୁ ସୂଚନା ଆଇନ ୨୦୦୫ର ଧାରା ୧୮(୩) ଅନୁଯାୟୀ ଶ୍ରୀ ବଡ଼ପଣ୍ଡାଙ୍କ ବିରୋଧରେ ୱାରେଣ୍ଟ ଜାରି କରାଯାଇଛି। ରାଜ୍ୟ ସୂଚନା କମିସନ୍‌ ଦିଲ୍ଲୀପ ବିଷୋୟୀ ଏ ନେଇ ସମ୍ବଲପୁର ଏସ୍‌ପିଙ୍କୁ ଚିଠି ଲେଖିଛନ୍ତି। ଆସନ୍ତା ମାର୍ଚ ୨୨ତାରଖରେ ଉପଯୁକ୍ତ ରେକର୍ଡ ସହ କମିସନ୍‌ଙ୍କ ସମ୍ମୁଖରେ ହାଜର ହେବାକୁ ଚିଠିରେ କୁହାଯାଇଛି।

ସୂଚନାଧିକାର କର୍ମୀ ପ୍ରଦୀପ ପ୍ରଧାନ କହିଛନ୍ତି, ୧୫ ବର୍ଷ ହେବା ସୂଚନା ଅଧିକାର ଆଇନ ଲାଗୁ ହୋଇଥିବା ବେଳେ ରାଜ୍ୟରେ ଏଭଳି ଏକ ଘଟଣା ପ୍ରଥମ। ସୂଚନା ଆଇନରେ ଏଭଳି ନିୟମ ରହିଥିଲେ ହେଁ କୌଣସି କମିସନ୍‌ ପଦକ୍ଷେପ ନେଇ ନଥିଲେ। ଏହି ପଦକ୍ଷେପ ରାଜ୍ୟରେ ସୂଚନା ଆଇନକୁ ଅଧିକ କ୍ରିୟାଶୀଳ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ସମ୍ବନ୍ଧିତ ଖବର